ନୂଆଦିଲ୍ଲୀ: ବଢୁଥିବା ପ୍ରଦୁଷଣ ସ୍ତରକୁ ରୋକିବା ପାଇଁ କେଜରିୱାଲ ସରକାରଙ୍କ ବଡ ନିଷ୍ପତ୍ତି । ଦିଲ୍ଲୀରେ ପୁଣିଥରେ ଲାଗୁ ହେବ ଅଡ- ଇଭିନ ଫର୍ମୁଲା । ଆସନ୍ତା ନଭେମ୍ବର 4 ରୁ 15 ପର୍ଯ୍ୟନ୍ତ ରାଜଧାନୀରେ ଏହି ନିୟମ ଲାଗୁ କରିବାକୁ ଶୁକ୍ରବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଏହା ସହିତ ପ୍ରଦୁଷଣରୁ ରକ୍ଷା ପାଇବା ପାଇଁ ସରକାର ସାଧାରଣ ଲୋକଙ୍କୁ ମୁଖା ବଣ୍ଟନ କରିବେ। ପ୍ରଦୁଷଣର ଅଭିଯୋଗ କରିବା ପାଇଁ ବାର ରୁମର ସ୍ଥାପନା ମଧ୍ୟ କରିବାକୁ ସରକାର କହିଛନ୍ତି ।
ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରି କେଜରିୱାଲ କହିଛନ୍ତି, ସରକାର ରାଜଧାନୀକୁ ପ୍ରଦୁଷଣ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏଥିପାଇଁ ରାଜଧାନୀରେ 1000 ବିଦ୍ୟୁତ ଚାଳିତ ବସ ସେବା ଯୋଗାଇ ଦିଆଯିବ । ଏହା ସହିତ ଖୁବ୍ ଶୀଘ୍ର ବସ ଏଗ୍ରିଗେଟର ନୀତିର ଘୋଷଣା କରାଯିବ ବୋଲି ସେ କହିଛନ୍ତି । ତେବେ ଆପତ୍ତକାଳୀନ ବାହନକୁ ଏହି ନିୟମ ପାଳନ କରିବାରୁ ପଡିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେଜରିୱାଲ ।