ବାଂଲାଦେଶ ସୀମା ଦେଇ ଭାରତକୁ ଫେରିବା ଲାଗି ଅନୁମତି ଦେବା ସକାଶେ କାଶ୍ମୀରର ଛାତ୍ରଛାତ୍ରୀମାନେ ଗୃହ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଅନୁରୋଧ କରୁଥିବାର ଦୃଶ୍ୟ ସମ୍ବଳିତ ଭିଡିଓ ପ୍ରସାରିତ ହେବାର କେଇ ଘଣ୍ଟା ପରେ, କେତେକ ସୂତ୍ର ପ୍ରକାଶ କରିଛନ୍ତି ଯେ, ସେମାନେ ଯେଉଁଠି ଅଛନ୍ତି ସେହିଠାରେ ହିଁ ରହିବା ଆବଶ୍ୟକ । କେବଳ ଇଟିଭି ଭାରତକୁ ଦେଇଥିବା ତାଙ୍କ ମନ୍ତବ୍ୟରେ ବୈଦେଶିକ ସଚିବ ହର୍ଷ ଶ୍ରିଂଲା ଛାତ୍ରଛାତ୍ରୀମାନଙ୍କୁ ଆଶ୍ବାସନା ଦେଇ କହିଛନ୍ତି, “ବାଂଲାଦେଶରେ ଥିବା ଛାତ୍ରଛାତ୍ରୀମାନଙ୍କ ସମେତ ସବୁ ଭାରତୀୟଙ୍କ ସହ ଢାକାରେ ଅବସ୍ଥାପିତ ହାଇ କମିସନ ସମ୍ପର୍କ ରଖିଛନ୍ତି ଏବଂ ସେମାନଙ୍କ କଲ୍ୟାଣ ପାଇଁ ଆବଶ୍ୟକ ସବୁ ପଦକ୍ଷେପ ନେଉଛନ୍ତି ।”
ଏହା ପୂର୍ବରୁ, ମଙ୍ଗଳବାର ଦିନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କେତେକ ଭିଡିଓରେ, ପଶ୍ଚିମ ବଙ୍ଗର ଉତ୍ତର 24 ପ୍ରଗଣା ଜିଲ୍ଲା ଅନ୍ତର୍ଗତ ବୋନ୍ଗାଓଁ ନିକଟସ୍ଥ ଭାରତ-ବାଂଲାଦେଶ ସୀମାର ପେଟ୍ରାପୋଲ-ବେନାପୋଲ ଚେକ୍ ପୋଷ୍ଟ ପାଖରେ କାଶ୍ମୀରର ପ୍ରାୟ 70 ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଅଟକି ରହିଥିବା ଦେଖାଯାଇଥିଲା । ଏହି ଭିଡିଓରେ ଦେଖାଯାଇଥିଲା ଯେ ଜଣେ କାଶ୍ମିରୀ ଯୁବତୀ ନିବେଦନ କରି କହୁଛନ୍ତି “ଚେକ୍ ପୋଷ୍ଟ ଦେଇ ଯିବା ଲାଗି ଆମେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ବାରମ୍ବାର ଅନୁରୋଧ କରିଛୁ । ଏଠାରେ ଆମେ ଆଦୌ ନିରାପଦ ଅନୁଭବ କରୁନାହୁଁ । ଏଠାରେ ଲୋକଙ୍କ ଭିଡ଼ ଲାଗି ରହିଛି ଏବଂ ଏଠାରେ ରହିବା ଦ୍ବାରା ଆମ ପ୍ରତି ବିପଦ ଆଶଙ୍କା ରହିଛି । ଆମେ ଏଠାରେ ରାତି କଟାଇବା ଲାଗି ପ୍ରସ୍ତୁତ ରହିଛୁ ।”
ଆଉ ଜଣେ ଯୁବକ ଅନୁରୋଧ କରି କହୁଥିଲେ, “ଆମେ କାଶ୍ମୀରର 70 ଜଣ ଛାତ୍ରଛାତ୍ରୀ ବାଂଲାଦେଶର ବିଭିନ୍ନ ମେଡିକାଲ କଲେଜରେ ପଢୁଛୁ । ଆମେ ପେଟ୍ରୋପୋଲ-ବେନାପୋଲ ସୀମାରେ ଅଟକି ରହିଛୁ । ଏଠାରେ ପହଞ୍ଚିବା ଲାଗି ଆମେ 12ରୁ 16 ଘଣ୍ଟାର ଯାତ୍ରା କରିଛୁ । ଆମ କଲେଜ ଓ ହଷ୍ଟେଲ ବନ୍ଦ ହୋଇଯାଇଛି ଏବଂ ଆମମାନଙ୍କୁ ଘରକୁ ଯିବା ପାଇଁ କୁହାଯାଇଛି । ଗତ ସନ୍ଧ୍ୟାରୁ ଆମେ ଏହି ସୀମାରେ ରହିଛୁ ଏବଂ କଣିକାଏ ଖାଦ୍ୟ ବି ଖାଇନାହୁଁ । ଆମକୁ ସୀମା ପାର ହୋଇ ଯିବା ପାଇଁ ଅନୁମତି ନ ମିଳିବା ପର୍ଯ୍ୟନ୍ତ ଆମେ ଏଠାରେ ବସି ରହିବୁ ।”
କିନ୍ତୁ, ଭାରତୀୟ ଅଧିକାରୀମାନେ ସ୍ପଷ୍ଟ କରିଦେଇଛନ୍ତି ଯେ, ଠିକ୍ ଏହି ସମୟରେ ଏହି ସୀମାବର୍ତ୍ତୀ ସ୍ଥାନ ଦେଇ କୌଣସି ଉଦ୍ଧାର କାର୍ଯ୍ୟ ହୋଇପାରିବ ନାହିଁ । କାରଣ, ପଡ଼ୋଶୀ ବାଂଲାଦେଶ, ନେପାଳ, ପାକିସ୍ତାନ ଓ ଭୁଟାନ ସମେତ ଭାରତର ସୀମାବର୍ତ୍ତୀ ଅଞ୍ଚଳରେ ବହିଃଶୁଳ୍କ ଚେକ୍ ପୋଷ୍ଟ ଥିବା ଯେଉଁସବୁ ସ୍ଥାନ ଲକ୍ଡାଉନ୍ ତାଲିକାରେ ରହିଛି ତାହା ମଧ୍ୟରେ ଏହି ସ୍ଥାନ ରହିଛି । ଜଣେ ସରକାରୀ ସୂତ୍ର କହିଛନ୍ତି, “ଭାରତ ଭିତରେ ଏବଂ ଭାରତ ସହ ଅନ୍ୟ ଦେଶର ସୀମାବର୍ତ୍ତୀ ଅଞ୍ଚଳରେ ଯାତାୟାତ ଉପରେ କଟକଣା ଜାରି କରାଯାଇଥିବାରୁ ସୀମାରେଖା ପାର କରି ଯିବାଆସିବା ବନ୍ଦ କରାଯାଇଛି । ତେଣୁ, ସେମାନଙ୍କର ଏବଂ ସମାଜର ସ୍ବାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ସେମାନେ ନିଜ ନିଜ ହଷ୍ଟେଲକୁ ଫେରିଯିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଉଛି ।”