ଓଡିଶା

odisha

ETV Bharat / bharat

8 କୋଟିରୁ ମାତ୍ର 20.26 ଲକ୍ଷ ପ୍ରବାସୀ ପାଇଛନ୍ତି ଖାଦ୍ୟ ସାମଗ୍ରୀ

କୋରୋନା ମହାମାରୀ ପରେ କୌଣସି ପ୍ରବାସୀ ଶ୍ରମିକ ଭୋକିଲା ନ ରହିବାକୁ କେନ୍ଦ୍ର ସରକାର ମେ 14ରେ ଏକ ମାଗଣା ଶସ୍ୟ ଯୋଜନା ଘୋଷଣା କରିଥିଲେ । ଅଧିକ ପଢନ୍ତୁ...

8 କୋଟିରୁ ମାତ୍ର 20.26 ଲକ୍ଷ ପ୍ରବାସୀ ପାଇଛନ୍ତି ଖାଦ୍ୟ ସାମଗ୍ରୀ
8 କୋଟିରୁ ମାତ୍ର 20.26 ଲକ୍ଷ ପ୍ରବାସୀ ପାଇଛନ୍ତି ଖାଦ୍ୟ ସାମଗ୍ରୀ

By

Published : Jun 8, 2020, 4:06 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାସନ କାର୍ଡ ନଥିବା 8 କୋଟି ପ୍ରବାସୀ ଶ୍ରମିକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇବା ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ହେଲେ ରାଜ୍ୟ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ କେବଳ 20.36 ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇବାରେ ସକ୍ଷମ ହୋଇଛନ୍ତି । ରବିବାର କେନ୍ଦ୍ର ଖାଦ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ଏହା ପ୍ରକାଶ ପାଇଛି ।

କୋରୋନା ମହାମାରୀ ସମୟରେ ଯେପରି କୌଣସି ପ୍ରବାସୀ ଶ୍ରମିକ ଭୋକିଲା ନରହୁ ସେନେଇ କେନ୍ଦ୍ର ସରକାର ମେ 14ରେ ଏକ ମାଗଣା ଶସ୍ୟ ଯୋଜନା ଘୋଷଣା କରିଥିଲେ । ଏହା ଅଧୀନରେ ପ୍ରବାସୀ ଶ୍ରମିକଙ୍କୁ ରାସନ କାର୍ଡ ବିନା 5 କେଜି ମାଗଣା ଖାଦ୍ୟ ସାମଗ୍ରୀ ଏବଂ ପରିବାର ପ୍ରତି ଏକ କେଜି ଡାଲି ଯୋଗାଇବାକୁ ଘୋଷଣା କରାଯାଇଥିଲା। ଏହି ଘୋଷଣା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ 20 ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ରିଲିଫ ପ୍ୟାକେଜର ଅଂଶ ଅଟେ । ଏହା ଅଧୀନରେ 8 କୋଟି ପ୍ରବାସୀ ଶ୍ରମିକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇବା ଲକ୍ଷ୍ୟ ଥିଲା।

କେନ୍ଦ୍ର ଖାଦ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ 4.42 ଲକ୍ଷ ଟନ ଖାଦ୍ୟ ଶସ୍ୟ ସଂଗ୍ରହ କରି 20.26 ଲକ୍ଷ ହିତାଧିକାରୀଙ୍କୁ 10 ହଜାର 131 ଟନ ଖାଦ୍ୟ ଶସ୍ୟ ବଣ୍ଟନ କରିଛନ୍ତି । ହେଲେ ଜଣାପଡିଛି ଯେ ମାଗଣା ଶସ୍ୟ ଯୋଜନାର ଲାଭ ପାଇଥିବା ପ୍ରବାସୀ ହିତାଧିକାରୀଙ୍କ ସଂଖ୍ୟା ମୋଟ ଲକ୍ଷ୍ୟର ମାତ୍ର 2.25 ପ୍ରତିଶତ ଅଟେ । ପ୍ରବାସୀଙ୍କୁ ମାଗଣା ଖାଦ୍ୟ ଶସ୍ୟ ବଣ୍ଟନ ପାଇଁ ରାଜ୍ୟମାନେ ବିଭିନ୍ନ ମଡେଲ ଗ୍ରହଣ କରିଛନ୍ତି । କେତେକ ରାଜ୍ୟ ଶୁଖିଲା ରାସନ ସହିତ ରନ୍ଧା ଖାଦ୍ୟ ବଣ୍ଟନ କରୁଥିବାବେଳେ କେତେକ ରାଜ୍ୟ ଖାଦ୍ୟ କୁପନ ପ୍ରଦାନ କରୁଛନ୍ତି।

ମାଗଣାରେ ଡାଲି ବଣ୍ଟନ ପ୍ରସଙ୍ଗରେ ମନ୍ତ୍ରଣାଳୟ କହିଛି ଯେ, ଏହା 1.96 କୋଟି ପ୍ରବାସୀ ପରିବାରକୁ ଦୁଇ ମାସ ବଣ୍ଟନ ପାଇଁ 39 ହଜାର ଟନ ଡାଲି ଅନୁମୋଦନ କରିଛି । ପ୍ରାୟ 28 ହଜାର 306 ଟନ ଗ୍ରାମ ଡାଲି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଯାଇଛି । ଏଥିମଧ୍ୟରୁ 15 ହଜାର 413 ଟନ ଡାଲି ଉଠାଯାଇଛି । ହେଲେ ବିବୃତ୍ତିରେ କୁହାଯାଇଛି ଯେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା 631 ଟନ ଗ୍ରାମ ଡାଲି ବଣ୍ଟନ କରାଯାଇଛି।

ସେହିଭଳି ପ୍ରଧାନମନ୍ତ୍ରୀ ଗାରିବ କଲ୍ୟାଣ ଅର୍ଣ୍ଣ ଯୋଜନା (PMGKY) ଅଧୀନରେ ରାଜ୍ୟମାନେ ଏପ୍ରିଲରେ ମାଗଣା ଖାଦ୍ୟ ଶସ୍ୟ ବଣ୍ଟନରେ 92.45 ପ୍ରତିଶତ କଭରେଜ ହାସଲ କରିଛନ୍ତି । ମେ ମାସରେ 87.33 ପ୍ରତିଶତ ଥିବାବେଳେ ଜୁନରେ ଏପର୍ଯ୍ୟନ୍ତ 17.47 ପ୍ରତିଶତ ହାସଲ କରିଛନ୍ତି । ରାଜ୍ୟଗୁଡିକ ଏପର୍ଯ୍ୟନ୍ତ 105.10 ଲକ୍ଷ ଟନ ଖାଦ୍ୟ ଶସ୍ୟ ସଂଗ୍ରହ କରିଛନ୍ତି । ଏଥିମଧ୍ୟରେ ଏପ୍ରିଲରେ 36.98 ଲକ୍ଷ ଟନ, ମେ ମାସରେ 34.93 ଲକ୍ଷ ଟନ ଏବଂ ଜୁନ ମାସରେ ଏପର୍ଯ୍ୟନ୍ତ 6.99 ଲକ୍ଷ ଟନ ଅନ୍ତର୍ଭୁକ୍ତ ଅଟେ ।

ABOUT THE AUTHOR

...view details