ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ପ୍ରଧାନମନ୍ତ୍ରୀ ସେଠାରେ ବାସ କରୁଥିବା ସଂଖ୍ୟାଲଘୁ ତାମିଲ ସମ୍ପ୍ରଦାୟର ଲୋକଙ୍କୁ ସମାନତା, ନ୍ୟାୟ, ଶାନ୍ତି ଓ ସମ୍ମାନ ପ୍ରଦାନ କରିବାକୁ ପ୍ରତିପକ୍ଷଙ୍କୁ ଜଣାଇଛନ୍ତି । ଏହା ସହ ଉଭୟ ପକ୍ଷ ଆତଙ୍କବାଦ ବିରୋଧରେ କାର୍ଯ୍ୟ କରିବା ସହ ଶ୍ରୀଲଙ୍କାରେ ଅର୍ଥନୈତିକ ପ୍ରକଳ୍ପରେ ଭାଗିଦାରୀ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଶ୍ରୀଲଙ୍କା ସରକାର ତାମିଲ ଲୋକଙ୍କ ସଦିଚ୍ଛାକୁ ଗୁରୁତ୍ବ ଦେଇ ସମାନତା, ନ୍ୟାୟ , ଶାନ୍ତି ଓ ସମ୍ମାନ ପ୍ରଦାନ କରିବେ ବୋଲି ମୁଁ ଆଶାବାଦୀ । ’
ଭାରତ ଓ ଶ୍ରୀଲଙ୍କା ପଡୋଶୀ ଦେଶ ଓ ଉଭୟେ ନିବିଡ ବନ୍ଧୁ । ଆମ ଦୁଇ ଦେଶ ପାଇଁ ଆତଙ୍କବାଦ ଏକ ବଡ ଆହ୍ବାନ । ଆମେ ଏଥିପାଇଁ ଲଢେଇ କରିବୁ । ଆତଙ୍କବାଦ ବିରୋଧରେ ଉଭୟ ଦେଶ ପରସ୍ପରର ସହଯୋଗୀ ହୋଇ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଗତବର୍ଷ ଶ୍ରୀଲଙ୍କାରେ ହୋଇଥିବା ଇଷ୍ଟର ଆକ୍ରମଣକୁ ଦୁଃଖଦ ବୋଲି ବର୍ଣ୍ଣନା କରିଛନ୍ତି । ଏହା କେବଳ ଶ୍ରୀଲଙ୍କାକୁ ନୁହେଁ ବରଂ ମାନବିକତାକୁ ନୁଆଁଇ ଦେଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।
ଶ୍ରୀଲଙ୍କା ପ୍ରତିପକ୍ଷଙ୍କ ସହ ହୋଇଥିବା ଆଲୋଚନାରେ ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କାରେ ଅର୍ଥନୈତିକ ପ୍ରକଳ୍ପ, ବାଣିଜ୍ୟ ଓ ପୁଞ୍ଜିନିବେଶ ଆଦି ସମ୍ପର୍କରେ କଥା ହୋଇଛନ୍ତି । ଏହା ସହ ପର୍ଯ୍ୟଟନ କ୍ଷେତ୍ରରେ ସହଭାଗିତାକୁ ଆଲୋଚନାରେ ଗୁରୁତ୍ବ ପ୍ରଦାନ କରାଯାଇଛି ।
ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ତାଙ୍କ ପ୍ରଥମ ଭାରତ ଗସ୍ତକୁ ନେଇ ବେଶ ଖୁସି ଜାହିର କରିଛନ୍ତି । ଗତ ବର୍ଷ ରାଷ୍ଟ୍ରପତି ଗୋଟାବାୟାଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହୋଇଥିବା ଆଲୋଚନାର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିବା ନେଇ ରାଜପାକ୍ଷେ ପ୍ରକାଶ କରିଛନ୍ତି ।
ରାଜପାକ୍ଷେ 4 ଦିନିଆ ଭାରତ ଗସ୍ତରେ ରହିଛନ୍ତି। ଶନିବାର ସକାଳେ ରାଷ୍ଟ୍ରପତି ଭବନରେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ସେ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳ ରାଜଘାଟକୁ ଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଅପରାହ୍ନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ।