ଓଡିଶା

odisha

By

Published : Oct 20, 2020, 9:15 AM IST

ETV Bharat / bharat

ଆସାମ-ମିଜୋରାମ ସୀମା ବିବାଦ, ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ଶେଷ

ଆସାମ ଓ ମିଜୋରାମ ମଧ୍ୟରେ ଦେଖାଦେଇଥିବା ସୀମା ବିବାଦକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ଶେଷ ହୋଇଛି । ଦୁଇ ରାଜ୍ୟ ମଧ୍ୟରେ ଟ୍ରକ ଚଳାଚଳକୁ ସବୁଜ ସଙ୍କେତ ମିଳିଥିବାବେଳେ ବିବାଦର ଶୀଘ୍ର ସମାଧାନ ହେବ ବୋଲି କୁହାଯାଇଛି ।

ଆସାମ-ମିଜୋରାମ ସୀମା ବିବାଦ
ଆସାମ-ମିଜୋରାମ ସୀମା ବିବାଦ

ଗୌହାଟୀ: ଆସାମ-ମିଜୋରାମ ସୀମାବର୍ତ୍ତୀ ଗାଁ କାଚର ଜିଲ୍ଲାର ଲୈଲାପୁରରେ ଦେଖାଦେଇଥିବା ବିବାଦକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ହୋଇଛି । ସୋମବାର ଉଭୟ ରାଜ୍ୟର ପୋଲିସ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି ।

ଆଲୋଚନାରେ ଆସାମର କାଚର ଜିଲ୍ଲାଏସପି ଭୱର ଲାଲ ମୀନା ଓ ମିଜୋରାମର କୋଲାସିବ ପୋଲିସ ମୁଖ୍ୟ ଭନଲାଲ ଫାକା ରାଲତେ ସାମିଲ ହୋଇଥିଲେ । ଲୈଲାପୁରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଆଲୋଚନା ପରେ ସମସ୍ୟାର ସମାଧାନ ପାଇଁ ଉଭୟ ରାଜ୍ୟ ରାଜି ହୋଇଥିବା ଆସାମ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଏହାସହ ଦୁଇ ରାଜ୍ୟ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ସମାଧାନ କରିବା ଓ ଟ୍ରକ ଗୁଡିକ କିପରି ଚାଲିପାରିବ ସେନେଇ ତତକ୍ଷଣାତ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ରାତିରେ ଚାଲୁଥିବା ଟ୍ରକ ଗୁଡିକର ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ଚେଷ୍ଟା କରାଯାଉଥିବା ଆସାମ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ମିଜୋରାମ ପକ୍ଷରୁ ମଧ୍ୟ ଟ୍ରକ ଚାଲିବାକୁ ନେଇ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିବା ମିଜୋରାମ ପକ୍ଷରୁ କୁହାଯାଇଛି । ଦୁଇ ରାଜ୍ୟ ମଧ୍ୟରେ ବିବାଦ ସୃଷ୍ଟି ପରେ ପରିବହନ ପାଇଁ ଯାଉଥିବା ଟ୍ରକ ଗୁଡିକ ଉପରେ ଆକ୍ରମଣ ହେଉଛି । ଯେଉଁଥିପାଇଁ ଦୁଇ ରାଜ୍ୟ ମଧ୍ୟରେ ପରିବହନ ଠପ୍‌ ହୋଇଯାଇଛି ।

ସେହପରି ଦୁଇ ରାଜ୍ୟ ମଧ୍ୟରେ ବସିଥିବା ବୈଠକରେ ଟ୍ରକ ମାଲିକ ସଂଘ ମଧ୍ୟ ଉପସ୍ଥିତ ଥିବାର ଆସାମ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହାସହ ଲୈଲାପୁରରେ ଆଉ ସଂଘର୍ଷ ହୋଇନାହିଁ ପରିସ୍ଥିତି ଶାନ୍ତ ରହିଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସୂଚନାଥାଉକି, ଆସାମର କାଚର ଜିଲ୍ଲାରେ ଦୁଇ ରାଜ୍ୟର ସ୍ଥାନୀୟ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଯେଉଁଥିରେ 5 ଜଣ ଆହତ ହୋଇଥିଲେ । ମିଜୋରାମ, କାଚର ଜିଲ୍ଲାର ଲିଲାବରୀ ଅଞ୍ଚଳ ଓ ମିଜୋରାମର କୋଲାସିବ ଜିଲ୍ଲାର ଭାରିଙ୍ଗେଟ୍‌ର କିଛି ଜମିକୁ ଅକ୍ତିଆର କରିବାରୁ ଏପରି ସ୍ଥିତି ଦେଖାଯାଇଥିବା ସୂଚନା ରହିଛି ।

ଏହି ସଂଘର୍ଷ ପରେ ରବିବାର ମିଜୋରାମ ଜରୁରୀକାଳିନ କ୍ୟାବିନେଟ ବୈଠକ ଡକାଇଥିଲେ । ଏହାସହ ଏହି ପ୍ରସଙ୍ଗରେ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଟ୍ବିଟ୍‌ କରି ସୂଚନା ଦେଇଥିଲେ । ଦୁଇ ରାଜ୍ୟ ମଧ୍ୟରେ ସପ୍ତାହେ ପୂର୍ବରୁ କରିମଗଞ୍ଜ ଓ ମମିତ ଜିଲ୍ଲାରେ ସୀମା ବିବାଦକୁ ନେଇ ତିକ୍ତତା ଦେଖାଦେଇଥିବାବେଳେ ଏବେ ଏହି ଘଟଣା ରାଜ୍ୟର ଉଷ୍ଣତା ବଢାଇଦେଇଛି । ତେବେ ଏହି ଅଞ୍ଚଳରେ 144 ଧାରା ଲଗାଯାଇଛି ।

ମିଜୋରାମ ପକ୍ଷରୁ କିଛି ଲୋକ ଆସାମର ବିବାଦୀୟ ଲୈଲାପୁର ଅଞ୍ଚଳର କିଛି କୁଡିଆରେ ନିଆଁ ଲଗାଇ ଦେଇଥିଲେ । ପରେ ସ୍ଥିତି ଅଣାୟତ୍ତ ହୋଇଥିଲା । ସେପଟେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଆସାମ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସମେତ କିଛି ବରିଷ୍ଠ ଅଧିକାରୀ ଘଟଣାସ୍ଥଳ ଗସ୍ତ କରିଥିଲେ । ରବିବାର ଗସ୍ତ ସମୟରେ ଏପରି ଘଟଣା ଅନ୍ୟପକ୍ଷର ବଦମାସୀ ପାଇଁ ହୋଇଥିବା ମନ୍ତ୍ରୀ କହିଥିଲେ ।

ଅନ୍ୟପଟେ ରବିବାର ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସମ୍ପର୍କ କରିବା ସହିତ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ମିଜୋରାମ ମୁଖ୍ୟମନ୍ତ୍ରୀଙ୍କ ସହିତ ମଧ୍ୟ କଥା ହୋଇଥିଲେ । ତେବେ ଉଭୟ ମୁଖ୍ୟମନ୍ତ୍ରୀ ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବେ ବୋଲି ରାଜି ହୋଇଥିବା ସୂଚନା ମିଳିଥିଲା ।

ଉଭୟ ରାଜ୍ୟ ମଧ୍ୟରେ 165 କିମି ସୀମା ଲାଗିଛି । 1972 ମସିହା ପର୍ଯ୍ୟନ୍ତ ମିଜୋରାମ ଆସାମରେ ଥିବାବେଳେ 1972ରେ କେନ୍ଦ୍ର ଶାସିତ ଅଞ୍ଚଳ ଓ 1987ରେ ରାଜ୍ୟ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details