ନୂଆଦିଲ୍ଲୀ: ବଜେଟ ଅଧିବେଶନ ପୂର୍ବରୁ ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧନ କରିଥିଲେ । ପରେ ଫେବୃୟାରୀ ପହିଲାରେ 2020-2021 ଆର୍ଥିକ ବର୍ଷର ବଜେଟ ଆଗତ ପରେ ଏବେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉଭୟ ଗୃହରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିଲା । ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ଲୋକସଭା ପରେ ରାଜ୍ୟସଭାକୁ ସମ୍ବୋଧନ କରିଛନ୍ତି । ରାଜ୍ୟସଭାରେ ଅଭିଭାଷଣ ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଥିଲେ ଲୋକତନ୍ତ୍ରର ତାକତ ଯୋଗୁଁ ଆମ ସଂସଦରରେ ବହୁତ ଭଲ କାମ ହେଉଛି । ଏହା ସମସ୍ତ ସାଂସଦଙ୍କ ପାଇଁ ସମ୍ଭବ ହେଉଛି ବୋଲି ମୋଦି କହିଛନ୍ତି । ଯେଉଁଥି ପାଇଁ ସମସ୍ତ ସାଂସଦଙ୍କୁ ମୋଦି ଅଭିନନ୍ଦନ ଜଣାଇଥିଲେ । ପରେ ବିରୋଧୀଙ୍କୁ ଆକ୍ରମଣ କରି ମୋଦି ନିଜ ଭାଷଣ ଆରମ୍ଭ କରିଥିଲେ ।
ମୋର ବିଶ୍ବାସ ଥିଲା, ଆପଣ ମାନେ (ବିରୋଧୀ) ନୂଆ ଦଶକରେ ବି ନିରାଶ କରିବେ । ଏମିତିକି ଆପଣଙ୍କ ଚିନ୍ତା ଭାବନା ଯେଉଁଠି ଥିଲା ସେଇଠି ଅଛି । କିଛି ପରିବର୍ତ୍ତନ ହୋଇନାହିଁ । ଆପଣ ମାନେ (ବିରୋଧୀ) ଆଗକୁ ବଢିବା ପରିବର୍ତ୍ତେ ଯେଉଁଠି ଥିଲେ ସେହିଠାରୁ ପଛକୁ ଫେରୁଛନ୍ତି ।
ଜମ୍ମୁ କାଶ୍ମୀରକୁ କେନ୍ଦ୍ର ଶାସିତ ରାଜ୍ୟ କରିବା ଉପରେ ଗୁଲାମ ନବୀ ଆଜାଦ କରିଥିବା ଅଭିଯୋଗର ଜବାବ ଦେଇ ମୋଦି କହିଛନ୍ତି, ଆଜାଦ ଯେଉଁ ଅଭିଯୋଗ କରିଛନ୍ତି ସେମିତି ହୋଇନାହିଁ । ଦେଶରେ ପୂରା ଚର୍ଚ୍ଚା ହେଲା । ଗଣମାଧ୍ୟମରେ ବିତର୍କ ହେଲା । ଏହା ପରେ ସଂସଦରେ ଏହାର ନିର୍ଣ୍ଣୟ ନେଲା । ମୋଦି ଗୁଲାମ ନବୀ ଆଜାଦଙ୍କୁ ସ୍ମରଣ କରାଇବା ଉଦ୍ଦେଶ୍ୟରେ କହିଥିଲେ ଯେତେବେଳେ ଦେଶର ଏକ ପୂର୍ଣ୍ଣ ରାଜ୍ୟକୁ ଭାଗ କରି ତେଲେଙ୍ଗାନା ପ୍ରଦେଶ ହୋଇଥିଲା ସେତେବେଳେ କଣ ହୋଇଥିଲା ? ସେତେବେଳେ ସଂସଦର ଅବସ୍ଥା କଣ ଥିଲା । ଟେଲିଭିଜନ ବନ୍ଦ ଥିଲା । ଆଲୋଚନା ହୋଇନଥିଲା । ଯେଉଁ ସମୟରେ ତେଲେଙ୍ଗାନ ପୁର୍ନଗଠନ ବିଲ ପାସ ହୋଇଥିଲା । ସେହି ସମୟରେ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଥିଲେ ଲୋକତନ୍ତ୍ରକୁ କ୍ଷତି ପହଞ୍ଚିଲା ।
ପରେ କାଶ୍ମୀର ପ୍ରସଙ୍ଗ ଉଠାଇ ମୋଦି କହିଥିଲେ ଆମେ ଯାହା ବି ନିଷ୍ପତ୍ତି ନେଇଛୁ ସଂସଦରେ ଆଲୋଚନା କରି ନେଇଛୁ । ଏବେ ପ୍ରଥମ ଥର କାଶ୍ମୀରବାସୀଙ୍କୁ ସଂରକ୍ଷଣ ମିଳିଲା । କାଶ୍ମୀର ଝିଅ ଏବେ ଦେଶର ଯେଉଁ ପ୍ରାନ୍ତରେ ବିବାହ କଲେ ମଧ୍ୟ ନିଜର ସମ୍ପତ୍ତି ହରାଇବାକୁ ପଡିବ ନାହିଁ । ପ୍ରଥମ ଥର କାଶ୍ମୀର ମହିଳାଙ୍କୁ ଏହି ଅଧିକାର ମିଳିଛି । ଏହାସହ ମୋଦି ବିରୋଧୀଙ୍କୁ ଜବାବ ଦେଇ କହିଛନ୍ତି ପ୍ରଥମ ଥର ବିଛିନ୍ନତାବାଦୀ ନେତାଙ୍କୁ ମିଳୁଥିବା ପାଣ୍ଠି ଉପରେ ରୋକ ଲାଗିଛି । କାଶ୍ମୀର ପୋଲିସକୁ ସେହି ଲାଭ ମିଳିଛି ଯେଉଁ ସୁବିଧା ସୁଯୋଗ ଦେଶର ଅନ୍ୟ ପୋଲିସକୁ ମିଳୁଛି । ରାଜ୍ୟପାଳ ଶାସନ ଲାଗୁହେବାର 18 ମାସ ପରେ କାଶ୍ମୀରରେ ପଞ୍ଚାୟତ ନିର୍ବାଚନ ହୋଇଛି । 18 ମାସରେ 2.5 ଲକ୍ଷ ଶୌଚାଳୟ ନିର୍ମାଣ ହୋଇଛି । ଫେବୃୟାରୀରୁ ପେନସନ ସ୍କିମ ଲାଗୁ ହେଇଛି । କାଶ୍ମୀରରେ 24 ହଜାର କୋଠା ଘର ନିର୍ମାଣ ହୋଇଛି ।
ସେହିପରି ନର୍ଥ ଇଷ୍ଟରେ ହିଂସା ସମାପ୍ତ ହୋଇଛି । 25 ରୁ 30 ବର୍ଷ ହେଲା ‘ବ୍ରୁ ଜନଜାତି’ ଙ୍କ ସମସ୍ୟା ସମାଧାନ ହୋଇପାରିଛି । 30 ହଜାର ଲୋକ ଅସୁରକ୍ଷିତ ଜୀବନ ଯାପନ କରୁଥିଲେ । ବ୍ରୁ ଜନଜାତି ଙ୍କ ଦୁଃଖ ଅସୀମିତ ଥିଲା । ହେଲେ ତାଙ୍କ ଭୋଟ ସୀମିତ ଥିଲା, ଯେଉଁ କାରଣ ପାଇଁ ତାଙ୍କୁ ଏହି ଅକଥନୀୟ ନିର୍ଯ୍ୟାତନା ଭୋଗିବାକୁ ପଡୁଥିଲା ବୋଲି ମୋଦି କହିଛନ୍ତି ।
100 ରୁ ଅଧିକ ଲୋକ 3 ଦଶକ ଧରି ଝୁମ୍ପୁଡିରେ ବସବାସ କରୁଥିଲେ । ସେମାନଙ୍କର ଏହା ଭୁଲ ନଥିଲା । ଯଦି କଂଗ୍ରେସ ମିଜୋରାମ ଓ ଅନ୍ୟରାଜ୍ୟରେ ଚାହିଁଥାନ୍ତା ଏହିସବୁ ସମସ୍ୟା ସମାଧାନ କରିପାରିଥାନ୍ତା । କିନ୍ତୁ କଂଗ୍ରେସ ଭୋଟ ବ୍ୟାଙ୍କ ପାଇଁ ଏହିସବୁ ସମସ୍ୟାକୁ ଅଣଦେଖା କରିଥିଲା । ଆମ ସରକାର ଆଜି ଏହି ସବୁ ସମସ୍ୟାର ସ୍ଥାୟୀ ସମାଧାନ କରିଛି । ଆମେ ସବକା ସାଥ, ସବକା ବିଶ୍ବାସ ମନ୍ତ୍ରରେ କାର୍ଯ୍ୟ କରୁଛୁ । ବଡ ସମସ୍ୟାକୁ ସମାଧାନ ପାଇଁ ପରିଶ୍ରମ କରୁଛୁ । ଛୋଟ ଭାବନା କେବେବି ଆପଣଙ୍କ ସାଥ ଦେବ ନାହିଁ । ନିରାଶାବାଦ ଓ ନିରାଶ ଆମର ସାହାଯ୍ୟ କରିବ ନାହିଁ । ଦେଶକୁ ଆଗକୁ ନେବାକୁ ହେଲେ ବଡ ଭାବନା ସହ ବଡ ଚିନ୍ତା କରିବାକୁ ପଡିବ ।