ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଇଣ୍ଡିଆ ଗ୍ଲୋବାଲ ୱିକକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତ ହେଉଛି ଏଭଳି ପ୍ରତିଭାର ‘ପାୱାର ହବ୍’ ଯାହା ବିଶ୍ବରେ ନିଜର ଗୁରୁତ୍ବକୁ ଉପସ୍ଥାପନା କରିବାକୁ ଚାହୁଁଛି। ମୋଦି ତାଙ୍କ ସମ୍ବୋଧନରେ କୋରୋନା ସଙ୍କଟ ଓ ଏହାରେ ଅର୍ଥନୀତି ଉପରେ ପ୍ରଭାବ ବିଷୟରେ କହିଥିଲେ। ଏଥିସହ ନିବେଶକମାନଙ୍କୁ ଭାରତରେ ନିବେଶ କରିବାକୁ କହିଛନ୍ତି ।
ମୋଦି କହିଛନ୍ତି ଯେ ସାମାଜିକ ସମସ୍ୟା ହେଉ କିମ୍ବା ଅର୍ଥନୈତିକ ସମସ୍ୟା, ଭାରତ ସର୍ବଦା ଆଗକୁ ବଢି କାମ କରିଆସୁଛି। ଆଜି ଭାରତ କୋରୋନା ବିରୁଦ୍ଧରେ ଯୁଦ୍ଧ କରୁଛି, ଏହା ସହିତ ଆମେ ଅର୍ଥନୀତିର ସ୍ବାସ୍ଥ୍ୟବସ୍ଥା ଉପରେ ମଧ୍ୟ ନଜର ରଖିଛୁ। ସେ କହିଛନ୍ତି, ବିଶ୍ବ ସମୃଦ୍ଧତା ଓ ମଙ୍ଗଳ ପାଇଁ ଭାରତ ପ୍ରତ୍ୟେକ ପଦକ୍ଷେପ ନେବାକୁ ପ୍ରସ୍ତୁତ। ଏହା ହେଉଛି ସେହି ଭାରତ ଯିଏ ପରିବର୍ତ୍ତନ ଓ କାର୍ଯ୍ୟଦକ୍ଷତା ଉପରେ ବିଶ୍ବାସ କରେ ।
ମୋଦି ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଆମ ସରକାର ଗତ 6 ବର୍ଷ ମଧ୍ୟରେ ଏଭଳି ଅନେକ ନିଷ୍ପତ୍ତି ନେଇଛି, ଯାହା ଆଗକୁ ଆମ ପାଇଁ ସହଜ କରିଦେବ । ଜିଏସଟି ସହିତ ଅନେକ ପ୍ରମୁଖ ନିଷ୍ପତ୍ତି ଏହାର ଉଦାହରଣ । କୋରୋନା ସଙ୍କଟ ମଧ୍ୟରେ ଆମେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଛୁ, ବର୍ତ୍ତମାନ ଅର୍ଥନୀତିକୁ ସରଳ ଓ ସହଜ କରାଯାଉଛି ।