ଓଡିଶା

odisha

ETV Bharat / bharat

ପ୍ରଚାରଧର୍ମୀ ଭିଡିଓ ସୁଟିଂରେ କୌଣସି ଭୁଲ ନାହିଁ: ବିଶେଷଜ୍ଞ - ଭିଡିଓ ସୁଟିଂ

ନିଜକୁ ‘ବିହାରର ରବିନ୍‌ ହୁଡ୍‌’ ରୂପେ ଉପସ୍ଥାପନ ପୂର୍ବକ ଭିଡିଓ ସୁଟିଂ କରି ବିହାରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଗୁପ୍ତେଶ୍ବର ପାଣ୍ଡେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କେତେକ ରାଜନୈତିକ ମହଲର ମତାମତ ଅନୁସାରେ, ଚାକିରିରେ ଥିବା ସମୟରେ ନିଜର ପ୍ରଚାର ନିମନ୍ତେ ୟୁନିଫର୍ମ ପିନ୍ଧି ଭିଡିଓ ସୁଟିଂ କରିବା ଦ୍ବାରା ପାଣ୍ଡେ ନିଜ କ୍ଷମତାର ଅପବ୍ୟବହାର କରିଛନ୍ତି । ହେଲେ, ଚାକିରିର ନିୟମାବଳୀ ଓ ନୈତିକ ଆଚରଣ ବଜାୟ ରଖି ନିଜର ପ୍ରଚାର ନିମନ୍ତେ ଭିଡିଓ ସୁଟିଂ କରିବାରେ କୌଣସି ଭୁଲ ନାହିଁ ବୋଲି ବିଶେଷଜ୍ଞମାନେ ସ୍ପଷ୍ଟ କରିଦେଇଛନ୍ତି ।

ପ୍ରଚାରଧର୍ମୀ ଭିଡିଓ ସୁଟିଂରେ କୌଣସି ଭୁଲ ନାହିଁ- ବିଶେଷଜ୍ଞ
ପ୍ରଚାରଧର୍ମୀ ଭିଡିଓ ସୁଟିଂରେ କୌଣସି ଭୁଲ ନାହିଁ- ବିଶେଷଜ୍ଞ

By

Published : Sep 25, 2020, 9:29 AM IST

ପୂର୍ବତନ ପୋଲିସ ମହାନିର୍ଦ୍ଦେଶକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବିରୋଧୀ

ପାଟନା: ନିଜକୁ ‘ବିହାରର ରବିନ୍‌ ହୁଡ୍‌’ ରୂପେ ଉପସ୍ଥାପନ ପୂର୍ବକ ଭିଡିଓ ସୁଟିଂ କରି ବିହାରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଗୁପ୍ତେଶ୍ବର ପାଣ୍ଡେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କେତେକ ରାଜନୈତିକ ମହଲର ମତାମତ ଅନୁସାରେ, ଚାକିରିରେ ଥିବା ସମୟରେ ନିଜର ପ୍ରଚାର ନିମନ୍ତେ ୟୁନିଫର୍ମ ପିନ୍ଧି ଭିଡିଓ ସୁଟିଂ କରିବା ଦ୍ବାରା ପାଣ୍ଡେ ନିଜ କ୍ଷମତାର ଅପବ୍ୟବହାର କରିଛନ୍ତି । ହେଲେ, ଚାକିରିର ନିୟମାବଳୀ ଓ ନୈତିକ ଆଚରଣ ବଜାୟ ରଖି ନିଜର ପ୍ରଚାର ନିମନ୍ତେ ଭିଡିଓ ସୁଟିଂ କରିବାରେ କୌଣସି ଭୁଲ ନାହିଁ ବୋଲି ବିଶେଷଜ୍ଞମାନେ ସ୍ପଷ୍ଟ କରିଦେଇଛନ୍ତି ।

‘ଈଟିଭି ଭାରତ’ ସହ ଟେଲିଫୋନ୍‌ରେ କଥାବାର୍ତ୍ତା କରି ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏସ୍‌.କେ. ଭରଦ୍ବାଜ କହିଛନ୍ତି, “ନିୟମାବଳୀ ଅନୁସାରେ ଆପଣ ଚାକିରିର କୌଣସି ନିୟମ ଉଲ୍ଲଂଘନ ନ କରି ଯାହା କିଛି କରିପାରିବେ । ନିଜର ପ୍ରଚାର କରିବାରେ କୌଣସି ଭୁଲ ନାହିଁ । ଏହା ଏତେ ବଡ଼ ପ୍ରସଙ୍ଗ ନୁହେଁ । ସାଂସ୍କୃତିକ ଓ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମରେ ଆଇପିଏସ୍‌ ଅଧିକାରୀମାନେ ଅଂଶଗ୍ରହଣ କରିପାରିବେ, କିନ୍ତୁ ନିଜର ସ୍ବାର୍ଥସାଧନ ପାଇଁ ନୁହେଁ । ମୋ କଥାର ଅର୍ଥ ହେଲା ଯେ, ଆପଣ କୌଣସି ପାଉଣା ଦାବି କରିପାରିବେ ନାହିଁ କି ସେହି ସେବା ପାଇଁ କୌଣସି ଆର୍ଥିକ କାରବାରରେ ଲିପ୍ତ ହେବେ ନାହିଁ । ଆପଣ ଗୀତ ଗାଇ ପାରିବେ, ନାଚି ପାରିବେ, ମଞ୍ଚରେ କଳା ପ୍ରଦର୍ଶନ କରିପାରିବେ ।”

‘ବିଗ୍‌ ବସ୍‌’ କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରସିଦ୍ଧି ଅର୍ଜନ କରିଥିବା ଦୀପକ ଠାକୁରଙ୍କ ଦ୍ବାରା ସଂଯୋଜିତ ଏହି ଭିଡିଓକୁ ମାତ୍ର ଦୁଇ ଦିନରେ ସୋସିଆଲ ମିଡିଆରେ ହଜାର ହଜାର ‘ଲାଇକ୍‌’ ମିଳିଛି । ଗତ ମଙ୍ଗଳବାର ଦିନ ପାଣ୍ଡେ ଚାକିରିରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିଲେ ଏବଂ ସେ ବିଧାନସଭା କିମ୍ବା ଲୋକସଭା ପାଇଁ ଉପ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ପ୍ରସ୍ତୁତ ହେଉଛନ୍ତି । ଏହି ଭିଡିଓରେ, ବକ୍‌ସର ଜିଲ୍ଲାର ମୂଳ ନିବାସୀ ତଥା 1987 ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ପାଣ୍ଡେ, ସୁଶାନ୍ତ ସିଂହ ରାଜପୁତ ମାମଲାକୁ ନ୍ୟାୟ ଦେବା କ୍ଷେତ୍ରରେ, ନିଜକୁ ଏକମାତ୍ର ନାୟକ ରୂପେ ଉପସ୍ଥାପନ କରିଛନ୍ତି । କେବଳ ଭରଦ୍ବାଜ ନୁହନ୍ତି, ବିହାର ପୋଲିସ ସଂଘର ସଭାପତି ମୃତ୍ୟୁଞ୍ଜୟ ତିୱାରୀ ମଧ୍ୟ ସେହି ସମାନ ମତାମତ ଦୋହରାଇ କହିଛନ୍ତି ଯେ, ସମାଜ ପ୍ରତି ଏକ ଉତ୍ତମ ବାର୍ତ୍ତା ଦେବା ଲାଗି କୌଣସି ପୋଲିସ ଅଧିକାରୀଙ୍କ ଭିଡିଓ ସୁଟିଂକୁ ପୋଲିସ ଚାକିରି ସର୍ତ୍ତାବଳୀର ଉଲ୍ଲଂଘନ ରୂପେ ଗ୍ରହଣ କରାଯାଇ ପାରିବ ନାହିଁ ।

ତିୱାରୀ କହିଲେ, “ଜଣେ ଆଇପିଏସ୍‌ ଅଧିକାରୀଙ୍କ ଦ୍ବାରା ହେଉ କିମ୍ବା ଥାନା ଅଧିକାରୀ କିମ୍ବା କନେଷ୍ଟବଳଙ୍କ ଦ୍ବାରା, ଯଦି ସେହି ଭିଡିଓ ସମାଜକୁ ଏକ ଉତ୍ତମ ବାର୍ତ୍ତା ପ୍ରଦାନ କରୁଛି, ତେବେ ସେଥିରେ ଆପତ୍ତି କରାଯାଇପାରିବ ନାହିଁ । ଗୋଟିଏ ସର୍ତ୍ତ ହେଉଛି ଯେ, ସେହି କାର୍ଯ୍ୟକ୍ରମରୁ ତାଙ୍କର କୌଣସି ଆର୍ଥିକ ଲାଭ ହୋଇ ନଥିବ ।” ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେ.କେ. ସିଂହ ଦେଇଥିବା ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାମଲାର ତଦନ୍ତ ନିମନ୍ତେ ମୁମ୍ବାଇକୁ ଚାରି ଜଣିଆ ଟିମ୍‌ ପଠାଇବା ପରେ ପାଣ୍ଡେ ଜାତୀୟ ସ୍ତରରେ ଧ୍ୟାନ ଆକର୍ଷଣ କରିବା ସହିତ ଖବର ଶିରୋନାମାରେ ସ୍ଥାନ ପାଇଥିଲେ ।

ହେଲେ, ବିରୋଧୀ ଦଳ ନେତା ତଥା ଆର୍‌ଜେଡି ବିଧାୟକ ଭାଇ ବୀରେନ୍ଦ୍ର, ପାଣ୍ଡେଙ୍କ ବିରୋଧରେ ଗୁରୁତର ଅଭିଯୋଗ ବାଢ଼ିବା ସହିତ ସେ ପୋଲିସ ୟୁନିଫର୍ମକୁ ଅପମାନିତ କରିଛନ୍ତି ବୋଲି କହିଛନ୍ତି । ଏହି ପୂର୍ବତନ ଉଚ୍ଚପଦସ୍ଥ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ନିଆଯାଉ ବୋଲି ସେ ଦାବି କରିଛନ୍ତି । ବୀରେନ୍ଦ୍ର କହିଛନ୍ତି, “ନିଜକୁ ରବିନ ହୁଡ୍‌ ବୋଲି ଉପସ୍ଥାପନ କରି ପୋଲିସ ମହାନିର୍ଦ୍ଦେଶକ ଭିଡିଓ ସୁଟିଂ କରିବା ଖୁବ୍‌ ଲଜ୍ଜାଜନକ କଥା । ଏହା ଫଳରେ ସେ ସମଗ୍ର ପୋଲିସ ବ୍ୟବସ୍ଥାକୁ ଲଜ୍ଜାଜନକ ସ୍ଥିତିରେ ପକାଇଛନ୍ତି । ସେ ପୋଲିସ ୟୁନିଫର୍ମ ପ୍ରତି ଅପମାନ କରିଛନ୍ତି ଏବଂ ରାଜ୍ୟ ସରକାର ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ ।”

ଚାରି ମିନିଟ୍‌ ଷୋହଳ ସେକେଣ୍ଡର ଏହି ଭିଡିଓରେ ପାଣ୍ଡେ ଚଷମା ଏବଂ ପୋଲିସ ୟୁନିଫର୍ମ ପିନ୍ଧି ବାସ୍ତବରେ ଖୁବ୍‌ ଭଲ ଦିଶୁଛନ୍ତି ଏବଂ ଦର୍ପଣ ଆଗରେ ଠିଆ ହୋଇ ହାତ ମେଲାଉଛନ୍ତି । ଏହି ଭିଡିଓରେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକଙ୍କ ଉପରେ ପ୍ରଶଂସା ଅଜାଡ଼ି ଦିଆଯାଇଛି । କ୍ୟାମେରାର ବିଭିନ୍ନ ଆଙ୍ଗ୍‌ଲରୁ ବହୁସଂଖ୍ୟକ ଦୃଶ୍ୟ ସୁଟିଂ କରାଯାଇଛି ଏବଂ ପାଣ୍ଡେଙ୍କୁ କାର୍ଯ୍ୟରେ ବ୍ୟସ୍ତ ରହିଥିବା ଦେଖାଯାଇଛି । ତାଙ୍କୁ ଭିଡିଓରେ ‘ସିଂହମ୍‌’ ଭାବରେ ଚିତ୍ରଣ କରାଯାଇଛି ଏବଂ ତାଙ୍କ ନାଁ ଶୁଣିଲେ ଅପରାଧୀମାନେ ଥରହର ହେଉଥିବା କଥା ଉପରେ ଜୋର ଦିଆଯାଇଛି ।

ବନ୍ଧୁକରୁ ଗୁଳି ଫୁଟିବାର ଶବ୍ଦ ଏବଂ ପୋଲିସ ଗାଡ଼ିର ସାଇରନ୍‌ ଶବ୍ଦ ସହିତ ତାଙ୍କୁ ‘ଜନତାଙ୍କ ହିରୋ’ ଏବଂ ଅପରାଧୀଙ୍କ ପାଇଁ ଚେତାବନୀ ରୂପରେ ଚିତ୍ରଣ କରାଯାଇଛି । ପୂର୍ବତନ ପୋଲିସ ମହାନିର୍ଦ୍ଦେଶକଙ୍କ ସଂପର୍କିତ କୌଣସି ଭିଡିଓ ସଂପର୍କରେ ସେ ଅବଗତ ନୁହନ୍ତି ବୋଲି ଦର୍ଶାଇବା ସହିତ ଏହି ପ୍ରସଙ୍ଗରେ କିଛି କହିବା ପାଇଁ ବିଜେପି ମୁଖପାତ୍ର ଡକ୍‌ଟର ଅଜଫର ଶମସି ମନା କରିଦେଇଛନ୍ତି । ଅନ୍ୟ କେତେକ ସେବାରତ ଏବଂ ଅବସରପ୍ରାପ୍ତ ଆଇପିଏସ୍‌ ଅଫିସରଙ୍କ ସହ ବାର୍ତ୍ତାଳାପ ସମୟରେ ଏହା ହିଁ ଜଣାପଡ଼ିଛି ଯେ ପାଣ୍ଡେ ଯାହା କରିଛନ୍ତି ତାହା ପୋଲିସ ମାନୁଆଲ୍‌ ଏବଂ ଆଚରଣ ନିୟମାବଳୀର ଉଲ୍ଲଂଘନ ନୁହେଁ ।

ସ୍ବେଚ୍ଛାକୃତ ଅବସର ନେବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନେକ ସାମ୍ବାଦିକ ତାଙ୍କୁ ଏହି ଭିଡିଓ ସଂପର୍କରେ ପଚାରିଥିଲେ ଏବଂ ଏହାର ଉତ୍ତରରେ ଏ ସଂପର୍କରେ ଅଧିକ ନ କହି, ସେ କେବଳ ଏତିକି କହିଥିଲେ ଯେ ଜଣେ ଦୀପକ କୁମାର ଏହାକୁ ପ୍ରସ୍ତୁତ କରିଛନ୍ତି । ଯେଉଁଭଳି ଢଙ୍ଗରେ ସୁଶାନ୍ତ ସିଂହ ରାଜପୁତ ମାମଲାର ସମଗ୍ର ତଦନ୍ତ ପ୍ରକ୍ରିୟାର ଭାର ପାଣ୍ଡେ ନିଜ ହାତକୁ ନେଇଥିଲେ, ସେଥିରୁ ସେ ଯେ ଶେଷରେ ରାଜନୀତିରେ ଯୋଗ ଦେବେ ବୋଲି ବିଭିନ୍ନ ମହଲରେ ଆଲୋଚିତ ହେଉଥିଲା । ଏହି ପୂର୍ବାନୁମାନ ଏବେ ବାସ୍ତବତାର ରୂପ ନେବାକୁ ଯାଉଛି ।

ABOUT THE AUTHOR

...view details