ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍(ସିଏଏ)କୁ ନେଇ ଉତ୍ତର-ପୂର୍ବ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସା ଘଟଣାରେ ଏବେସୁଦ୍ଧା 30 ଜଣ ପ୍ରାଣ ହରାଇସାରିଲେଣି । ଦିଲ୍ଲୀର ଜିଟିବି ହସ୍ପିଟାଲରେ 28 ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ 2 ଜଣ ପ୍ରାଣ ହରାଇଛନ୍ତି । ସେହିପରି ପ୍ରାୟ ୨୫୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଛନ୍ତି । ସେମାନଙ୍କୁ ଜାତୀୟ ରାଜଧାନୀର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସେପଟେ ହିଂସା ଘଟଣାରେ ଏବେ ସୁଦ୍ଧା ଦିଲ୍ଲୀ ପୋଲିସ ୧୮ଟି ଏଫଆଇଆର ରୁଜୁ କରିଥିବା ବେଳେ ୧୦୬ ଜଣଙ୍କୁ ଗିରଫ କରିଛି । ତେବେ ବୁଧବାର କୌଣସି ଅପ୍ରୀତିକର ଘଟଣା ଘଟିନଥିବା ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି । ନାଗରିକଙ୍କ ସହାୟତା ପାଇଁ ଦୁଇଟି ଟେଲିଫୋନ ନମ୍ବର ଜାରି କରାଯାଇଛି । ଯିଏ ଅଭିଯୋଗ କରିବାକୁ ଚାହିଁବେ ୨୨୮୨୯୩୩୪ ଏବଂ ୨୨୮୨୯୩୩୫ ନମ୍ବରକୁ କଲ୍ କରି ଅଭିଯୋଗ କରିପାରିବେ । ଏହା ବ୍ୟତୀତ ସାଧାରଣ ଜନତା ଜରୁରୀକାଳୀନ ନମ୍ବର ୧୧୨କୁ ଫୋନ୍ କରି ଅଭିଯୋଗ ଦାୟର କରିପାରିବେ ବୋଲି ଦିଲ୍ଲୀ ପୋଲିସ କହିଛି । ହିଂସାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସିସିଟିଭି ଫୁଟେଜ ଆଧାରରେ ହିଂସାକାରୀଙ୍କୁ ଚିହ୍ନଟ କରାଯାଉଛି ବୋଲି ପୋଲିସ ପକ୍ଷରୁ କୁହାଯାଉଛି ।