ଇସଲାମାବାଦ: ପୁଣି ଥରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ । ଏକ ସାକ୍ଷାତକାରରେ ସେ କହିଛନ୍ତି କି, ଜିହାଦି ଆତଙ୍କବାଦୀମାନେ ପାକିସ୍ତାନର ହିରୋ । ସେ ଆହୁରି ମଧ୍ୟ କହିଛନ୍ତି କି ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ଆତଙ୍କବାଦୀ ଓସମାବିନ ଲାଡେନ ଐମାନ ଆଲ ଜଓ୍ବାରୀ, ଜଲାଲୁଦ୍ଦିନ ହକ୍କାନୀ ଏବଂ ଅନ୍ୟମାନେ ପାକିସ୍ତାନର ହିରୋ ।
ପାକିସ୍ତାନର ରାଜନେତା ଫରାହତୁଲ୍ଲା ବାବରଙ୍କ ଟ୍ବିଟର ଆକାଉଣ୍ଟରେ ଥିବା ଏକ ଭିଡ଼ିଓରେ ମୁଶରଫ ଏକ ସାକ୍ଷାତକାର ଦେଉଥିବା ସମୟରେ ଏହା କହିଥିବା ଦେଖିବାକୁ ମିଳିଛି । ଉକ୍ତ ଭିଡ଼ିଓରେ ସେ କହିଛନ୍ତି କି, କାଶ୍ମୀର ନାଗରିକ ମାନଙ୍କୁ ପାକିସ୍ତାନରେ ତାଲିମ ଦିଆଯାଉଛି । କେବଳ କାଶ୍ମୀର ନାଗରିକ ନୁହେଁ, ମୁଜାହିଦ୍ଦିନଙ୍କୁ ମଧ୍ୟ ପାକିସ୍ତାନରେ ତାଲିମ ଦିଆଯାଉଛି । ଭାରତୀୟ ସେନା ବିପକ୍ଷରେ ଲଢିବା ପାଇଁ ସେମାନଙ୍କୁ ବିଭିନ୍ନ ରଣ କୌଶଳ ମଧ୍ୟ ଶିଖାଯାଉଥିବା ସେ ଉକ୍ତ ଭିଡ଼ିଓରେ କହିଛନ୍ତି ।