ନୂଆଦିଲ୍ଲୀ : କଳା ତାଲିକାଭୁକ୍ତ ହୋଇପାରେ ପାକିସ୍ତାନ । ଶୁକ୍ରବାର ପ୍ୟାରିସରେ ସମାପ୍ତ ହେବାକୁ ଯାଉଛି ଫାଇନାନ୍ସ ଆକ୍ସନ ଟାକ୍ସ ଫୋର୍ସ(ଏଫ୍ଏଟିଏଫ୍) କମିଟି ବୈଠକ। ପୂର୍ବରୁ ପାକିସ୍ତାନକୁ ଗ୍ରେ ତାଲିକାଭୁକ୍ତ କରିଛି ଏଫ୍ଏଟିଏଫ୍। ଶୁକ୍ରବାର ଅନ୍ତିମ ବୈଠକ ରହିଥିବା ବେଳେ ପାକିସ୍ତାନକୁ କଳା ତାଲିକା ଭୁକ୍ତ କରିବାକୁ ନିଷ୍ପତ୍ତି ନେଇପାରେ କମିଟି।
ପାକିସ୍ତାନ ସପକ୍ଷରେ ମାଲେସିଆ, ଚୀନ ଓ ତୁର୍କୀର ସମର୍ଥନ ରହୁଥିବା ବେଳେ ଅନ୍ୟ ସଦସ୍ୟ ରାଷ୍ଟ୍ର ଏହା ବିପକ୍ଷରେ ନିଜର ମତ ରଖିଛନ୍ତି। ଯେହେତୁ ପାକିସ୍ତାନ ସପକ୍ଷରେ ତିନୋଟି ରାଷ୍ଟ୍ରର ସମର୍ଥନ ରହୁଛି ତେଣୁ ଏହି ଦେଶ ଗୁଡ଼ିକ ଗ୍ରେ ଲିଷ୍ଟରେ ପାକିସ୍ତାନକୁ ପୁନର୍ବାର ରଖିବାକୁ ଚାହିଁବେ।
ଏପଟେ ବ୍ଲାକ୍ ଲିଷ୍ଟରୁ ବର୍ତ୍ତିବା ପାଇଁ ୨୬ଟି ଆକ୍ସନ ପ୍ଲାନ୍ ଏଫ୍ଏଟିଏଫ୍ ଆଗରେ ରଖିଥିଲା ପାକିସ୍ତାନ । ପରେ ଅକ୍ଟୋବର ୨୦୧୯ ସୁଦ୍ଧା ୨୬ଟି ଆକ୍ସନ ପ୍ଲାନ୍କୁ କାର୍ଯ୍ୟ କରି ଏହାକୁ ସଫଳ ଭାବେ ଶେଷ କରିବା ନେଇ ଏଫ୍ଏଟିଏଫ୍ ପକ୍ଷରୁ ଆଦେଶ ଦିଆଯାଇଥିଲା । ଏବେ ୨୦ଟି ଆକ୍ସନ ପ୍ଲାନ୍ ଉପରେ ପାକିସ୍ତାନ ସଫଳ ଭାବେ କାମ ଜାରି ରଖିଛି । ତେଣୁ ଏଫ୍ଏଟିଏଫ୍ ଏହାକୁ ପୂର୍ବ ଭଳି ଗ୍ରେ ଲିଷ୍ଟରେ ରଖି ପାରେ ବୋଲି ମଧ୍ୟ ଆଶା କରାଯାଉଛି ।
ଅନ୍ୟପଟେ ପାକିସ୍ତାନରେ ଏବେ ସୁଦ୍ଧା ଆତଙ୍କବାଦୀଙ୍କ କାର୍ଯ୍ୟାକଳାପ ପୂର୍ବଭଳି ରହିଛି ।ତିନୋଟି ରାଷ୍ଟ୍ରକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଦେଶ ପାକ୍ ବିପକ୍ଷରେ ଅଛନ୍ତି। ତେଣୁ ଏଫ୍ଏଟିଏଫ୍ର ଅନ୍ତିମ ବୈଠକରେ ବ୍ଲାକଲିଷ୍ଟ ହେବାର ସମ୍ଭାବନା ମଧ୍ୟ ଉଜ୍ଜୀବିତ।