ହାଇଦ୍ରାବାଦ: ସଂସଦରେ ବିତର୍କ ଏକ ସ୍ବଭାବିକ କଥା । ଭଲ ବିତର୍କ ବିଧାନସଭା ହେଉ କିମ୍ବା ଲୋକସଭା କେଉଁଠି ବି ଆଉ ଦେଖିବାକୁ ପ୍ରାୟ ମିଳୁନାହିଁ । ଖରାପ ରାଜନୀତି ଫଳରେ ଉଭୟ ବିଧାନସଭା ଓ ଲୋକସଭାର ମାନ କ୍ଷୁର୍ଣ୍ଣ ହେବାରେ ଲାଗିଛି । ବିଶ୍ବର ସମସ୍ତ ଗଣତନ୍ତ୍ରିକ ରାଷ୍ଟ୍ର ମଧ୍ୟରୁ ଭାରତ ଅନ୍ୟତମ। ନୂଆ ସରକାର ଗଠନ କରିବାରେ ସଂସଦ ଗୁରୁ ଦାୟିତ୍ବ ବହନ କରେ । ଚଳିତ ବର୍ଷ ଦେଶରେ 17ତମ ଲୋକସଭା କାର୍ଯ୍ୟକାଳ ଆରମ୍ଭ ହୋଇଛି । ନୂଆ ଲୋକସଭା ଆରମ୍ଭ ହେବା ପରେ ପୁରୁଣା ଲୋକସଭା ଭଙ୍ଗ ହୋଇସାରିଛି। ଦ୍ବିତୀୟ ଥର ପାଇଁ ଦେଶର ଶାସନଭାର ସମ୍ଭାଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଭାରତ ପାଇଁ ଥିଲା ବେଶ ଗୁରୁତ୍ବପୂର୍ଣ୍ଣ। ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ଅଧିବେଶନରେ ପ୍ରଧାନମନ୍ତ୍ରୀ ଦେଶକୁ ଏକଜୁଟ ହୋଇ କାର୍ଯ୍ୟକରିବାକୁ ଅନୁରୋଧ କରିଥିଲେ । ଦେଶର ବିକାଶ ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ଅଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।
ବିନା କୌଣସି ରାଜନୈତିକ ଷଡଯନ୍ତ୍ରରେ ସମସ୍ତଙ୍କୁ ଏକ ସୁସ୍ଥ ବାତାବରଣରେ ଦେଶର ବିକାଶରେ ଆଗେଇବାକୁ ଆହ୍ବାନ ଦେଇଛି ମୋଦି ସରକାର । 17ତମ ଲୋକସଭାରେ କିଛି ନୁଆ ଓ ଅଲଗା ଦେଖିବାକୁ ମିଳିଛି। ଏଥରକ ସଂସଦରେ ମହିଳାଙ୍କୁ ବେଶି ଗୁରୁତ୍ବ ଦିଆଯାଇଛି । ପ୍ରାୟ 78 ଜଣ ମହିଳା ସଦସ୍ୟଙ୍କୁ ଦେଖିବାକୁ ମିଳିଥିଲା ଯାହା ଅନ୍ୟଦେଶ ତୁଳନାରେ ଅଧିକ । ପ୍ରାୟ 300ଜଣ ସାଂସଦ ପ୍ରଥମ ଥର ଲୋକସଭାରେ ପାଦ ଦେଇଥିଲେ ଓ ଏହା ସହ ପ୍ରାୟ 394ଜଣ ସାଂସଦଙ୍କ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏଟ ।
ସଂସଦକୁ ସମ୍ବୋଧିତ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସରକାରଙ୍କ ମୂଳ ଉଦ୍ଦେଶ୍ୟ ‘ସବକା ସାଥ, ସବକା ବିକାଶ’ ବିଷୟରେ ଚର୍ଚ୍ଚା କରିଥିଲେ । ଭେଦଭାବରୁ ଦୂରେଇ ସମସ୍ତଙ୍କୁ ଭାଇ ଭାଇ ହୋଇ ରହିବା ପାଇଁ ପ୍ରୋତ୍ସାହିତ କରିଥିଲେ। ଗୋଟେ ଦେଶ ଶ୍ରେଷ୍ଠ ଦେଶ ଅନେକତାରେ ଏକତା, ଏହାକୁ ନେଇ 2014ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗଠନର ମୂଳମନ୍ତ୍ର ଦେଇଥିଲେ ‘ସବକା ସାଥ, ସବକା ବିକାଶ’ । ଯଦି ଦେଶକୁ ଆଗକୁ ନେବାର ଅଛି ତେବେ ଦେଶର 121କୋଟି ଜନତାଙ୍କୁ ଏକାଠି ହେବାର ଅଛି । ମୋଦି ସରକାର 5 ବର୍ଷ ଏହି ମନ୍ତ୍ରରେ କାମ କରିଚାଲିଥିଲେ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ଏହାର ପ୍ରତଫଳନ ଦେଖିବାକୁ ମିଳିଥିଲା। ଏହା ସହ ପୂର୍ବ ମନ୍ତ୍ର ସହ ଯୋଡି ଦେଲେ ‘ସବକା ବିଶ୍ବାସ’ ଅର୍ଥ ‘ସବକା ସାଥ୍, ସବକା ବିକାଶ ଓ ସବକା ବିଶ୍ବାସ’ ।