ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । ଏହାପରେ ପରାଜୟର ଦାୟିତ୍ବ ନିଜ ମୁଣ୍ଡ ଉପରକୁ ନେଇ ଇସ୍ତଫା ଦେଉଛନ୍ତି ଦଳର ବରିଷ୍ଠ ନେତା । ମଙ୍ଗଳବାର ନିର୍ବାଚନର ଫଳାଫଳ ଘୋଷଣା ହେବାପରେ ଦିଲ୍ଲୀ କଂଗ୍ରେସ କମିଟିର ଅଧ୍ୟକ୍ଷ ସୁଭାଷ ଚୋପଡା ନିଜ ପଦରୁ ଇସ୍ତଫା ଦେଇଥିଲେ । ତେବେ ଆଜି(ବୁଧବାର) ଦଳର ଆଉ ଜଣେ ବରିଷ୍ଠ ନେତା ଇସ୍ତଫା ଦେଇଥିବା ଜଣା ପଡିଛି ।
ଦିଲ୍ଲୀ ପ୍ରଦେଶ କଂଗ୍ରେସ ପ୍ରଭାରି ପିସି ଚାକୋ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ନିଜ ଇସ୍ତଫା ପତ୍ର ଦେଇଥିବା ଜଣାପଡିଛି । ଏହା ପୂର୍ବରୁ ଚାକୋ କଂଗ୍ରେସର ପରାଜୟ ପାଇଁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଙ୍ଗତ ଶୀଲା ଦିକ୍ଷିତଙ୍କୁ ଦାୟୀ କରିଥିଲେ । ଦିଲ୍ଲୀରେ କଂଗ୍ରେସର ସ୍ଥିତିକୁ ନେଇ ସେ କହିଥିଲେ, '2013 ମସିହାରେ ଶୀଲା ଦିକ୍ଷିତ ମୁଖ୍ୟମନ୍ତ୍ରୀ ଥିବା ସମୟରୁ ହିଁ ଦିଲ୍ଲୀରେ କଂଗ୍ରେସର ସ୍ଥିତି ଖରାପ ହେବା ଆରମ୍ଭ ହୋଇଥିଲା । ଆମ ଆଦମି ପାର୍ଟିର ଉଦ୍ଦେଶ୍ୟ ସହ କଂଗ୍ରେସର ପରମ୍ପରାଗତ ଭୋଟବ୍ୟାଙ୍କ ଆପ ଆଡକୁ ଢଳିଥିଲା । ଯାହା ଆଜି ପର୍ଯ୍ୟନ୍ତ ଆଉ ଫେରିପାରିଲା ନାହିଁ । '