ଲକ୍ ଡାଉନ ସମୟରେ ପିଲାଙ୍କ ସହ କେମିତି ସମୟ କାଟିବେ ଅଭିଭାବକ । କ୍ରମାଗତ ତିନି ସପ୍ତାହ ଘରେ ରହିବା କାହାକୁ ବି ଭଲ ଲାଗିବ ନାହିଁ । ବିଶେଷ କରି ସ୍କୁଲ, ଟିଉସନ ଯାଉଥିବା ଓ ସାଙ୍ଗସାଥୀମାନଙ୍କ ସହ ମିଶି ସମୟ କାଟୁଥିବା ଛୋଟ ପିଲା ଓ କିଶୋରମାନଙ୍କ ଲାଗି ତ ଏଭଳି ସ୍ଥିତି ବେଶ କଷ୍ଟକର । ଲକ୍ ଡାଉନ୍ ଯୋଗୁଁ ସ୍କୁଲ୍ ଏବେ ବନ୍ଦ ଥିବାରୁ ସେମାନେ ବାହାରକୁ ବାହାରି ପାରୁନାହାନ୍ତି କି ସାଙ୍ଗସାଥୀଙ୍କୁ ମିଶି ପାରୁନାହାନ୍ତି । ଘରେ ରହିବା ଦ୍ୱାରା ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହେଉଛି । ସେମାନେ ଚିଡଚିଡା ହେବା ସହ ମାନସିକ ଅବସାଦ ଅନୁଭବ କରୁଛନ୍ତି । ଏଭଳି ଏକ ଜଟିଳ ସ୍ଥିତିରେ ବାପାମାଆ ଓ ଅଭିଭାବକଙ୍କ ଦାୟିତ୍ୱ ବଢିଯାଇଛି । ପିଲାମାନଙ୍କ ପ୍ରତି ସେମାନେ ଧୈର୍ଯ୍ୟର ସହ ଆହୁରି ସ୍ନେହଶୀଳ ଓ ଯତ୍ନବାନ ହେବା ଜରୁରୀ ହୋଇଛି ।
ସ୍କୁଲ ବନ୍ଦ ଥିବାରୁ ଓ ହାତରେ ପ୍ରଚୁର ସମୟ ଥିବାରୁ ପିଲାମାନଙ୍କ ସହ ସଂପର୍କ ବଢାଇବା ବାପାମାଆଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି । ପିଲାମାନେ ଯେପରି ଅଧିକ ସ୍ନେହଶ୍ରଦ୍ଧା ପାଇ ସୁରକ୍ଷିତ ମନେକରିପାରିବେ, ସେଥିପ୍ରତି ଧ୍ୟାନ ଦେବା ପାଇଁ ବାପାମାଆଙ୍କ ନିମନ୍ତେ ସୁଯୋଗ ସୃଷ୍ଟି ହୋଇଛି । ଏ ଦିଗରେ ବାପାମାଆଙ୍କ ସହାୟତା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ, ୟୁନିସେଫ, ପ୍ୟାରେଣ୍ଟିଂ ଫର୍ ଲାଇଫ ଲଙ୍ଗ ହେଲ୍ଥ, ଇଣ୍ଟରନେଟ୍ ଅଫ୍ ଗୁଡ୍ ଥିଙ୍ଗସ୍ , ସିଡିସି ଓ ଆକସେଲରେଟ୍ ଭଳି ସଂସ୍ଥା ଆଗେଇ ଆସି କିଛି ପ୍ରସ୍ତାବ ଦେଇଛନ୍ତି ।
ସାମାଜିକ ଦୂରତା ନିୟମ ପାଳନ ପୂର୍ବକ ପିଲାମାନଙ୍କ ସହ କିଛି ସମୟ ବିତାଇବାକୁ ପ୍ରସ୍ତାବ ଦିଆଯାଇଛି । ୨୦ ମିନିଟରୁ ଅଧିକ ସମୟ ପିଲାମାନଙ୍କ ସହ କଥା ହୋଇ ସେମାନେ କଣ କରିବାକୁ ଚାହିଁବେ, ତାହା ପଚାରିବାକୁ ପରାମର୍ଶ ଦିଆଯାଇଛି । ଛୋଟ ଛୁଆମାନଙ୍କ ମନ ଖୁସି କରିବା ପାଇଁ ଗୀତଟିଏ ବୋଲିବା ସହ ବିଭିନ୍ନ ଥାଳି ଓ ଚାମଚରେ ବାଜା ବଜାଇ ମନୋରଂଜନ କରିହେବ । ଏପରିକି ଷ୍ଟାକ୍ ଓ ବ୍ଲକ୍ ରେ ସେମାନଙ୍କ ସହ ଖେଳିବା ଓ ଗପ ବହି ପଢିବା ଉଚିତ । କିଶୋରମାନଙ୍କୁ ସେମାନଙ୍କ ମନ ପସନ୍ଦର ଖେଳ, ଟିଭି ଶୋ ଓ ବନ୍ଧୁମାନଙ୍କ ସଂପର୍କରେ କହି ସେମାନଙ୍କୁ ବ୍ୟସ୍ତ ରଖିହେବ । ଘର ଭିତରେ ଚାଲବୁଲ କରିବା ଓ ମିଳିତ ଭାବେ ବ୍ୟାୟାମ କଲେ ତ ଆହୁରି ଭଲ । କିଛି ସମୟ ପାଇଁ ଟିଭି ଓ ମୋବାଇଲ ବନ୍ଦ କରି ସେହି ସମୟରେ ବହିଟିଏ ପଢିବା, ଗୋଟିଏ ଚିତ୍ରକୁ ଉପଭୋଗ କରିବା ସହ ଗୀତନାଚ ପାଇଁ ପିଲାମାନଙ୍କୁ କୁହାଯାଇପାରିବ । ରୋଷେଇ ଓ ସଫାସୁତୁରା ଭଳି ବିଭିନ୍ନ କାମରେ ପିଲାମାନଙ୍କୁ ଲଗାଇପାରିଲେ ଆହୁରି ଭଲ ହେବ । ହେଲେ ପିଲାମାନଙ୍କୁ ସେମାନଙ୍କ ପାଠପଢା ଓ ହୋମବାର୍କରେ ସାହାଯ୍ୟ କରିବା ହିଁ ବଡକଥା ।
ସାଂପ୍ରତିକ ସ୍ଥିତି ପିଲାମାନଙ୍କ ସହ ବାପାମାଆଙ୍କ ପାଇଁ ମଧ୍ୟ ବେଶ ଆହ୍ୱାନମୂଳକ । ପିଲାମାନଙ୍କୁ ବାପାମାଆମାନେ ଅନେକ ସମୟରେ ଏଇୟା କର, ସେୟା କର ନାହିଁ ବୋଲି ବିରକ୍ତ ହୋଇ କହୁଥିବା ଦେଖାଯାଇଥାଏ । ହେଲେ ଏଥିରୁ ସେମାନେ ବିରତ ହୋଇ ପିଲାମାନଙ୍କ ପ୍ରତି ସକାରାତ୍ମକ ମନୋଭାବ ଆପଣାଇବାକୁ ପଡିବ। ସ୍ଥଳ ବିଶେଷରେ ପିଲାମାନଙ୍କୁ ପ୍ରଶଂସା କରିବାକୁ ହେବ । ଯାହା ଫଳରେ ପିଲାମାନେ ଉତ୍ସାହିତ ହେବେ । କୌଣସି କାମ ପାଇଁ ପିଲାମାନଙ୍କୁ ବଡ ପାଟି କରି ହୁକୁମ ଦେବା ବଦଳରେ ସେମାନଙ୍କୁ ଧୀରେ ସୁସ୍ଥେ ଅନୁରୋଧ କରିବା ଦରକାର । ବଡପାଟି କରି ଚିଡଚିଡା ଭାବେ ପିଲାମାନଙ୍କୁ କହିଲେ, ସେମାନେ ରୋଷ କରିବା ସହ ଭୟଭୀତ ହୋଇପଡିବେ । ତେଣୁ ବାପାମାଆଙ୍କୁ ଏହି ଦିଗ ପ୍ରତି ଧ୍ୟାନ ଦେବା ବେଶ୍ ଗୁରୁତ୍ୱପୂର୍ଣ । ବଢିଲା କିଶୋର ମାନଙ୍କୁ ବାପାମାଆ ମାନେ ବନ୍ଧୁ ଭଳି ବ୍ୟବହାର କରିବାକୁ ପଡିବ। ଯାହାଫଳରେ ସେମାନେ ନିଜର ଭାବନା ବିନା ଦ୍ବିଧାରେ ବାପା ମାଆଙ୍କୁ କହିପାରିବେ ।
ପିଲାମାନେ ଯେପରି ସଂରଚିତ କାମରେ ନିୟୋଜିତ ହୋଇପାରିବେ, ସେଥିପାଇଁ ଉପାୟ କରିବାକୁ ବାପାମାଆଙ୍କୁ ପରାମର୍ଶ ଦିଆଯାଇଛି । ଏଭଳି ହେଲେ ପିଲାମାନେ ନିଜକୁ ଅଧିକ ସୁରକ୍ଷିତ ମନେ କରି ଭଲ ବ୍ୟବହାର କରିପାରିବେ । ପ୍ରତିଦିନ ବ୍ୟାୟାମ କଲେ ପିଲାମାନେ ପ୍ରଫୁଲ୍ଲିତ ହେବେ ଓ ସେମାନଙ୍କ ଅବସାଦ ଦୂର ହୋଇପାରିବ । ଚିତ୍ରାଙ୍କନ, ପତ୍ର ଲିଖନ ଭଳି କାମରେ ପିଲାମାନଙ୍କୁ ସାହାଯ୍ୟ କରାଯାଇପାରେ । ସେମାନଙ୍କ ଫଟୋ ଉଠାଇ ପଠାଇଲେ ପିଲାମାନେ ବେଶ୍ ଆନନ୍ଦିତ ହେବେ । ହାତଧୁଆ ଓ ସଫାସୁତୁରାକୁ ପିଲାମାନେ ସହଜରେ ଯେପରି ଗ୍ରହଣ କରିପାରିବେ, ସେ ଦିଗରେ ବି ବାପାମାଆ ଉଦ୍ୟମ କରିବା ଦରକାର । ଆଜିକାଲି ହାତଧୁଆ ଓ ସାମାଜିକ ଦୂରତ୍ୱ କାହିଁକି ଗୁରୁତ୍ୱପୂର୍ଣ୍ଣ , ସେ ନେଇ ବାପାମାଆ ମାନେ ପିଲାଙ୍କୁ ବୁଝାଇବା ଦରକାର । ହେଲେ ନିଜେ ବାପାମାଆ ମଧ୍ୟ ନିୟମ ମାନି ଚଳିବା ଦରକାର । ତାହା ହେଲେ ହିଁ ସେମାନେ ପିଲାମାନଙ୍କ ଆଦର୍ଶ ହୋଇପାରିବେ । ପ୍ରତିଦିନ ପିଲାମାନଙ୍କୁ ବାପା ମାଆମାନେ କହିବା ଉଚିତ ଯେ ସେମାନେ ସେଦିନ କଣ ଭଲ କାମ କଲେ । ଏହାଦ୍ୱାରା ପିଲାମାନଙ୍କ ଉପରେ ବେଶ୍ ସକାରାତ୍ମକ ପ୍ରଭାବ ପଡିଥାଏ ।
ପିଲାମାନେ ଖରାପ ବ୍ୟବହାର କରିବା ସାଧାରଣ କଥା । ଭୋକ ହେଉଥିଲା ବେଳେ , କ୍ଲାନ୍ତ ହୋଇଯାଇଥିଲା ବେଳେ ଓ କିଛି ନୂଆ କଥା ଶିଖିଲା ବେଳେ ପିଲାମାନେ ଖରାପ ବ୍ୟବହାର କରନ୍ତି । ଅଧିକ ସମୟ ଘରେ ରହି ବୋର୍ ହେଲେ ବି ପିଲାମାନେ ଖରାପ ବ୍ୟବହାର କରନ୍ତି । ଏଣୁ ପିଲାମାନଙ୍କ ସହ ଅଧିକରୁ ଅଧିକ ସମୟ ବିତାଇବା ଦରକାର । ଜଟିଳ ପରିସ୍ଥିତିରେ ବାପାମାଆମାନେ ବି ଶାନ୍ତ ଓ ସ୍ଥିର ରହିବା ଦରକାର । ଏଥିପାଇଁ ସେମାନେ ଧୀରେ ସୁସ୍ଥେ ପିଲାମାନଙ୍କ ସମସ୍ୟା ବୁଝି ସେମାନଙ୍କୁ ବୋଧ ଦେବା ଆବଶ୍ୟକ । ପିଲାମାନେ ଏହା ହିଁ ତ ବାପାମାଆଙ୍କ ଠାରୁ ଆଶା କରନ୍ତି । ବାପାମାଆମାନେ ଅଯଥା ଆଶଙ୍କାରୁ ଦୂରେଇ ରହିବା ପାଇଁ ସୋସିଆଲ୍ ମିଡିଆକୁ ଆଭଏଡ୍ କଲେ ଭଲ । ପରିବାରରେ ସମସ୍ତେ ଗୋଟିଏ ଜାଗାରେ ରହିଲେ ଭିଡ ହୁଏ । ଏ କ୍ଷେତ୍ରରେ ଆରାମ ପାଇଁ ବାପାମାଆଙ୍କୁ ଅଲଗା ବାଟ ଦେଖିବାକୁ ପଡିବ । କିନ୍ତୁ ମଦ୍ୟପାନ କରିବା ଏହାର ସମାଧାନ ନୁହେଁ । ଏହାଦ୍ୱାରା ମଣିଷ ରାଗିଯାଏ, ମାରପିଟ୍ କରେ ।
ନିଜ ମନମସ୍ତିଷ୍କକୁ ସ୍ଥିର ରଖିବାକୁ ଗୋଟିଏ ମିନିଟ୍ ର ବିଶ୍ରାମମୂଳକ କାମ କରାଯାଇପାରେ । ନିଜର ଭାବନା ନେଇ ଆପଣ ଆତ୍ମଚିନ୍ତନ କରନ୍ତୁ । ଜଣେ ଭାବପ୍ରବଣ ହୋଇ କଣ ଚିନ୍ତା କରେ, ତାହା ଆପଣ ଜାଣିପାରିବେ ।ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ଆଗଭର ହୁ୍ଅନ୍ତୁ । ପିଲାମାନେ ହୁଏ ତ କିଛି କଥା ଜାଣିଥାଇପାରନ୍ତି । ନୀରବତା ଓ ଗୋପନୀୟତା ଦ୍ୱାରା ପିଲାଙ୍କୁ ସୁରକ୍ଷା ଦିଆଯାଇପାରିବ ନାହିଁ । କେବଳ ମୁକ୍ତ ବିଚାର ହିଁ ସେମାନଙ୍କୁ ସହାୟକ ହୋଉପାରିବ । ସେମାନଙ୍କ ପ୍ରଶ୍ନର ଉତର ସବୁବେଳେ ସଚ୍ଚୋଟତାର ଦେବା ଆବଶ୍ୟକ । ସବୁବେଳେ ଉତ୍ତର ନ ଜାଣିବା ବି ଭଲ । ବେଳେବେଳେ ପିଲାମାନେ ସେହି ଏକା ପ୍ରଶ୍ନ ଏକାଧିକ ଥର ପଚାରିପାରନ୍ତି । ବିଚଳିତ ନ ହୋଇ ଧୀରସ୍ଥିର ଭାବେ ପିଲାମାନଙ୍କ ପ୍ରଶ୍ନର ଉତ୍ତର ଦେବା ଜରୁରୀ, ଯାହା କି ସେମାନଙ୍କ ମଧ୍ୟରେ ଆତ୍ମପ୍ରତ୍ୟୟ ସୃଷ୍ଟି ହେବ ।