ଓଡିଶା

odisha

ETV Bharat / bharat

ଚୀନ ସହ ଭାରତର ଶତ୍ରୁତା ବଢୁଥିବା ବେଳେ ପାକିସ୍ତାନର ଭୂମିକା

ବର୍ତ୍ତମାନ ପରିସ୍ଥିତିରେ ଚୀନ ସହ ଭାରତର ଶତୃତା ବଢୁଥିବାବେଳେ, ପାକିସ୍ତାନୀ ସେନା ମଧ୍ୟ ସୀମାର ଅନେକ ସ୍ଥାନରେ ଗୁଳିଗୋଳା ବର୍ଷଣ କରିବା ସହ ଭାରୀ ଅସ୍ତ୍ରଶସ୍ତ୍ର ମଧ୍ୟ ବ୍ୟବହାର କରୁଛନ୍ତି। ଅଧିତ ପଢନ୍ତୁ...

ଚୀନ ସହ ଭାରତର ଶତ୍ରୁତା ବଢୁଥିବା ବେଳେ ପାକିସ୍ତାନର ଭୂମିକା
ଚୀନ ସହ ଭାରତର ଶତ୍ରୁତା ବଢୁଥିବା ବେଳେ ପାକିସ୍ତାନର ଭୂମିକା

By

Published : Aug 25, 2020, 9:45 AM IST

ଚୀନକୁ ସୁପର ପାୱାର ବା ବୃହତ ଶକ୍ତିରେ ପରିଣତ କରିବା ପାଇଁ ରାଷ୍ଟ୍ରପତି ସି ଜିନପିଙ୍ଗ ଏବେ ଅତ୍ୟନ୍ତ ବ୍ୟାକୁଳ। ଅର୍ଥନୈତିକ କ୍ଷେତ୍ରରେ ଚୀନର ବିକାଶ ଉଲ୍ଲେଖନୀୟ ହୋଇଥିବାରୁ ଅନେକ ଦେଶ ଏବେ ଚୀନ ନିର୍ମିତ ସାମଗ୍ରୀ ଉପରେ ନିର୍ଭରଶୀଳ। ଯାହାଫଳରେ ବିଶ୍ବର ଅନେକ ଅର୍ଥନୈତିକ ସମୃଦ୍ଧ ରାଷ୍ଟ୍ରକୁ ପଛରେ ପକାଇ ଚୀନ ଏବେ ବିଶ୍ବର ଦ୍ବିତୀୟ ସର୍ବବୃହତ ଅର୍ଥନୀତି ହୋଇପାରିଛି । ହେଲେ ଏସିଆ, ଆଫ୍ରିକା, ୟୁରୋପ, ମଧ୍ୟ ପ୍ରାଚ୍ୟ ଏବଂ ଆମେରିକା ଦେଇ ଯିବାକୁ ଥିବା ଜିନପିଙ୍ଗଙ୍କ ସ୍ବପ୍ନର ପ୍ରକଳ୍ପ ବେଲଟ ଆଣ୍ଡ ରୋଡ ଇନିସିଏଟିଭି (BRI)ରେ ସାମିଲ ହେବାକୁ ଭାରତ ମନା କରିଦେବା ପରଠାରୁ ଭାରତ ସହିତ ଚୀନର ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଏକ ବିସ୍ତାରବାଦୀ ରାଷ୍ଟ୍ର ଭାବେ ଚୀନ ବିଆରଆଇ ଜରିଆରେ ତାହାର ପ୍ରଭାବ ଅଞ୍ଚଳରେ ଦିନକୁ ଦିନ ବଢାଇବାକୁ ଚାହିଁଛି। ଏହି କ୍ରମରେ ଶ୍ରୀଲଙ୍କାରେ ହମବଣ୍ଚୋଟା ବନ୍ଦର ଏବଂ ପାକିସ୍ତାନର ଗାଦର ବନ୍ଦର ନିର୍ମାଣ ପାଇ ଚୀନର ଆଗଭର କିଛିଟା ଦୃଷ୍ଟାନ୍ତ ମାତ୍ର।

ବିଆରଆଇ ପ୍ରକଳ୍ପ ବାଦ ଅନ୍ୟ ବି କିଛି କାରଣ ରହିଛି। ଶାସକ ଭାରତୀୟ ଜନତା ପାର୍ଟି (ବିଜେପି)ର ଦୁଇ ଜଣ ପ୍ରମୁଖ ସାଂସଦ ମେ’ ମାସରେ ତାଇୱାନ ରାଷ୍ଟ୍ରପତିଙ୍କ ଭର୍ଚୁଆଲ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା, ଜୁନ ମାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ରାଷ୍ଟ୍ରପତି ଟ୍ରମ୍ପ କଥା ହେବା ଏବଂ ତାଙ୍କୁ ଜି-7 ଶୀର୍ଷ ବୈଠକରେ ଯୋଗ ଦେବାକୁ ଆମନ୍ତ୍ରଣ କରିବା ସହ ଟେଲିଫୋନ ବାର୍ତ୍ତାଳାପ ଆଦି ଅନେକ ପ୍ରସଙ୍ଗ ଭାରତ-ଚୀନ ବିବାଦ ବଢିବାର ଅନ୍ୟ କିଛି କାରଣ ହୋଇପାରେ। ଏଥିସହିତ ଜୁନ ମାସରେ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସହିତ ଏକ ଭର୍ଚୁଆଲ ଶିଖର ବୈଠକରେ ଆଲୋଚନା କରିଥିଲେ। କୋରୋନା ଭୂତାଣୁ ସଂକ୍ରମଣ କରିବାରେ ଚୀନକୁ ଦାୟୀ କରୁଥିବା କାରଣରୁ ଚୀନ ସହିତ ଅଷ୍ଟ୍ରେଲିଆର ସମ୍ପର୍କ ମଧ୍ୟ ବିବାଦୀୟ ହୋଇ ରହିଛି। ଏସବୁ ଭିତରେ ଚୀନ ଭାବୁଛି ଭାରତ ଧୀରେ ଧୀରେ ଆମେରିକା ଆଡ଼କୁ ଢଳିବାରେ ଲାଗିଛି।

ଅର୍ଥନୈତିକ କ୍ଷମତା ପ୍ରଦର୍ଶନ ପରେ ଚୀନ ତାହାର ସାମରିକ ଶକ୍ତି ମଧ୍ୟ ଦେଖାଇବାକୁ ଚାହୁଁଛି । ଏଥିପାଇଁ ତାଇୱାନ, ଭିଏତନାମ ଏବଂ ଜାପାନକୁ ଧମକ ଦେଇ ଦକ୍ଷିଣ ଚାଇନା ସାଗରରେ ଶକ୍ତି ପ୍ରଦର୍ଶନ କରିବା ସହ ଚୀନ ସେନା ମନ୍ଦ ଉଦ୍ଦେଶ୍ୟ ରଖି ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିଥିଲା। ଏପରିକି କେତେକ ଅଞ୍ଚଳ ଦଖଲ କରିବା ସହ ଭାରତକୁ ସୀମାରେ ହଇରାଣ ହରକତ କରିଥିଲେ ଚୀନ ସେନା । ପିଏଲଏ ବାହିନୀ ଗଲୱାନ ଉପତ୍ୟକା ଅତିକ୍ରମଣ କରିବା ପରେ ଦୁଇ ଦେଶ ମଧ୍ୟରେ ଅନେକ ଥର କମାଣ୍ଡର ସ୍ତରୀୟ କଥାବାର୍ତ୍ତା ହୋଇଛି। ଶେଷରେ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଏବଂ ଚୀନ ପ୍ରତିପକ୍ଷଙ୍କ ମଧ୍ୟରେ ଆଲୋଚନାରେ ଦୁଇ ଦେଶର ସେନା ନିଜ ନିଜ ସ୍ଥାନକୁ ହଟିଯିବା ପାଇଁ ରାଜି ହୋଇଥିଲେ। ନିଷ୍ପତ୍ତି କ୍ରମେ ଚୀନ ସେନା କିଛି ଅଞ୍ଚଳରେ ପଛକୁ ହଟିଛନ୍ତି, କିନ୍ତୁ ସେନା ପ୍ରତ୍ୟାହାର ସମ୍ପୂର୍ଣ୍ଣ ହୋଇନାହିଁ ଏବଂ କେତେକ ଅଞ୍ଚଳକୁ ଚୀନୀ ସେନା ଏବେ ବି ଦଖଲରେ ରଖିଛନ୍ତି ଯେଉଁଠି ଭାରତୀୟ ସେନା ଦିନ ରାତି ପହରା ଦେଉଛନ୍ତି।

ଇତିମଧ୍ୟରେ ଭାରତର ଚୀର ଶତ୍ରୁ ରହି ଆସିଥିବା ପାକିସ୍ତାନ, ଯେ କି ଅନେକ କ୍ଷେତ୍ରରେ ଚୀନଠାରୁ ସାହାଯ୍ୟ ସହଯୋଗ ପାଇ ଆସୁଛି, ଏଭଳି ସ୍ଥିତିରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ବଢାଇବାରେ ଲାଗିପଡିଛି। ପାକିସ୍ତାନୀ ସେନା ସୀମାର ଅନେକ ସ୍ଥାନରେ ଗୁଳିଗୋଳା ବର୍ଷଣ କରିବା ସହ ଭାରୀ ଅସ୍ତ୍ରଶସ୍ତ୍ର ମଧ୍ୟ ବ୍ୟବହାର କରୁଛନ୍ତି। 2020 ଜୁନ ମାସରେ ସୀମା ସୁରକ୍ଷା ବାହିନୀ (ବିଏସଏଫ) ଏକ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇ ଦେଇଥିଲେ। ଆଇଏସଆଇ ସମର୍ଥିତ ଆତଙ୍କବାଦୀଙ୍କୁ ଯୋଗାଇଦେବା ପାଇଁ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଏହି ଡ୍ରୋନରେ ପଠାଯାଉଥିଲା। ମିଳିଥିବା ରିପୋର୍ଟ ମୁତାବକ ଜୁନ ମାସରେ କେବଳ ପ୍ରାୟ 150 ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି । ସୀମା ପାର ଗୁଳିଗୋଳା ବିନିମୟ ବେଳେ ଏହାର ସୁଯୋଗରେ ପାକିସ୍ତାନ ଦ୍ବାରା ଅନେକ ବାର ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ମଧ୍ୟ କରାଯାଇଥିଲା।

ଇତିମଧ୍ୟରେ 2020 ଅଗଷ୍ଟ 4 ତାରିଖରେ ପ୍ରଧାନମନ୍ତ୍ରୀ ଇମରାନ ଖାଁ ପାକିସ୍ତାନର ଏକ ନୂଆ ରାଜନୈତିକ ମାନଚିତ୍ର ଜାରି କରିଛନ୍ତି। ଏଥିରେ ପୂରା ଜମ୍ମୁ ଓ କାଶ୍ମୀର, ଗୁଜରାଟ(ଭାରତ)ର ଜୁନାଗଡ଼କୁ ପାକିସ୍ତାନର ବୋଲି ଦର୍ଶାଯାଇଛି। ଜମ୍ମୁ ଓ କାଶ୍ମୀରରୁ ଧାରା 370 ଉଚ୍ଛେଦର ପ୍ରଥମ ବାର୍ଷିକୀର ଦିନକ ପୂର୍ବରୁ ଅଗଷ୍ଟ 4କୁ ଇମ୍ରାନ ଏଥିପାଇଁ ବାଛିଥିଲେ। ଧାରା 370 ଉଚ୍ଛେଦ ପରେ କାଶ୍ମୀରକୁ ମିଳୁଥିବା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଲୋପ ପାଇଯାଇଛି ଏବଂ ରାଜ୍ୟକୁ ଲଦାଖ ଏବଂ ଜମ୍ମୁ ଓ କାଶ୍ମୀର ଦୁଇଟି ଭାଗରେ ବିଭକ୍ତ କରାଯାଇ କେନ୍ଦ୍ର ସରକାରଙ୍କ ଦ୍ବାରା ସିଧାସଳଖ ପରିଚାଳିତ ହେଉଛି। ଧାରା 370 ପ୍ରତ୍ୟାହାର ପରେ ଭାରତ ବିରୁଦ୍ଧରେ କୌଣସି ପ୍ରକାର କଡା କାର୍ଯ୍ୟାନୁଷ୍ଠାନ ନେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବର୍ତ୍ତମାନର ସରକାରଙ୍କ ଉପରେ ପାକିସ୍ତାନୀ ଲୋକଙ୍କର ପ୍ରବଳ ଅସନ୍ତୋଷ ରହିଛି। ଆଉ ଏହାକୁ ଲକ୍ଷ୍ୟ କରି ଲୋକଙ୍କୁ ସନ୍ତୁଷ୍ଟ କରିବା ସକାସେ ଇମରାନ ସରକାର ଏଭଳି ଏକ ମାନଚିତ୍ର ଜାରି କରିଛନ୍ତି। ଏହି ମାନଚିତ୍ର ଜାରି କରି ପାକିସ୍ତାନ ଧାରା 370 ଉଚ୍ଛେଦ କରି ଭାରତ ନେଇଥିବା ପଦକ୍ଷେପର ଠିକଣା ଜବାବ ଦେଇଥିବା କଥା ଇସଲାମାବାଦ କହିଛି। ଇମରାନ ଏହା ବି କହିଛନ୍ତି ଯେ, କ୍ୟାବିନେଟ ଦ୍ବାରା ଅନୁମୋଦିତ ନୂଆ ମାନଚିତ୍ର ଆଗକୁ ସ୍କୁଲ ପାଠ୍ୟକ୍ରମର ଏକ ଅଂଶ ବିଶେଷ ହେବ। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି ମଧ୍ୟ ନୂଆ ମାନଚିତ୍ର ଜାରିକୁ ପ୍ରଶଂସା କରିବା ସହ ଏହାକୁ ଏକ ‘ଅଦ୍ଭୁତପୂର୍ବ ପଦକ୍ଷେପ’ ଭାବେ ବର୍ଣ୍ଣନା କରିଛନ୍ତି। ଏକ ସଂକ୍ଷିପ୍ତ ପ୍ରେସ ବିଜ୍ଞପ୍ତିରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏହାର ପାଲଟା ଜବାବ ଦେଇ ଅତି କଡ଼ା ଭାଷାରେ ପାକିସ୍ତାନକୁ ସମାଲୋଚନା କରି କହିଛି, “ଏଭଳି ପ୍ରୟାସ ଏକ ରାଜନୈତିକ ମୁର୍ଖତା, ଭାରତୀୟ ରାଜ୍ୟ ଗୁଜରାଟ ଏବଂ ଆମରେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀର ଏବଂ ଲଦାଖର ଅଞ୍ଚଳକୁ ମାନଚିତ୍ରରେ ସ୍ଥାନ ଦେବା ଏକ ଅଯୌକ୍ତିକ ଦାବି। ଏଭଳି ହାସ୍ୟାସ୍ପଦ ଦାବିର କୌଣସି ଆଇନଗତ ବୈଧତା କିମ୍ବା ଅନ୍ତର୍ଜାତୀୟ ସ୍ବୀକୃତି ନାହିଁ।”

ଅଗଷ୍ଟ 5 କିମ୍ବା ସେହି ପାଖାପାଖି ଦିନରେ କାଶ୍ମୀରରେ କିଛି ବଡ଼ ଧରଣର ଆତଙ୍କବାଦୀ କାର୍ଯ୍ୟକଳାପ କରିବାକୁ ପାକିସ୍ତାନ ଚାହିଁଥିଲା, କିନ୍ତୁ ଭାରତୀୟ ସୁରକ୍ଷା ବାହିନୀ “ଅପରେସନ ଅଲ ଆଉଟ” ଏବଂ “କର୍ଡନ ଏଣ୍ଡ ସର୍ଚ୍ଚ ଭଳି ଅପରେସନ” ଜରିଆରେ ଜୈସ୍-ଇ-ମହମ୍ମଦ, ଲସ୍କର-ଇ-ତୋଏବା ଏବଂ ହିଜବୁଲ ମୁଜାହିଦ୍ଦିନ ଆଦି ସଂଗଠନର ଅନେକ ଟପ କମାଣ୍ଡରଙ୍କ ସମେତ ବହୁ ସଂଖ୍ୟାରେ ଆତଙ୍କବାଦୀଙ୍କୁ ନିପାତ କରିଦେଇଥିବାରୁ ଶତ୍ରୁ ପକ୍ଷର ଏହି ଯୋଜନା ବିଫଳ ହୋଇଥିଲା। ମିଳିଥିବା ରିପୋର୍ଟ ମୁତାବକ ଆଇଏସଆଇ ତାଲିମପ୍ରାପ୍ତ ପ୍ରାୟ 300 ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଭାରତ-ପାକିସ୍ତାନ ସୀମାରେ ଅପେକ୍ଷା କରି ରହିଥିଲେ। ତେବେ ଭାରତୀୟ ସୁରକ୍ଷା ବାହିନୀର କଡ଼ା ପହରା ଯୋଗୁଁ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରିବାରେ ସେମାନେ ସକ୍ଷମ ହୋଇପାରିନଥିଲେ।

ଭାରତ ଓ ଚୀନ ସୀମାରେ ଦୁଇ ଦେଶର ସେନା ମୁକାବିଲା ସ୍ଥିତିରେ ରହିଥିବା ବେଳେ ପାକିସ୍ତାନ ଏଭଳି ମାନଚିତ୍ର ଜାରି କରି ଚୀନକୁ ଖୁସି କରିବାକୁ ଚେଷ୍ଟା କରିଛି। ଜୁଲାଇ 15 ଓ 16ରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ କର୍ଣ୍ଣେଲଙ୍କ ସମେତ 20 ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଯଦିଓ ଚୀନ ତା’ର କେତେ ସୈନ୍ୟ ନିହତ ହୋଇଛନ୍ତି ତାହା ପ୍ରକାଶ କରିନଥିଲେ ସୁଦ୍ଧା ପିଏଲଏର ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ମୁତାବକ ସଂଘର୍ଷରେ ଚୀନ ପକ୍ଷରୁ ଜଣେ ଅଫିସରଙ୍କ ସମେତ 40 ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ଜଣାଯାଏ। ଚୀନ ପ୍ରରୋଚନାରେ ପଡ଼ି ଭାରତୀୟ ଅଞ୍ଚଳ ଲିମ୍ପିଆଧାରା, ଲିପୁଲେକ ଏବଂ କାଲାପାଣିକୁ ନେଇ ହିମାଳୟ ଭୂଖଣ୍ଡସ୍ଥିତ ନେପାଳ ଯେପରି ଏକ ଆପତ୍ତିଜନକ ମାନଚିତ୍ର ଜାରି କରିଥିଲା ତାହାକୁ ନକଲ କରି ପାକିସ୍ତାନ ବିବାଦୀୟ ମାନଚିତ୍ର ଜାରି କରିଛି। ତେବେ ମାନଚିତ୍ରରେ ଚୀନ ଅଧିକୃତ ଅକସାଇ ଚୀନ ଏବଂ ସକ୍ସଗାମ ଭ୍ୟାଲି ସମ୍ପର୍କରେ ପାକିସ୍ତାନ କିଛି ବି ଦେଖାଇ ନାହିଁ।

ତେବେ ପାକିସ୍ତାନ ଜାଣିରଖିବା ଉଚିତ ଯେ, ଦେଶ କେଉଁଭଳି ଭାବେ ଏକ ଅର୍ଥନୈତିକ ସଂକଟ ଦେଇ ଗତି କରୁଛି ଏବଂ ଏହା ସାଉଦୀ ଆରବ, ସଂଯୁକ୍ତ ଆରବ ଏମିରେଟସ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) ପ୍ରଦତ୍ତ ଋଣ ଏବଂ ଅନୁଦାନ ଉପରେ ହିଁ ନିର୍ଭର କରିବାକୁ ପଡୁଛି। ଆଇଏମଫର ଋଣ ଅନୁଦାନ ମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି କାରଣ ପାକିସ୍ତାନ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ)ର ‘ଗ୍ରେ ତାଲିକା’ରେ ରହିଛି ଏବଂ ଆଇଏମଏଫ ଦୃଢତାର ସହ ଘୋଷଣା କରିଛି ଯେ, ଯଦି ପାକିସ୍ତାନ ଆତଙ୍କବାଦୀ ସଂଗଠନଗୁଡ଼ିକୁ ସହାୟତା ଓ ପ୍ରୋତ୍ସାହନ ବନ୍ଦ ନକରେ ତେବେ ତାକୁ ‘କଳା ତାଲିକାଭୁକ୍ତ’ ଘୋଷଣା କରାଯିବ। ଚୀନ ହେଉଛି ଏକ ବିସ୍ତାରବାଦୀ ରାଷ୍ଟ୍ର ଏବଂ ପାକିସ୍ତାନ ଯଦି ଋଣ ପରିଶୋଧ କରିବାରେ ବିଫଳ ହୁଏ ତେବେ ଚୀନ ହୁଏତ ଗଦର ସାମୁଦ୍ରିକ ବନ୍ଦର, ବାଲୁଚିସ୍ତାନର ଖଣିଜ ସମ୍ପଦ ଏବଂ ଗିଲଗିଟ ଓ ବାଲଟିସ୍ତାନର ମତ୍ସ୍ୟ ଉତ୍ପାଦିତ ଜମି ସମେତ ପାକିସ୍ତାନର ଅନେକ ସ୍ଥାବର ସମ୍ପତ୍ତି ନିଜ ଦଖଲକୁ ନେଇ ଯାଇପାରେ। ଭାରତ ଉପରେ ଆଧିପତ୍ୟ ବିସ୍ତାର କରିବାକୁ ଚୀନର ପ୍ରୟାସ ବିଫଳ ହୋଇଛି ଏବଂ 2020 ଏପ୍ରିଲର ମୂଳ ସ୍ଥିତିକୁ ଫେରିଯିବା ପାଇଁ ଦିଲ୍ଲୀ ଅତି ସ୍ପଷ୍ଟ ଭାବେ ବେଜିଂକୁ ଜଣାଇ ଦେଇଛି। ଭାରତ କେବଳ ଯେ ସୀମାରେ ସେନା ବାହିନୀ ମୁତୟନ କରିଛି ତା ନୁହେଁ, ଏଥିସହିତ ବାୟୁ ସେନାର ଲଢୁଆ ବିମାନ ମଧ୍ୟ ଆଗୁଆ ଘାଟି ଅଞ୍ଚଳରେମୁତୟନ କରିସାରିଛି। ଭାରତର ଅନୁରୋଧ କ୍ରମେ ଫ୍ରାନସ ନିର୍ଦ୍ଧାରିତ ସମୟର ପୂର୍ବରୁ ଭାରତକୁ ପାଞ୍ଚଟି ରାଫେଲ ଯୁଦ୍ଧ ବିମାନ ଯୋଗାଇ ଦେଇଛି। ଯୁକ୍ତରାଷ୍ଟ୍ର ଆମେରିକା, ଭିଏତନାମ, ଜାପାନ, ଅଷ୍ଟ୍ରେଲିଆ, ବ୍ରିଟେନ ଏବଂ ତାଇୱାନ ସମେତ ଅନେକ ଦେଶ ଭାରତକୁ ସେମାନଙ୍କର ସମର୍ଥନ ଜଣାଇ ସାରିଛନ୍ତି। ସୁତରାଂ ଚୀନ ସମ୍ପୂର୍ଣ୍ଣ ସେନା ଅପସାରଣ ପାଇଁ ଅଧିକ କିଛି ସମୟ ନେଇପାରେ କିନ୍ତୁ ପଛକୁ ନିଶ୍ଚିତ ଭାବେ ହଟିବ। ସମୀକ୍ଷକମାନଙ୍କ ଯୁକ୍ତି ହେଉଛି, ରାଷ୍ଟ୍ରପତି ଜି ଜିନପିଙ୍ଗ ଦେଶ ଭିତରେ ଦିନକୁ ଦିନ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯେଉଁଥିପାଇଁ କି ଭାରତ ଉପରେ ଆକ୍ରମଣ କରି ଲୋକଙ୍କ ଦୃଷ୍ଟି ଏଡାଇବାକୁ ଚାହୁଁଛନ୍ତି। ପ୍ରଥମେ ପ୍ରଥମେ ଇମରାନ ଖାଁ ଭାବି ନେଇଥିଲେ ଯେ ଚୀନ ଚାପରେ ଭାରତ ଦବିଯିବ ଏବଂ ସେ ଦେଶ ଭିତରୁ ସମର୍ଥନ ପାଇଯିବେ। କିନ୍ତୁ ଭାରତ ସ୍ଥିତିର ସାମନା କରି ଏପରି କଡ଼ା ଜବାବ ଦେବ ଏବଂ ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ଏପରି ବିପୁଳ ସମର୍ଥନ ମିଳିବ ବୋଲି ଚୀନ କିମ୍ବା ପାକିସ୍ତାନ କେହି ବି କଳ୍ପନା ହିଁ କରିନଥିଲେ। ଆଉ ଏବେ ଅଳ୍ପ ବହୁତେ ଏହା ନିଶ୍ଚିତ ଯେ, ଚୀନ ପୂରା ଯୁଦ୍ଧ କରିବ ନାହିଁ ଏବଂ ଉଭୟ ଚୀନ ଏବଂ ଭାରତ ସେମାନଙ୍କର ସୈନ୍ୟ ପ୍ରତ୍ୟାହାର କରିବେ।

ଯେତେବେଳେ ଧାରା 370 ଉଚ୍ଛେଦ ହେଲା ସେତେବେଳ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ନିନ୍ଦିତ କରିବା ପାଇଁ ପାକିସ୍ତାନ ସମସ୍ତ ଉଦ୍ୟମ କରି ବିଫଳ ହୋଇଥିଲା। ଏହାକୁ ନଜରରେ ରଖି ପାକିସ୍ତାନ ଭାରତ ଏବଂ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ବନ୍ଦ କରି ନିଜ ଦେଶରେ ରହିଥିବା ସମସ୍ୟାସବୁର ସମାଧାନ ଦିଗରେ ଉଦ୍ୟମ କରିବା ଉଚିତ। ବାଲୁଚିସ୍ତାନରେ ଅନେକ ଦେଶବିରୋଧୀ ସଂଗଠନ ରହିଛନ୍ତି ଏବଂ ନିକଟରେ ବାଲୁଚ ଏବଂ ସିନ୍ଧି ଜାତୀୟତାବାଦୀ ଗୋଷ୍ଠୀ ପରସ୍ପର ମଧ୍ୟରେ ହାତ ମିଳାଇଛନ୍ତି। ଏସବୁ କାରଣରୁ ଭାରତ ବିରୁଦ୍ଧରେ ଚୀନର ପକ୍ଷ ଦେବା ପରିବର୍ତ୍ତେ ପାକିସ୍ତାନ ତାହାର ଅର୍ଥନୈତିକ ଏବଂ ଆଇନଶୃଙ୍ଖଳାର ଉନ୍ନତି ଆଣିବା ଦିଗରେ ଦୃଷ୍ଟି ଦେବା ଉଚିତ।

ABOUT THE AUTHOR

...view details