ନୂଆଦିଲ୍ଲୀ: ବିଶ୍ବର ପ୍ରତ୍ୟେକ ଦିନ ହଜାର ହଜାର ଲୋକ କୋରୋନା ଭାଇରସରେ ମୃତ୍ୟୁ ବରଣ କରୁଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ମୁକାବିଲା ପାଇଁ ଟିକା କିମ୍ବା କୌଣସି ଔଷଧ ବାହାରି ନାହିଁ । ତେବେ କିଛି ଔଷଧ କିଛି ମାତ୍ରାରେ ପ୍ରଭାବ ପକାଉଛି । ସେଥିମଧ୍ୟରୁ ଗୋଟିଏ ହେଉଛି ରେମଡେସିଭିର । ଆମେରିକୀୟ କମ୍ପାନୀ ଗିଲିୟଡ ସାଇନ୍ସେସ ଦ୍ୱାରା ଏହି ଔଷଧ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ଏହି ଔଷଧକୁ ଭାରତରେ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି ।
ସୂଚନାଅନୁଯାୟୀ, ଭାରତର ଔଷଧ ନିୟାମକ ସଂସ୍ଥା ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିସିସ୍କୋ) ରେମଡେସିଭିର ବ୍ୟବହାର ପାଇଁ ଅନୁମତି ଦେଇଛି । ଏହି ଔଷଧ ଡାକ୍ତରଖାନାରେ ଭର୍ତ୍ତି କୋରୋନା ଆକ୍ରାନ୍ତଙ୍କୁ ଦିଆଯିବ । ଏଥିରେ ଉଭୟ ବୟସ୍କ ଏବଂ ଶିଶୁ ଅନ୍ତର୍ଭୁକ୍ତ । ଏହି ଔଷଧକୁ ମୁମ୍ବାଇର ଏକ କମ୍ପାନୀ କ୍ଲିନେରା ଗ୍ଲୋବାଲ ସର୍ଭିସେସ ଦ୍ୱାରା ଆମଦାନୀ କରାଯିବ । ସମ୍ପ୍ରତି ଏହି ଔଷଧ କୋରୋନା ରୋଗୀଙ୍କ ଉପରେ ମାତ୍ର 5 ଦିନ ବ୍ୟବହୃତ ହେବ ।
ବର୍ତ୍ତମାନ ସମଗ୍ର ବିଶ୍ୱ ଆଣ୍ଟି-ଭାଇରାଲ ଔଷଧ ରେମଡେସିଭିର ଉପରେ ନଜର ରଖିଛି । ସମ୍ପ୍ରତି ଏହାର ପରୀକ୍ଷା ବିଭିନ୍ନ ପର୍ଯ୍ୟାୟରେ ଚାଲିଛି । ତୃତୀୟ ପର୍ଯ୍ୟାୟର ଫଳାଫଳ ଅନୁଯାୟୀ, ଏହି ଔଷଧର ବ୍ୟବହାର 11 ତମ ଦିନରେ 65% ରୋଗୀଙ୍କ କ୍ଷେତ୍ରରେ ଭଲ ଫଳାଫଳ ଦେଖାଇଥିଲା । ଗତ ମାସରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶଦାତା ଡକ୍ଟର ଫୋସି ହ୍ବାଇଟ ହାଉସରେ ଔଷଧର ସଫଳତା ବିଷୟରେ ଘୋଷଣା କରିଥିଲେ । ସେ କହିଛନ୍ତି ଯେ ପରିସଂଖ୍ୟାନ ଦର୍ଶାଉଛି ଯେ ରେମଡେସିଭିର ଔଷଧ କୋରୋନା ଆକ୍ରାନ୍ତଙ୍କ ଉପରେ ପ୍ରଭାବଶାଳୀ ଏବଂ ସକରାତ୍ମକ ପ୍ରଭାବ ପକାଉଛି । ଡକ୍ଟର ଫୋସି କହିଛନ୍ତି ଯେ ଆମେରିକା, ୟୁରୋପ ଏବଂ ଏସିଆର 68ଟି ସ୍ଥାନରେ 1063 ଜଣଙ୍କ ଉପରେ ରେମଡେସିଭିର ପରୀକ୍ଷା କରାଯାଇଥିଲା, ଯାହା ଦର୍ଶାଇଥିଲା ଯେ ରେମଡେସିଭିର ଔଷଧ କୋରୋନା ଭାଇରସକୁ ରୋକି ପାରିବ ।
ଗତ ମାସରେ କୋରୋନା ସଂକ୍ରମଣର ଚିକିତ୍ସାରେ ଜାପାନ ରେମଡେସିଭିର ଔଷଧର ବ୍ୟବହାରକୁ ଅନୁମୋଦନ ଦେଇଥିଲା । ଜାପାନ ତିନି ଦିନ ମଧ୍ୟରେ ଏହା ଉପରେ ନିଷ୍ପତ୍ତି ନେଇଥିଲା।