ନୂଆଦିଲ୍ଲୀ: କଂଗ୍ରେସ ବରିଷ୍ଠ ନେତା ପି ଚିଦାମ୍ବରମ୍ଙ୍କୁ ହେପାଜତକୁ ନେଲା ସିବିଆଇ । ତାଙ୍କ ବାସଭବନରୁ ସେଠାରୁ ଚିଦାମ୍ବରମଙ୍କୁ ଉଠାଇ ନେଇଛି ସିବିଆଇ । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଆଗୁଆ ଜାମିନ ନମିଳିବା ପରେ ଗତକାଲିଠାରୁ ନିଖୋଜ ଥିଲେ ।
ତେବେ ଚିଦାମ୍ବରମ୍ଙ୍କୁ ଗୁରୁବାର ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯିବ । କୋର୍ଟରେ ହାଜର କରିବା ପୂର୍ବରୁ ତାଙ୍କର ମେଡିକାଲ ପରୀକ୍ଷା ମଧ୍ୟ କରାଯିବ ।
ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଗିରଫଦାରୀ ପରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ସେମାନେ ଚିଦାମ୍ବରମ୍ଙ୍କ ଗିରଫକୁ ବିରୋଧ କରି ସିବିଆଇ ଗାଡିକୁ ଅଟକାଇବାକୁ ପ୍ରୟାସ କରିଥିଲେ । ସେପଟେ ଚିଦାମ୍ବରମ୍ଙ୍କ ଗିରଫଦାରୀକୁ ଏକ ଷଡଯନ୍ତ୍ର ବୋଲି ଦର୍ଶାଇଛନ୍ତି ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍ । ଦେଶର ପ୍ରମୁଖ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ସେ ।
କଂଗ୍ରେସ ମୁଖ୍ୟାଳୟରେ ଚିଦାମ୍ବରମ୍ଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଚିଦାମ୍ବରମ୍ ଜୋରବାଗ ସ୍ଥିତ ନିଜ ବାସଭବନରେ ପହଞ୍ଚିଥିଲେ । ଏହାପରେ ଚିଦାମ୍ବରମଙ୍କୁ ଗିରଫ କରିବା ପାଇଁ ସିବିଆଇ ଏବଂ ପରେ ପରେ ଇଡି ମଧ୍ୟ ତାଙ୍କ ଘରେ ପହଞ୍ଚିଥିଲେ । ଏହି ସମୟରେ ଚିଦାମ୍ବରମ ଘର ଭିତରେ ନିଜକୁ ବନ୍ଦ କରିଦେଇଥିଲେ । ସେ କବାଟ ନଖୋଲିବାରୁ ସିବିଆଇ ଅଧିକାରୀମାନେ ପାଚେରୀ ଡେଇଁ ତାଙ୍କ ଘର ଭିତରେ ପ୍ରବେଶ କରିଥିଲେ । ଦୀର୍ଘ ସମୟ ଧରି ଲୁଚକାଳି ଖେଳ ଖେଳିବା ପରେ ଶେଷରେ ସିବିଆଇ ତାଙ୍କୁ ହେପାଜତକୁ ନେଇଛି ।