ନୂଆଦିଲ୍ଲୀ: କୋରୋନା କାରଣରୁ ବିଶ୍ବ ଏବେ ଭୟର ବାତାବରଣରେ ରହିଛି । ଚାରିଆଡେ ଭୟର ମାହୋଲ । ହଲ, ମଲ, ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ଶିଳ୍ପାନୁଷ୍ଠାନ । ବଜାର ଘାଟ ଠାରୁ ଆରମ୍ଭ କରି ବିମାନ ବନ୍ଦର । ଗାଁ ଗହଳିରୁ ଆରମ୍ଭ କରି ବିକଶିତ ରାଷ୍ଟ୍ର ସବୁଆଡେ ଅଘୋଷିତ କର୍ଫ୍ୟୁ । କୋରୋନରୁ ବର୍ତ୍ତିବାର ପାଇଁ ଗୃହବନ୍ଦୀ ଜନସାଧାରଣ । ଏପରିସ୍ଥଳେ କୋରୋନା ମହାମାରୀ କାରଣରୁ ବିଦ୍ୟାଳୟ ଓ କଲେଜଗୁଡିକ ଅସ୍ଥାୟୀ ବନ୍ଦ ହେବା ଫଳରେ ବିଶ୍ବରେ 850ନିୟୁତ ଛାତ୍ରଛାତ୍ରୀଙ୍କ ପାଠ ପଢା ବାଧାପ୍ରାପ୍ତ ହୋଇଛି ବୋଲି ଏକ ବିବୃତିରେ କହିଛି ମିଳିତ ଜାତିସଂଘ ।
ମିଳିତ ଜାତିସଂଘର ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ଅନୁଯାୟୀ ଆଗକୁ ଆହୁରି ଅନେକ ସ୍କୁଲ, କଲେଜ ବନ୍ଦ ହେବାର ଆଶଙ୍କା ରହିଛି । ରିପୋର୍ଟ ମୁତାବକ ବର୍ତ୍ତମାନ ବିଶ୍ବର102 ଟି ଦେଶରେ ସ୍କୁଲ ବନ୍ଦ ରହିଛି ତଥା 11 ଟି ଦେଶରେ ଆଂଶିକ ବନ୍ଦ ରହିଛି ଶିକ୍ଷାନୁଷ୍ଠାନ ।
ଗତ ସପ୍ତାହରେ, ୟୁନେସ୍କୋ 73 ଟି ଦେଶର 24 ଜଣ ଶିକ୍ଷା ମନ୍ତ୍ରୀଙ୍କ ସହ ଏକ ବିଶ୍ୱସ୍ତରୀୟ ଭିଡିଓ କନଫରେନ୍ସ ଆୟୋଜନ କରି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ତଥା ବିଶ୍ବବ୍ୟାପୀ ଶିକ୍ଷାର ବ୍ୟାଘାତକୁ କମ କରିବାକୁ ରଣନୀତି ଉପରେ ଆଲୋଚନା କରିଥିଲେ ।