ମୁମ୍ବାଇ: କୋରୋନା ଭାଇରସ ଯୋଗୁଁ ଚାଲିଥିବା ଲକଡାଉନରେ ବ୍ୟବସାୟୀ ବହୁତ କ୍ଷତି ସହିଛନ୍ତି । ହେଲେ ଏହି ଲକଡାଉନରେ ପାର୍ଲେ-ଜି ବିସ୍କୁଟର ବିକ୍ରି ଏତେ ଅଧିକ ଥିଲା ଯେ ଗତ 82 ବର୍ଷର ରେକର୍ଡ ଭାଙ୍ଗିଛି । ମାତ୍ର 5 ଟଙ୍କାରେ ମିଳୁଥିବା ଏହି ପାର୍ଲେ-ଜି ବିସ୍କୁଟର ପ୍ୟାକେଟ୍ ଶହ ଶହ କିଲୋମିଟର ଚାଲୁଥିବା ପ୍ରବାସୀମାନଙ୍କ ପାଇଁ ବହୁତ ସହାୟକ ହେଲା । କେହି କେହି ବିସ୍କୁଟକୁ ନିଜେ କିଣି ଖାଉଥିଲେ ଏବଂ ଅନ୍ୟମାନେ ଲୋକଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ବିସ୍କୁଟ କିଣି ବାଣ୍ଟୁଥିଲେ । ଅନେକ ଲୋକ ପାର୍ଲେ-ଜି ବିସ୍କୁଟର ଷ୍ଟକ୍ ନିଜ ଘରେ ମଧ୍ୟ ରଖିଛନ୍ତି ।
1938 ପରଠାରୁ ପାର୍ଲେ-ଜି ଲୋକଙ୍କ ମଧ୍ୟରେ ଏକ ପ୍ରିୟ ବ୍ରାଣ୍ଡ ପାଲଟିଥିଲା । ହେଲେ ପୂର୍ବରୁ ଏହି ବିସ୍କୁଟର ଚାହିଦା ଥିଲା ସତ କିନ୍ତୁ ଲକଡାଉନ୍ ମଧ୍ୟରେ ବିସ୍କୁଟର ଅଧିକ ବିକ୍ରି ହୋଇଥିଲା । ଯାହାକି ଇତିହାସରେ ବିକ୍ରି ହୋଇଥିବା ସର୍ବାଧିକ ବିସ୍କୁଟ ପାଇଁ ଏହା ରେକର୍ଡ ସୃଷ୍ଟି କରିଛି । ଯଦିଓ ପାର୍ଲେ କମ୍ପାନୀ ବିକ୍ରି ସଂଖ୍ୟା ପ୍ରକାଶ କରି ନାହିଁ, ତଥାପି କମ୍ପାନୀ କହିଛି ଯେ ଗତ 8 ଦଶନ୍ଧି ମଧ୍ୟରେ ମାର୍ଚ୍ଚ, ଏପ୍ରିଲ ଏବଂ ମେ ଏହାର ସର୍ବୋତ୍ତମ ବିକ୍ରି ହେବାର ମାସ ଅଟେ ।