ପୃଥିବୀର ଦୁଇ-ତୃତୀୟାଂଶ ଯଦିଓ ଜଳ ଭାଗ, ହେଲେ କେବଳ ସାଢେ ଦୁଇ ପ୍ରତିଶତ ଜଳ କେବଳ ମଣିଷ ପାଇଁ ବ୍ୟବହାର ଉପଯୋଗୀ । ମୋଟ ଜନସଂଖ୍ୟା ପାଇଁ ଜଳ ଆବଶ୍ୟକତା ପୂରଣ କରିବାକୁ ହେଲେ ଜଳ ସଂରକ୍ଷଣ ଅନିବାର୍ଯ୍ୟ। ବିଶୁଦ୍ଧ ପାଣି ସଂଗ୍ରହ, ବିତରଣ ଏବଂ ବ୍ୟବହାର ପାଇଁ ସଫଳ ଯୋଜନା ଏବଂ ରଣନୀତି ଅତି ଜରୁରୀ । ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଜୀବନଧାରଣରେ ଉନ୍ନତି ଆଣିବା ସକାଶେ କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ଅଭିଯାନ, ଗ୍ରାମୀଣ ଆବାସ ଯୋଜନା, ଉଜ୍ଜଳା ଯୋଜନା ଏବଂ ସୌଭାଗ୍ୟ ଯୋଜନା ଆଦି କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ କରୁଛନ୍ତି ।
ଯେହେତୁ ଅଧିକାଂଶ ଗାଁ ଏବେ ବି ବିଶୁଦ୍ଧ ପିଇବା ପାଣି ପାଇବାରୁ ବଞ୍ଚିତ ଅଛନ୍ତି, ସେଥିପାଇଁ ଜଳଶକ୍ତି ମନ୍ତ୍ରାଳୟ ପ୍ରତି ଘରେ ପାଇପ୍ ଜଳ ପହଞ୍ଚାଇବା ସକାଶେ ଜଳ ଜୀବନ ମିଶନ (ଜେଜେଏମ୍) ଆରମ୍ଭ କରିଛନ୍ତି। ଦେଶର ଗ୍ରାମାାଞ୍ଚଳରେ ସମସ୍ତ ଘରକୁ 2024 ସୁଦ୍ଧା ପାଇପ୍ ସଂଯୋଗ କରିବା ପାଇଁ ଅଭିଯାନ ଆରମ୍ଭ କରାଯାଇ ଲକ୍ଷ୍ୟ ରଖାଯାଇଛି। ଭାରତରେ ମୁଣ୍ଡ ପିଛା ଯେତିକି ଜଳ ଉପଲବଧ ହେବା କଥା ସେଥିରେ ଦୃତ ହ୍ରାସ ଘଟୁଥିବା ଅନେକ ଗବେଷଣାରୁ ଜଣାପଡ଼ିଛି। ଜଳ ସଂରକ୍ଷଣ ଯେତିକି ହେବା କଥା ତାହା ନହୋଇ ଜଳ ବ୍ୟବହାର ମାତ୍ରା ବଢିବାରେ ଲାଗିଛି। ଗାଁଗୁଡ଼ିକରେ ପାନୀୟ ଜଳ ଯୋଗାଣ ଯୋଜନା କାର୍ୟ୍ୟକାରୀ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସହାୟତା କରିବା ଲାଗି ଭାରତ ସରକାର 1972ରେ ତ୍ବରାନ୍ବିତ ଗ୍ରାମ୍ୟ ଜଳ ଯୋଗାଣ ଯୋଜନା (ଏଆରଡବ୍ଲୁଏସପି) ଲାଗୁ କରିଛନ୍ତି।
ଜାତୀୟ ରୁରାଲ ଡ୍ରିଙ୍କିଙ୍ଗ ୱାଟର ପ୍ରୋଗ୍ରାମ (ଏନଆରଡବ୍ଲୁପି) 2017 ଜରିଆରେ ଜଳ ଶକ୍ତି ମନ୍ତ୍ରାଳୟ ଦେଶର ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ପର୍ଯ୍ୟାପ୍ତ ପରିମାଣର ବିଶୁଦ୍ଧ ପିଇବା ପାଣି ଯୋଗାଇଦେବା ସକାଶେ ଲକ୍ଷ୍ୟ ରଖିଥିଲା। ହେଲେ ଦେଶରେ କେବଳ 3 କୋଟି 23 ଲକ୍ଷ ପରିବାର ପାଖରେ ପାଇପ୍ ସଂଯୋଗ ପାଇଛନ୍ତି। 2019 ଅଗଷ୍ଟରେ ଭାରତ ସରକାର ଗ୍ରାମାଞ୍ଚଳର ପ୍ରତି ପରିବାରକୁ ପାଇପ୍ ପାଣି ଯୋଗାଇଦେବା ପାଇଁ ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ଏନଆରଡିଡବ୍ଲୁପିକୁ ଜେଜେଏମରେ ମିଶାଇ ଦେଇଥିଲେ। ଗ୍ରାମାଞ୍ଚଳର ଜନସଂଖ୍ୟାକୁ ଆଧାର କରି ରାଜ୍ୟଗୁଡ଼ିକୁ ଦେଉଥିବା ଜେଜେଏମ ପାଣ୍ଠି ଅନୁଦାନ ସଂଶୋଧନ କରିଥିଲେ। ତଫସିଲଭୁକ୍ତ ଜାତି ଓ ଉପଜାତିର ଲୋକେ ରହୁଥିବା ଗାାଁ ଏବଂ ରାସାୟନିକ ଦୂଷିତ ଅଞ୍ଚଳ ପାଇଁ ସରକାର ପ୍ରାଥମିକତା ଦେଇଥିଲେ ।