ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ହାତରେ ମାତ୍ର 5 ଦିନ । ଏନେଇ କମ୍ପୁଛି ମଞ୍ଚ ଜମୁଛି ରୋଡ ସୋ। ପ୍ରଥମ ଥର ପାଇଁ ଦିଲ୍ଲୀ ନିର୍ବାଚନ ମୈଦାନକୁ ଆଜି ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କରିଛନ୍ତି ଭୋଟ ଭିକ୍ଷା ।
ଦିଲ୍ଲୀର କଡକଡଡୁମା ନିର୍ବାଚନମଣ୍ଡଳୀରେ ବିରାଟ ଜନସଭାକୁ ସମ୍ବର୍ଦ୍ଧିତ କରି ପିଏମ ମୋଦି, ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସରକାର ଉପରେ ବର୍ଷିଥିବା ବେଳେ ଶନିବାର ସଂସଦରେ ଆଗତ ହୋଇଥିବା ବଜେଟକୁ ବୈପ୍ଲବିକ ବୋଲି ଆଖ୍ୟା ଦେଇଛନ୍ତି।
ଚଳିତ ବର୍ଷର ବଜେଟ କେବଳ ଗୋଟେ ବର୍ଷ ପାଇଁ ନୁହେଁ । ଏହା ପୁରା ଦଶକ ପାଇଁ ଦିଗ ଦେଖାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ସରକାର ଆଗତ କରିଥିବା ଏହି ବଜେଟ କରଦାତାଙ୍କ ପାଇଁ ଏକ ନୂଆ ବିକଳ୍ପ ସୃଷ୍ଟି କରିଛି । ଯାହା ଦିଲ୍ଲୀର ଯୁବକ, ବ୍ୟବସାୟୀ, ମଧ୍ୟମ ବର୍ଗ , ଗରିବ, ନିମ୍ନ ମଧ୍ୟବିତ୍ତ ଏବଂ ମହିଳାଙ୍କୁ ଲାଭବାନ କରିବ ବୋଲି କହିଛନ୍ତି ସେ ।
କିପରି ବ୍ୟବସାୟୀଙ୍କ ଅସୁବିଧାକୁ କମ କରାଯାଇପାରିବ ସେ ନେଇ କେନ୍ଦ୍ର ସରକାର ଏବଂ ବିଜେପି ସବୁ ବେଳେ ପ୍ରୟାସ କରିଆସିଛି । ଆଗରୁ ଲଘୁ ଉଦ୍ୟୋଗ ଏବଂ ବେପାରୀଙ୍କ ପାଇଁ ପୂର୍ବରୁ 1 କୋଟି ପର୍ଯ୍ୟନ୍ତ ଟର୍ନଓଭର ଅପଡ଼େଟ କରିବାକୁ ପଡ଼ୁଥିଲା । ହେଲେ ଏବେ ଏହି ରାଶି 5 କୋଟି ପର୍ଯ୍ୟନ୍ତ ବଢାଇ ଦିଆଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।