ଗାନ୍ଧୀନଗର: ଗୋ-ମୂତ୍ର ଓ ଗୋବରରୁ ତିଆରି ହୋଇଛି ରାକ୍ଷୀ । ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଏହା ବଜାରକୁ ଆସିବ । ଏହାକୁ ସମସ୍ତେ ଜୈବିକ ରାକ୍ଷୀ ଭାବେ ଜାଣନ୍ତି । ଲୋକଙ୍କ ବିଶ୍ବାସ ଏହି ଜୈବିକ ରାକ୍ଷୀ ଧାରଣ କଲେ ଶରୀରରେ ଶକ୍ତି ପ୍ରଦାନ କରିବାରେ ସହାୟକ ହେବ । ଗୋବର ଓ ଗୋ-ମୂତ୍ର ମାଆ ଲକ୍ଷ୍ମୀଙ୍କ ପ୍ରତୀକ । ତେଣୁ ଏଥିରୁ ନିର୍ମିତ ରାକ୍ଷୀର ଚାହିଦା ବେଶ ବୃଦ୍ଧି ପାଇଛି । ଗୁଜୁରାଟର କଛ ଅଞ୍ଚଳରେ ଏହି ଜୈବିକ ରାକ୍ଷୀ ପ୍ରସ୍ତୁତ କରାଯାଉଥିବାବେଳେ ଏହାର ନାଁ ରଖାଯାଇଛି ''ସଞ୍ଜୀବନି''।
ରକ୍ଷାବନ୍ଧନ ଉପଲକ୍ଷେ ମାର୍କେଟର ବିଭିନ୍ନ ପ୍ରକାରର ରାକ୍ଷୀ ମିଳେ । ହେଲେ ଜୈବିକ ରାକ୍ଷୀ ସମସ୍ତଙ୍କଠାରୁ ନିଆରା ଓ ସ୍ବତନ୍ତ୍ର । କଛର କୁକମ ଗାଁରେ ଗାଈ ଗୋବର ଓ ମୂତ୍ରକୁ ମିଶ୍ରିତ କରି ଏହି ସ୍ବତନ୍ତ୍ର ରାକ୍ଷୀକୁ ପ୍ରସ୍ତୁତ କରାଯାଏ । ରାମକୃଷ୍ଣ ପରଂମହନ୍ସ ଟ୍ରଷ୍ଟ ଗତ ତିନିବର୍ଷରୁ ଗାଈ ଗୋବର ଏବଂ ଗୋ-ମୂତ୍ର ବ୍ୟବହାର କରି ଜୈବିକ ରାକ୍ଷୀ ପ୍ରସ୍ତୁତ କରିବା ନେଇ ପରୀକ୍ଷଣ କରିଆସୁଥିଲା । ଏହି ଟ୍ରଷ୍ଟ ବର୍ତ୍ତମାନ ବିଭିନ୍ନ ଆକୃତିର ଜୈବିକ ରାକ୍ଷୀ ତିଆରି କରୁଛି ।