ତିନି ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ଘରକୁ ଫେରାଇଛି ଦକ୍ଷିଣ କେନ୍ଦ୍ରୀୟ ରେଳବାଇ
ଦେବଦୂତ ସାଜିଛି ଭାରତୀୟ ରେଳବାଇ । ଦେଶବ୍ୟାପୀ ଶହ ଶହ ଶ୍ରମିକ ସ୍ପେଶାଲ ଟ୍ରେନରେ ଘରକୁ ଫେରିଛନ୍ତି ଲକ୍ଷାଧିକ ଲୋକ । ଅଧିକ ପଢନ୍ତୁ...
ହାଇଦ୍ରାବାଦ: ଲକଡାଉନ ସମୟରେ ଲୋକଙ୍କ ପାଇଁ ଦେବଦୂତ ସାଜିଛି ଭାରତୀୟ ରେଳବାଇ । ଦେଶବ୍ୟାପୀ ଶହ ଶହ ଶ୍ରମିକ ସ୍ପେଶାଲ ଟ୍ରେନରେ ଘରକୁ ଫେରିଛନ୍ତି ଲକ୍ଷାଧିକ ଲୋକ । କେବଳ ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ପକ୍ଷରୁ 3 ଲକ୍ଷରୁ ଅଧିକ ଯାତ୍ରୀ ଘରକୁ ଫେରିଥିବା ଏହା ସୂଚନା ଦେଇଛି ।
ସିକନ୍ଦରାବାଦରୁ ଆରମ୍ଭ ହୋଇଥିଲା ପ୍ରଥମ ଟ୍ରେନର ଯାତ୍ରା । ଲିଙ୍ଗମପଲ୍ଲୀରୁ ଗୌହାଟୀ ଯାଏଁ ଏହି ଟ୍ରେନରେ ଯାତ୍ରା କରିଥିଲେ ପ୍ରବାସୀ ଶ୍ରମିକ । ଏବେ ଯାଏଁ 235ଟି ସ୍ବତନ୍ତ୍ର ଟ୍ରେନରେ ତିନି ଲକ୍ଷରୁ ଅଧିକ ଯାତ୍ରୀ ଘରକୁ ଫେରିଛନ୍ତି । ଏମାନଙ୍କ ମଧ୍ୟରେ ତେଲେଙ୍ଗାନାରୁ ସର୍ବାଧିକ 1 ଲକ୍ଷ 90 ହଜାର ଲୋକ ଫେରିଛନ୍ତି । ଏହାପଛକୁ ଆନ୍ଧ୍ର ପ୍ରଦେଶରୁ 98 ହଜାର ଏବଂ ମହାରାଷ୍ଟ୍ରରୁ 44 ହଜାର ଲୋକଙ୍କୁ ସ୍ବତନ୍ତ୍ର ଟ୍ରେନରେ ଘରକୁ ଫେରାଇଛି ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ।
ଏହି ଟ୍ରେନରେ କେବଳ ପ୍ରବାସୀ ଶ୍ରମିକ ନୁହନ୍ତି, ସାଧାରଣ ନାଗରିକ ଏବଂ ଛାତ୍ରଛାତ୍ରୀ ମଧ୍ୟ ଯାତ୍ରା କରିଛନ୍ତି । ବିହାର, ଉତ୍ତର ପ୍ରଦେଶକୁ ତେଲେଙ୍ଗାନାରୁ ଅଧିକ ଯାତ୍ରୀ ଫେରିଛନ୍ତି । ଏହାସହ ଜମ୍ମୁ ଓ କାଶ୍ମୀର, ତ୍ରିପୁରା, ମିଜୋରାମ, ମଣିପୁରକୁ ମଧ୍ୟ ଯାତ୍ରୀ ଫେରିଥିବା ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ସୂଚନା ଦେଇଛି । ମେ 1ରୁ ଏହି ସ୍ପେଶାଲ ଶ୍ରମିକ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଏଥିରେ ଯାତ୍ରୀଙ୍କ ସୁରକ୍ଷାର ସମସ୍ତ ପ୍ରକାର ଧ୍ୟାନ ରଖାଯାଇଛି । ସ୍କ୍ରିନିଂ ସହ ସାମାଜିକ ଦୂରତା ଏବଂ ଖାଦ୍ୟପେୟର ସମସ୍ତ ପ୍ରକାର ବ୍ୟବସ୍ଥା ରଖାଯାଇଥିବା ପ୍ରକାଶ କରିଛି ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ।