ନୂଆଦିଲ୍ଲୀ: ବିହାର ନିର୍ବାଚନ ପୂର୍ବରୁ ମୋଦି ସରକାର ବିହାରବାସୀଙ୍କ ଉପରେ ଗୋଟିଏ ପରେ ଗୋଟିଏ ଭେଟି ଦେଇ ଚାଲିଛନ୍ତି । ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ କୋଶି ରେଳର ମେଗା ବ୍ରିଜର ଉଦଘାଟନ କରିବେ । ଏହି ଉଦଘାଟନୀ ଉତ୍ସବ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହେବ ।
କୋଶି ରେଳ ମେଗା ବ୍ରିଜ ବ୍ୟତୀତ, ପିଏମ ଅନ୍ୟ ରେଳ ପ୍ରକଳ୍ପ ଉଦଘାଟନ କରିବେ । ଯେଉଁଥିରେ କିୟୁଲ ନଦୀରେ ଏକ ନୂତନ ରେଳ ବ୍ରିଜ, ଦୁଇଟି ନୂତନ ରେଳ ଲାଇନ, ପାଞ୍ଚଟି ବିଦ୍ୟୁତିକରଣ ପ୍ରକଳ୍ପ, ବାରୁନିରେ ଗୋଟିଏ ବୈଦ୍ୟୁତିକ ଲୋକୋମୋଟିଭ ସେଡ ଓ ବାର-ବଖିତିଆରପୁରରେ ତୃତୀୟ ଲାଇନ ପ୍ରକଳ୍ପ ରହିଛି ।
ଏହି ବ୍ରିଜର ଉଦଘାଟନ ଦ୍ବାରା କୋଶି ଏବଂ ମିଥିଲାଞ୍ଚଳ ଲୋକଙ୍କ 86 ବର୍ଷର ସ୍ୱପ୍ନ ପୂରଣ ହେବାକୁ ଯାଉଛି । 1934 ମସିହାରେ ବିହାରରେ ଭାରତ-ନେପାଳର ହୋଇଥିବା ଭୟଙ୍କର ଭୂକମ୍ପ କୋଶି ନଦୀ ଉପରେ ଥିବା ରେଳ ବ୍ରିଜକୁ ନଷ୍ଟ କରିଦେଇଥିଲା । ଏହା ପରେ କୋଶି ନଦୀର ପ୍ରକୃତି ହେତୁ ଦୀର୍ଘ ସମୟ ଧରି ଏହି ରେଳ ଲିଙ୍କକୁ ପୁନଃ ସ୍ଥାପନ କରିବାକୁ କୌଣସି ପ୍ରୟାସ କରାଯାଇ ନଥିଲା।