ମାଜୁଲୀ(ଆସାମ): ଭାରତ ତଥା ବିଶ୍ବର ସମସ୍ତ ଦେଶ ପ୍ଲାଷ୍ଟିକ ଆବର୍ଜନାକୁ କିପରି ସଦୂପଯୋଗ କରିପାରିବ, ସେ ନେଇ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଉଛି । ଏଥିରେ ଆସାମର ମାଜୁଲୀ ଜିଲ୍ଲା ମଧ୍ୟ ସାମିଲ ହୋଇଛି । ଏହି ଗ୍ରାମାଞ୍ଚଳରେ ନିର୍ମାଣ ହେଉଛି ଅଙ୍ଗନବାଡି କେନ୍ଦ୍ର । ପ୍ଲାଷ୍ଟିକ ବୋତଲକୁ ବ୍ୟବହାର କରି ନିର୍ମାଣ ହେଉଛି ଏହି କେନ୍ଦ୍ର । ମାଜୁଲୀର ଜିଲ୍ଲା ଅଧିକାରୀ ବିକ୍ରମ କ୍ୟାରୀ ପ୍ଲାଷ୍ଟିକ ବ୍ୟବହାର ରୋକିବା ଅଭିଯାନରେ ସାମିଲ ହୋଇ ‘କିସଲୟା’ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି । ଏହି ପ୍ରୋଜେକ୍ଟ ଅନ୍ତର୍ଗତ ଜିଲ୍ଲାର ପ୍ରାୟ 100 ଅଙ୍ଗନବାଡି ଚୟନ କରାଯାଇଛି । ଏହି ସମସ୍ତ ଅଙ୍ଗନବାଡି କେନ୍ଦ୍ର ଇଟା କିମ୍ବା ପଥର ବଦଳରେ ପ୍ଲାଷ୍ଟିକରେ ହିଁ ନିର୍ମାଣ କରାଯିବ ।
ଏନେଇ ବିକ୍ରମ କ୍ୟାରୀ କହିଛନ୍ତି,‘ପ୍ରୋଜେକ୍ଟକୁ ନେଇ ମୁଁ ଖୁସି ଅଛି । ଆସାମର ଏହା ପ୍ରଥମ ପ୍ରୋଜେକ୍ଟ, କିନ୍ତୁ 2 ବର୍ଷ ପୂର୍ବରୁ ତିନସୁକିଆ ଜିଲ୍ଲାର ମାର୍ଘେରିଟାରେ ଯୁବପୀଢୀଙ୍କୁ ଆକୃଷ୍ଟ କରିବା ପାଇଁ ଏହି ସମାନ ପ୍ରକ୍ରିୟା ବ୍ୟବହାର କରି ଏକ ଆବାସ ନିର୍ମାଣ କରିଥିଲୁ’ ।ଯୁବ ଆଇଏଏସ ବିକ୍ରମ କ୍ୟାରୀ ଏହି ପ୍ରକ୍ରିୟା ବିଷୟରେ କହିଛନ୍ତି ଯେ, ‘ ଫିଲିପାଇନ୍ସ, ଆଫ୍ରିକା ଓ ଦକ୍ଷିଣ ଆମେରିକାରେ ମଧ୍ୟ ସମାନ ପ୍ରକ୍ରିୟା ଦେଖିବାକୁ ମିଳିଥାଏ । ଭାରତର କର୍ଣ୍ଣାଟକ ଓ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ଏପରି ଉଦାହରଣ ଦେଖିବାକୁ ମିଳିଛି ’ ।