ଦୀର୍ଘ ଦିନ ତଳେ, ଥରେ ପପୁ ଯାଦବ କହିଥିଲେ ଯେ ସେ ଯଦି ରାଜନେତା ହୋଇ ନଥାଆନ୍ତେ, ତେବେ ଜଣେ ସମାଜସେବୀ ହୋଇଥାଆନ୍ତେ । ଦୁର୍ଭାଗ୍ୟବଶତଃ, ସେ ରାଜନୀତିରେ ଯୋଗ ଦେଲେ, କିନ୍ତୁ ତାଙ୍କ ସମାଜସେବା ଅବ୍ୟାହତ ରଖିଲେ । ହେଲେ, ସେ ସ୍ବୀକାର କରିଥିଲେ ଯେ, ସେ ଏକ ଅପ୍ରତ୍ୟାଶିତ କ୍ଷେପଣାସ୍ତ୍ର ଏବଂ ଯେ କୌଣସି ଦିଗକୁ ଯାଇପାରନ୍ତି । ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିବା ଜନ ଅଧିକାର ପାର୍ଟିର ଅଧ୍ୟକ୍ଷ ଆଜି ଈଟିଭି ଭାରତ ସହ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ସ୍ବୀକାର କରିଛନ୍ତି ଯେ, ଲୋକେ ତାଙ୍କୁ ଏକ ଦିଗହରା ଏବଂ ଅକଳନୀୟ କ୍ଷେପଣାସ୍ତ୍ର ବୋଲି କହିଲେ ସେ କିଛି ମନେ କରନ୍ତି ନାହିଁ, ବରଂ ଏଥିରେ ଗର୍ବିତ ହୁଅନ୍ତି ।
ତେବେ ତାଙ୍କର ଏହି ସ୍ବୀକାରୋକ୍ତି ପାଇଁ ସେ କୌଣସି ସନ୍ତୋଷଜନକ ତାର୍କିକ ତଥ୍ୟ ଦିଅନ୍ତି ନାହିଁ । କିନ୍ତୁ ଅପ୍ରତ୍ୟାଶିତ ଅସ୍ତ୍ର ରୂପେ ବିବେଚିତ ଯୁବ ଗୋଷ୍ଠୀ ଓ ସେ ନିଜେ ହିଁ ବିହାରର ଯୁବ ପିଢ଼ି ଲାଗି ଆଦର୍ଶ ପାଲଟିଛନ୍ତି ବୋଲି ଜୋର ଦେଇ କହନ୍ତି । କୌତୁହଳର କଥା ଯେ, ବିଭିନ୍ନ ଅବସରରେ ସେ ତେଜସ୍ବୀ ପ୍ରସାଦ ଯାଦବଙ୍କ ଭଳି ଯୁବନେତାମାନଙ୍କୁ ତୀବ୍ର ସମାଲୋଚନା କରିଆସିଛନ୍ତି । ଆର୍ଜେଡିରେ ଥିବା ସମୟରେ, ବିଭିନ୍ନ ଅବସରରେ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ପପୁ, ଲାଲୁ ପ୍ରସାଦଙ୍କୁ ବିରୋଧ କରିଥିଲେ ଏବଂ ଦଳ ବିରୋଧରେ କହିଥିଲେ । ବାସ୍ତବରେ ସେ ଥରେ ଘୋଷଣା କରିଥିଲେ ଯେ ଲାଲୁଙ୍କ ବ୍ୟତୀତ ଦଳର ଅନ୍ୟ କୌଣସି ନେତାଙ୍କୁ ସେ ଖାତିର କରନ୍ତି ନାହିଁ । କେବଳ ଲାଲୁ ନୁହଁନ୍ତି, ବିହାରର ଅଧିକାଂଶ ନେତାଙ୍କ ସଂପର୍କରେ ସ୍ପଷ୍ଟ ମତାମତ ରଖନ୍ତି ପାଞ୍ଚ ଥର ସାଂସଦ ଏବଂ ଥରେ ବିଧାୟକ ନିର୍ବାଚିତ ହୋଇଥିବା ପପୁ ଯାଦବ । ଏକଦା ବିହାରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜିତେନ ରାମ ମାଂଝୀଙ୍କୁ ‘ନକାରା’ (ଅକର୍ମା) ବ୍ୟକ୍ତି ବୋଲି ବର୍ଣ୍ଣନା କରିଥିଲେ ମାଧେପୁରାର ପୂର୍ବତନ ସାଂସଦ ରାଜେଶ ରଞ୍ଜନ ଯାଦବ ଓରଫ ପପୁ ।
କୌତୁହଳର କଥା ଯେ, ଡକାୟତିରୁ ନେଇ ମୁଣ୍ଡଜାମିନ ରଖି ଟଙ୍କା ଆଦାୟ ପର୍ଯ୍ୟନ୍ତ ବିଭିନ୍ନ ଅପରାଧ ଅଭିଯୋଗରେ ତାଙ୍କ ନିଜର ହିଁ ଏକ ବିବାଦୀୟ ପୃଷ୍ଠଭୂମି ରହିଛି । ଏତେ ଅର୍ଥ ସେ କେଉଁଠୁ ପାଆନ୍ତି ବୋଲି ପ୍ରଶ୍ନର ଉତ୍ତରରେ ସେ ସ୍ପଷ୍ଟ କରିଦେଇଥିଲେ ଯେ. ତାଙ୍କ ନିଜର ଜମି ବିକି ସେ ସେହି ଅର୍ଥ ଗରିବଙ୍କ ମଧ୍ୟରେ ବାଣ୍ଟି ଦେଇଛନ୍ତି । ହେଲେ, ପପୁ କହିଛନ୍ତି ଯେ, ସେ ଜଣେ ଡନ୍ କି ରବୀନ ହୁଡ୍ ନୁହଁନ୍ତି, କିନ୍ତୁ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥା, ସାମନ୍ତବାଦୀ ମାନସିକତା ଏବଂ ଅନିୟନ୍ତ୍ରିତ ଅମଲାତନ୍ତ୍ର ବିରୋଧରେ ତାଙ୍କ ସଂଗ୍ରାମ ଅବ୍ୟାହତ ରହିବ । ପୂର୍ବରୁ ଅନେକ ସମୟରେ ସେ କହିଥିଲେ ଯେ ତାଙ୍କର ଦାନଧର୍ମ କାର୍ଯ୍ୟରେ ଈର୍ଷାନ୍ବିତ ଲୋକେ ହିଁ ତାଙ୍କୁ ଡନ୍ ରୂପରେ ଚିତ୍ରଣ କରୁଛନ୍ତି । କଂଗ୍ରେସ ନେତା ଏବଂ ପୂର୍ବତନ ସାଂସଦ ରଞ୍ଜିତ ରଞ୍ଜନଙ୍କୁ ସେ 1994ରେ ବିବାହ କରିଥିଲେ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କୁ ଆକ୍ରମଣ କରିବାର କୌଣସି ଅବସରକୁ ପପୁ ହାତଛଡ଼ା କରନ୍ତି ନାହିଁ ।