ନୂଆଦିଲ୍ଲୀ: ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି । ଏହି ଅଧିବେଶନ ସମୟରେ ଯଦି କୌଣସି କାରଣରୁ ସଂସଦରେ ଦିନର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟରେ ବାଧା ସୃଷ୍ଟି ହୁଏ ତେବେ ଶୂନ୍ୟକାଳର ସଂସଦଙ୍କ ଦ୍ବାରା ସାମୂହିକ ଉନ୍ନତି ପାଇଁ ଦିଆଯାଉଥିବା ପ୍ରସ୍ତାବକୁ ଖାରଜ କରିଦିଆଯିବ ବୋଲି ରାଜ୍ୟସଭା ଅଧ୍ଯକ୍ଷ କହିଛନ୍ତି ।
ତେବେ ଶୂନ୍ୟକାଳ ମଧ୍ୟରେ ଆଲୋଚନା ହେବାକୁ ଥିବା ଆଲୋଚନା ଯଦି ବନ୍ଦ ହେଇଯାଉଛି ତାହା ସ୍ବତନ୍ତ୍ର ଅନୁମତି ଜରିଆରେ ପରଦିନକୁ ଘୁଞ୍ଚାଇ ଦିଆଯାଇପାରିବ ବୋଲି ସେ ସୂଚନା ଦେଇଛନ୍ତି । ଏହି ଆଲୋଚନା ପ୍ରତିଦିନ 11ଟାରୁ 12ଟା ମଧ୍ୟରେ ହେବ ବୋଲି ସେ ସୂଚନା ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଗୃହରେ ଅନ୍ୟମାନଙ୍କୁ ଅସୁବିଧାରେ ପକାଇବା ତଥା ଗଣ୍ଡଗୋଳ କରିବା କିଛି ସଦସ୍ୟଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି । ଏଭଳି ହେବା ଦ୍ବାରା ସଭାପତି ଗୃହକୁ ସ୍ଥଗିତ କରିବାକୁ ବାଧ୍ୟ ହୋଇଥାନ୍ତି ବୋଲି ସେ ସୂଚନା ଦେଇଥିଲେ ।
ସେ ଆହୁରି ମଧ୍ୟ କହିଥିଲେ, ଆଲୋଚନା ସମୟରେ ଯଦି ସଦସ୍ୟଙ୍କ ଆଲୋଚନା ଉପସ୍ଥାପିତ ହୋଇପାରୁନାହିଁ, ତେବେ ତାହା ପରଦିନ ଗୃହରେ ଉପସ୍ଥାପିତ ହୋଇଯିବ ବୋଲି କିଛି ସଦସ୍ୟ ଭାବିଥାନ୍ତି । ମାତ୍ର ତାହା ଏଣିକି ହୋଇ ପାରିବ ନାହିଁ । ପରଦିନ ଉପସ୍ଥାପିତ କରିବାକୁ ହେଲେ ସ୍ବତନ୍ତ୍ର ଅନୁମତି ହାତେଇବାକୁ ପଡ଼ିବ । ଯଦି ସେମାନେ ଅନୁମତି ନ ନେଇ ଗୃହରେ ସେମାନେ ଉପସ୍ଥାପିତ କରିଥାନ୍ତି, ତେବେ ତାକୁ ଖାରଜ କରି ଦିଆଯିବ ବୋଲି ସେ ସୂଚନା ଦେଇଥିଲେ ।
ନାଇଡ଼ୁ ଆହୁରି ମଧ୍ୟ କହିଥିଲେ କି, କୌଣସି ପ୍ରକାର ବସ୍ତୁ ଗୃହରେ ପ୍ରଦର୍ଶିତ କରାଯାଇ ପାରିବ ନାହିଁ । ତେବେ ସେ ପ୍ଲାକାର୍ଡ, ଖବର କାଗଜର କୌଣସି ଆଲେଖ୍ୟ ହେଉ ଅବା କୌଣସି ପ୍ରକାର ଏୟାର ପିୟୁରିଫାୟରସ କିମ୍ବା ମାସ୍କ ଗୃହରେ ଦେଖାଇ କୌଣସି ସଦସ୍ୟଙ୍କୁ ସମାଲୋଚନା କରାଯାଇପାରିବ ନାହିଁ ବୋଲି ସେ ସୂଚନା ଦେଇଥିଲେ । ଏହା ସହିତ ଏଭଳି କାର୍ଯ୍ୟ କଲେ କିମ୍ବା ପ୍ରଦର୍ଶିତ କଲେ ଉକ୍ତ ସଦସ୍ୟଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ସେହିଭଳି ସଭାପତି ଆହୁରି ମଧ୍ୟ କହିଥିଲେ ଯେ, ଗୃହର କୌଣସି ସଦସ୍ୟଙ୍କ ପତ୍ର, ସୂଚନା ଯଦି ତାଙ୍କୁ ମିଳିବା ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇଥାଏ ତେବେ ତାହାକୁ ଖାରିଜ କରିଦିଆଯିବ ଏବଂ ସେ କୌଣସି ପ୍ରକାର ରାଜନୈତିକ ଚାପରେ ଆସିବେ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ଏପରିକି କୌଣସି ସ୍ବତନ୍ତ୍ର ନିୟମ ଉପରେ ଚର୍ଚ୍ଚା କରିବାକୁ ଅନୁମତି ଦେବା ବା ତାକୁ ଖାରିଜ କରିଦେବା ତାଙ୍କର ସ୍ବତନ୍ତ୍ର ଅଧିକାର ରହିଛି ବୋଲି ସେ ସୂଚନା ଦେଇଥିଲେ ।