ନୂଆଦିଲ୍ଲୀ: କୋରୋନା ମହାମାରୀ ସମୟରେ ଇଣ୍ଟରନେଟର ବ୍ୟବହାରରେ ବୃଦ୍ଧି ଘଟିବା ସହ ଲୋକେ ମୁଖ୍ୟତଃ ଡିଜିଟାଲ ପ୍ରକ୍ରିୟା ଉପରେ ଅଧିକ ନିର୍ଭରଶୀଳ ହେଉଥିବା ଦେଖାଯାଇଛି । ଏମିତିରେ ଏହି ସମୟର ସୁଯୋଗ ନେଇ ଅନେକ ସାଇବର ଠକ ଇମେଲ ଫିସିଂରେ ମାତିଥିବା ଦେଖାଯାଇଛି । ମୁଖ୍ୟତଃ କୋଭିଡ-19 ତଥ୍ୟ ନେଇ ଏହି ସାଇବର ଠକମାନେ ଫିସିଂର ଜାଲ ବିଛାଉଥିବା ଦେଖାଯାଉଛି । ଏନେଇ ଭାରତୀୟ ସାଇବର ସିକ୍ୟୁରିଟି ଆସୋସିଏସନ ସାଧାରଣ ନିର୍ଦ୍ଦେଶକ ତଥା ସାଇବର ସିକ୍ୟୁରିଟି ବିଶେଷଜ୍ଞ କୋଲୋନେଲ ଇନ୍ଦରଜିତ ସିଂ ଅନେକ ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି ।
ସେ କହିଛନ୍ତି କି ବର୍ତ୍ତମାନ ସମୟରେ ଇମେଲ ଫିସିଂ ପାଇଁ ମୁଖ୍ୟତଃ ସାଇବର ଠକମାନେ କୋଭିଡ-19 ସମ୍ବନ୍ଧୀୟ ମିଛ ତଥ୍ୟର ବ୍ୟବହାର କରୁଛନ୍ତି । ଚଳିତବର୍ଷ ମାର୍ଚ୍ଚ ମାସରୁ ଏହି ସାଇବର କ୍ରାଇମର ମାତ୍ରା ପ୍ରାୟ 56 ପ୍ରତିଶତ ବୃଦ୍ଧି ପାଇଥିବା ସେ ପ୍ରକାଶ କରିଛନ୍ତି ।
(ଫଟୋ- କୋରୋନା ମହାମାରୀ ସମୟରେ ବଢୁଛି ସାଇବର ଆକ୍ରମଣ ଫିସିଂର ମାତ୍ରା) ମାର୍ଚ୍ଚ ମାସ ମଧ୍ୟ ଭାଗରୁ ମୁଖ୍ୟତଃ ସାଇବର ଠକମାନେ ଏହି ଯୋଜନା ଆରମ୍ଭ କରିଥିବା ଅନୁମାନ କରାଯାଏ । ଆଉ ଏହାର ପ୍ରଥମ ପର୍ଯ୍ୟାୟ ଶିକାର ପାଲଟିଥିଲା ଅନେକ ବଡ ବଡ ଡାକ୍ତରଖାନା ଓ ଚେକ ରିପବ୍ଲିକସ୍ଥିତ କୋଭିଡ-19 ଟେଷ୍ଟିଂ ଲ୍ୟାବ । ଏହି ଆକ୍ରମଣ ଏତେ ଭୟଙ୍କର ଥିଲା କି ସମ୍ପୃକ୍ତ ସ୍ଥାନରୁ କୋରୋନା ଆକ୍ରାନ୍ତମାନଙ୍କୁ ଚିକିତ୍ସା ଓ ଟେଷ୍ଟିଂ ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ।
ସେହିପରି ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହି ଫିସିଂ ଆକ୍ରମଣର ଶିକାର ହୋଇଥିଲା । ବିଭିନ୍ନ ରାଜ୍ୟ ଅଧିକୃତ ପେଶାଦାର ସାଇବର ଠକଙ୍କ ଦଳ ଏହି ଆକ୍ରମଣ ପଛରେ ଦାୟୀ ଥିବା କୁହାଯାଏ । ଏହାର ଲକ୍ଷ୍ୟ ଥିଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସଦସ୍ୟଙ୍କ ଜରିଆରେ ଅନ୍ତରୀଣ ତଥ୍ୟ ଲିକ କରି ବିଭିନ୍ନ ଜଟିଳ ସିଷ୍ଟମକୁ ଆକ୍ସେସ କରିବା । ସେପଟେ ଏହି ମହାମାରୀ ସମୟରେ ବିଶ୍ବବ୍ୟାପୀ ଫିସିଂ ଦ୍ବାରା ଅନେକ ଆର୍ଥିକ ଠକେଇର ମାମଲା ମଧ୍ୟ ସାମ୍ନାକୁ ଆସିଛି ।
(ଫଟୋ- କ’ଣ କୁହେ ଏହି ଫିସିଂ ଆକ୍ରମଣର ଇମେଲ) ଏଠାରେ ଜାଣି ରଖିବା ଦରକାର କି ଫିସିଂ କ’ଣ । ଏହା ଏକ ସନ୍ଦିଗ୍ଧ ୱେବସାଇଟ ଏହା ମୁଖ୍ୟତଃ ଇମେଲ ଜରିଆରେ ୟୁଜର୍ସଙ୍କୁ ଟାର୍ଗେଟ କରେ । ଏହି ମେଲରେ ଅନେକ ପ୍ରଲୋଭନକାରୀ ତଥ୍ୟ ଦେଖାଇ ବିଭିନ୍ନ ଲିଙ୍କରେ କ୍ଲିକ କରିବା ପାଇଁ ୟୁଜର୍ସଙ୍କୁ ବାଧ୍ୟ କରାଯାଇଥାଏ । ଯାହା ଉପରେ କ୍ଲିକ କରିବା ମାତ୍ରେ ୟୁଜର୍ସଙ୍କ ଆଇପି ଆଡ୍ରେସ ଟ୍ରେସ ହେବା ସହ ତାଙ୍କ ସମ୍ବନ୍ଧୀୟ ଅନେକ ବ୍ୟକ୍ତିଗତ ତଥ୍ୟ ଲିକ ହୋଇଥାଏ । ତେବ ଏହା ଏକ ପ୍ରକାର ସୋସିଆଲ ଇଞ୍ଜିନିୟରିଂ । ତେଣେ କୋରୋନା ମହାମାରୀ ସମୟରେ ଏହି ଆକ୍ରମଣର ମାତ୍ରା ବଢୁଥିବାରୁ ଯଦି କୌଣସି ୟୁଜର୍ସ କୋଭିଡ-19 ସମ୍ବନ୍ଧୀୟ କିଛି ଇମେଲ ପାଆନ୍ତି । ତେବେ ଏଥିରେ ତୁରନ୍ତ ପ୍ରତିକ୍ରିୟା ଦେବା ଅପେକ୍ଷା ଏହାର ସତ୍ୟାସତ୍ୟ ପରୀକ୍ଷ କରିନେବା ଦରକାର ।
କୋରୋନା ମହାମାରୀ ସମୟରେ ସାଧାରଣ ଜନତା ଅନେକ ଅସୁବିଧା ଦେଇ ଗତି କରୁଥିବା ବେଳେ ସେମାନଙ୍କ ମନରେ ମଧ୍ୟ ଅନେକ ସମୟରେ ମାନସିକ ଅସ୍ଥିରତା ଲାଗି ରହୁଥିବା ଦେଖାଯାଉଛି । ଲୋକଙ୍କ ଏହି ମାନସିକ ଦୁଃସ୍ଥିତିର ଲାଭ ଉଠାଇ ଅତି ସମ୍ବେଦନଶୀଳ ତଥ୍ୟ ଜରିଆରେ ଭୟଭୀତ କରିବାକୁ ଚେଷ୍ଟା କରନ୍ତି ସାଇବର ଠକ ।
ଗୋଟିଏ ପଟେ ମହାମାରୀ ସମୟରେ ଷ୍ଟ୍ରିମିଂ ସାଇଟ ଯଥା ନେଟଫ୍ଲିକ୍ସ, ଆପଲ ଟିଭି ପ୍ଲସ ଓ ଆମଜନ ପ୍ରାଇମର ଚାହିଦା ବଢୁଛି । ଅନ୍ୟପଟେ ଭିଡିଓ କନଫରେନ୍ସି ଆପ୍ ୟଥା ୱେବଏକ୍ସ, ଜୁମ, ମାଇକ୍ରୋସଫ୍ଟ ଟିମ୍ସ ଓ ଗୁଗୁମ ମିଟ୍ର ମଧ୍ୟ ଚାହିଦା ବଢୁଛି । ତେଣୁ ଏହି ସବୁ ସର୍ଭିସ ନାମରେ ମଧ୍ୟ ସାଇବର ଠକମାନେ ୟୁଜର୍ସଙ୍କୁ ଟାର୍ଗେଟ କରୁଥିବା ଦେଖାଯାଉଛି । ଏମିତିରେ ଏପରି ଆକ୍ରମଣରୁ କିପରି ନିଜକୁ ବଞ୍ଚାଇବେ ପଢନ୍ତୁ...
(ଫଟୋ- କିପରି ନିଜକୁ ଫିସିଂ ଆକ୍ରମଣରୁ ବଞ୍ଚାଇବେ) (ଫଟୋ- ଫିସିଂ ଆକ୍ରମଣରୁ ନିଜରୁ ବଞ୍ଚାଇବାର ପ୍ରକ୍ରିୟା) ଏନେଇ କୋଲୋନେସ ଇନ୍ଦରଜିତ୍ ସିଂଙ୍କ କହିବା ଅନୁଯାୟୀ ଏହି ଆକ୍ରମଣ ବିଷୟରେ ସାଧାରଣ ଲୋକେ ଯେତେ ଅଧିକ ଜାଣିବେ, ସେମାନେ ଆକ୍ରମଣରୁ ବଞ୍ଚିବାର ସମ୍ଭାବନା ସେତେ ଅଧିକ । କେବଳ ଯେ ଫିସିଂ ଦ୍ବାରା ସେମାନେ ଆକ୍ରମଣର ଶିକାର ହେବେ ତାହା ନୁହେଁ, ଆହୁରି ଅନେକ ଆକ୍ରମଣ ଶୈଳୀ ଅଛି ଯାହା ସାଇବର ସଚେତନତା ଦ୍ବାରା ଲୋକେ ଆହୁରି ସହଜରେ ବୁଝିପାରିବେ । ତେଣୁ ଏଦିଗ ଉପରେ ମଧ୍ୟ ସମାନ ଗୁରୁତ୍ବ ଦିଆଯିବା ଦରକାର ବୋଲେ ସେ ମତ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ