ଗାନ୍ଧୀନଗର: ଗୁଜୁରାଟରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବାରୁ ଏଠାରେ ପୁଣିଥରେ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ ହେବ ବୋଲି ଚର୍ଚ୍ଚା ଜୋର ଧରିଥିଲା । ତେବେ ଏହାକୁ ଖାରଜ କରିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ରାଜ୍ୟରେ ପୁଣି ଥରେ ସମ୍ପୂର୍ଣ୍ଣ ଲକଡାଉନ କରିବାର କୌଣସି ଯୋଜନା ନାହିଁ ବୋଲି ସୋମବାର ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ସୋସିଆଲ ମିଡିଆରେ ଲକଡାଉନ ଲାଗୁ ହେବା ସମ୍ପର୍କରେ ଘୁରି ବୁଲୁଥିବା ଖବରକୁ ଖାରଜ କରି ଏହି ଖବର ସମ୍ପୂର୍ଣ୍ଣ ମିଥ୍ୟା ଏବଂ ନିରାଧାର ବୋଲି ସେ କହିଛନ୍ତି । ଏହା ସହିତ ଏଭଳି ଗୁଜବରୁ ଦୂରେଇ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଜୁନ 1 ପରଠାରୁ ରାଜ୍ୟରେ କଟକଣା କୋହଳ କରାଯାଇଥିଲା । ଏହାପରେ ଅଧିକ ପ୍ରଭାବିତ ହୋଇନଥିବା କ୍ଷେତ୍ରରେ ଉଦ୍ୟୋଗ କାର୍ଯ୍ୟାଳୟ, ଦୋକାନ, ବସ୍ ଏବଂ ଟାକ୍ସି ସେବା ଆରମ୍ଭ ହୋଇଥିଲା । ତେବେ ଜୁନ 1 ରେ ଅନଲକ ଆରମ୍ଭ ହେବାପରେ ଦୈନିକ ଜୀବନଯାପନ ଧୀରେ ଧୀରେ ସାମାନ୍ୟ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ରୂପାଣୀ କହିଛନ୍ତି । ରାଜ୍ୟରେ ବାଣିଜ୍ୟ ଏବଂ ବାଣିଜ୍ୟିକ ଗତିବିଧି ମଧ୍ୟ ଜୋରଦାର ଚାଲିଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ପୁଣିଥରେ ସମ୍ପୂର୍ଣ୍ଣ ଲକଡାଉନ କରିବେ ନାହିଁ ବୋଲି ସେ କହିଛନ୍ତି ।