ନୂଆଦିଲ୍ଲୀ: କୋରୋନା ସଚେତନତା ପାଇଁ ସରକାରଙ୍କ ତରଫରୁ ପ୍ରସ୍ତୁତ କରାଯାଇଥିବା ମୋବାଇଲ କଲରଟ୍ୟୁନ ବିଜ୍ଞାପନରେ ଅମିତାଭ ବଚ୍ଚନଙ୍କ କଣ୍ଠ ଦାନ ଉପରେ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାୟର ହୋଇଛି । ତୁରନ୍ତ ଅମିତାଭଙ୍କ କଣ୍ଠସ୍ବରକୁ ଉକ୍ତ ସଚେତନତା ବିଜ୍ଞାପନରୁ ବାଦ ଦେବା ପାଇଁ ପିଟିସନରେ ଆବେଦନ କରାଯାଇଛି । କୋରୋନା ଯୋଦ୍ଧାମାନେ ସେମାନଙ୍କ ଜୀବନକୁ ସଂକଟରେ ପକାଇ ସମାଜ ସେବା କରିଛନ୍ତି । ଏମିତି ସମୟରେ କୋରୋନା ସଚେତନତା ବାର୍ତ୍ତାରେ ମୋଟା ଅଙ୍କର ପାରିଶ୍ରମିକ ଦେଇ ଅମିତାଭ ବଚ୍ଚନଙ୍କୁ କଣ୍ଠଦାନ ସୁଯୋଗ ଦେବା ସେମାନଙ୍କ ପାଇଁ ଉପେକ୍ଷା ବୋଲି ପିଟିଶନରେ ଦର୍ଶାଇଛନ୍ତି ଆବେଦନକାରୀ । ଏହି ମାମଲାର ଶୁଣାଣି ଆସନ୍ତା 20 ତାରିଖରେ ହେବା ପାଇଁ ଧାର୍ଯ୍ୟ କରିଛନ୍ତି କୋର୍ଟ ।
ଆବେଦନରେ ଆହୁରି ମଧ୍ୟ କୁହାଯାଇଛି ଯେ ଅମିତାଭ ନିଜେ ମଧ୍ୟ ଅନେକ ଥର କୋରୋନା କଟକଣା ଉଲଙ୍ଘନ କରି ବିବାଦକୁ ଆସିଛନ୍ତି । ସେହିପରି କୋରୋନା ସମୟରେ ତାଙ୍କର କିଛି ସାମାଜିକ ଉତ୍ତର ଦାୟିତ୍ବ ନଥିଲା । ଏହି ସଚେତନତା ବାର୍ତ୍ତାରେ ସେ କଣ୍ଠଦାନ କରିବା ପାଇଁ ମୋଟା ଅଙ୍କର ପାରିଶ୍ରମିକ ମଧ୍ୟ ସେ ନେଇଥିବା ଅଭିଯୋଗ କରିଛନ୍ତି ଆବେଦନକାରୀ ।