ଚଣ୍ଡିଗଡ଼: ଆଧୁନିକ ଯୁଗରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ। ଜୀବନର ରେସରେ ସ୍ବାର୍ଥବାଦୀ ମଣିଷ ଅନ୍ୟ ବିଷୟରେ ଚିନ୍ତା କରିବାକୁ ଭୁଲି ଯାଇଛି। ତେବେ ଆଜି ବି କିଛି ଏମିତି ଲୋକ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ପାଇଁ ନିଜ ଜୀବନକୁ କରିଛନ୍ତି ଉତ୍ସର୍ଗୀଗୃତ। ଏଭଳି ବ୍ୟକ୍ତିଙ୍କ ପାଇଁ ମାନବ ସେବା ହିଁ ମାଧବ ସେବା। ଏମିତ ହିଁ ଜଣେ ବ୍ୟକ୍ତିତ୍ବ ହେଉଛନ୍ତି କୁରୁକ୍ଷେତ୍ରର ଦପଖେଡ଼ିା ଗାଁ ବାସିନ୍ଦା ପରଗଟ ସିଂହ। ଜୀବନକୁ ଖାତିର ନକରି ନଦୀରୁ ହଜାର ହଜାର ମୃତଦେହ ଉଦ୍ଧାର କରିଛନ୍ତି। ମୃତଦେହ ସହ ନଦୀରୁ ସେ ବହୁ କୁମ୍ଭୀର ଉଦ୍ଧାର କରି ସ୍ଥାନୀୟ ପାର୍କକୁ ହସ୍ତାନ୍ତର କରିଛନ୍ତି। ନିଜ ଅଞ୍ଚଳରେ ସେ ପରଗଟ ଗୋତାଖର ଭାବରେ ପରିଚିତ।
ସେ ଏହି କାମ ପ୍ରାୟ 17ରୁ 18 ବର୍ଷ ହେଲା କରି ଆସୁଛନ୍ତି। ପଞ୍ଜାବ ଆମ୍ବାଲା ଓ କୁରୁକ୍ଷେତ୍ର ଦେଇ ଯାଇଥିବା ଏହି କେନାଲରୁ ଅନେକ ମୃତଦେହ ସେ ଉଦ୍ଧାର କରିଛନ୍ତି। ଏହାସହ 1665 ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରି ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି।
ହରିଆଣାରେ ପ୍ରତିବର୍ଷ ନଦୀରେ ବୁଡ଼ିବା ଯୋଗୁଁ ଶହଶହ ଲୋକ ପ୍ରାଣ ହରାଇଥାନ୍ତି। କିଛି ଲୋକ ଗାଧୋଇବା ବେଳେ ବୁଡ଼ି ଯାଇଥାଆନ୍ତି ତ, କିଛି ସନ୍ଦିଗ୍ଧ ଭାବରେ ନଦୀରେ ଭାଷି ଆସିଥାଆନ୍ତି। ପରଗଟ ସିଂହ ଏଭଳି ହିଁ ଅଜଣା ମୃତଦେହଗୁଡ଼ିକୁ ନଦୀରୁ ଉଦ୍ଧାର କରିଥାନ୍ତି। ବର୍ତ୍ତମାନ ସୁଦ୍ଧା ସେ 11 ହଜାର 832ଟି ମୃତଦେହ ଉଦ୍ଧାର କରିସାରିଛନ୍ତି। ପାଣିରେ ସଢ଼ିଯାଇଥିବା, ମୃତଦେହ , ଯାହାକୁ କେହି ଦେଖିବା କଷ୍ଟକର ହୋଇପଡ଼େ ସେଭଳି ମୃତଦେହକୁ ପରଗଟ ସିଂହ ଉଦ୍ଧାର ନିଜ ଖର୍ଚ୍ଚରେ ପୋଷ୍ଟମୋର୍ଟମ ପାଇଁ ପଠାଇଥାନ୍ତି। ପରଗଟ କେବଳ ମୃତଦେହ ଉଦ୍ଧାର କରନ୍ତିନି ସେ ନଦୀରେ ବୁଡ଼ି ଯାଉଥିବା ଲୋକଙ୍କୁ ମଧ୍ୟ ବଞ୍ଚାଇଛନ୍ତି। ବର୍ତ୍ତମାନ ସୁଦ୍ଧା ସେ 1665 ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି।
ଖାଲି ସେତିକି ନୁହେଁ, ପରଗଟ ସିଂହ ରହୁଥିବା ଅଞ୍ଚଳରେ ଏସ ୱାଇ ଏଲ(syl) ଓ ଭାକ୍ରା ନଙ୍ଗଲ ଡ୍ୟାମରୁ ବନ୍ୟା ଆସି ଯାଇଥାଏ। ଏଭଳି ସମୟରେ ବହୁ କୁମ୍ଭୀର କ୍ୟାନାଲକୁ ଭାସି ଆସିଥାଆନ୍ତି। ସେହି ରକ୍ତମୁଖା କୁମ୍ଭୀରଙ୍କୁ ପରଗଟ ଉଦ୍ଧାର କରି ସ୍ଥାନୀୟ କୁମ୍ଭୀର ପ୍ରଜନନ କେନ୍ଦ୍ରକୁ ପଠାଇଛନ୍ତି।
ବନ୍ୟା ସମୟରେ ଏହି ଅଞ୍ଚଳକୁ କୁମ୍ଭୀର ଚାଲି ଆସନ୍ତି। ଫଳରେ ଲୋକଙ୍କ ଜୀବନ ବିପଜ୍ଜନକ ହୋଇପଡ଼େ। କେନାଲ ଭିତରେ ବହୁ ମୃତଦେହକୁ ସେମାନେ ଖାଦ୍ୟ ଭାବେ ବ୍ୟବହାର କରିଥାନ୍ତି। ଫଳରେ କେନାଲ ନିକଟରେ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥାଏ। ପରଗଟ ସିଂହ ସେହି କୁମ୍ଭୀରକୁ ଉଦ୍ଧାର କରି ସ୍ଥାନୀୟ ଅଧିକାରୀଙ୍କୁ ହସ୍ତାନ୍ତର କରିଥାନ୍ତି।