ନୂଆଦିଲ୍ଲୀ: ରେଳ ଯାତ୍ରା କରୁଛନ୍ତି କି ତେବେ ଧ୍ୟାନ ଦିଅନ୍ତୁ ! ଏଥର ଆଉ ଟ୍ରେନରେ ମିଳିବନି କମ୍ବଳ । କୋରୋନା କାଳରେ ଏହି ନିୟମକୁ ସଂକ୍ରମଣ ଦୃଷ୍ଟିରୁ ପରିବର୍ତ୍ତନ କରାଯାଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ବଳବତ୍ତର ରହିବ।
ଏସି କୋଚରେ ଯାତ୍ରା କରୁଥିବା ରେଳ ଯାତ୍ରୀମାନଙ୍କୁ ନିଜ କମ୍ବଳ ଏବଂ ବେଡସିଟ୍ ସହିତ ମହାମାରୀ କମିଯିବା ପରେ ମଧ୍ୟ ଯାତ୍ରା କରିବାକୁ ପଡିବ ବୋଲି ରେଳ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ ଶନିବାର କହିଛନ୍ତି।
ଗଣମାଧ୍ୟମକୁ ଉତ୍ତର ଦେଇ ଯାଦବ କହିଛନ୍ତି, "ଆମେ ଯାତ୍ରୀମାନଙ୍କୁ ଏକକ ବ୍ୟବହାର ଶଯ୍ୟା ଦେବାକୁ ନିଷ୍ପତ୍ତି ନେଇଛୁ । ହେଲେ ମହାମାରୀ କମିଯିବା ପରେ ମଧ୍ୟ ଯାତ୍ରୀମାନେ ନିଜ ନିଜ ବେଡସିଟ୍ ଏବଂ କମ୍ବଳ ନେଇପାରିବେ। ଏଥିପାଇଁ ଏକ ବିସ୍ତୃତ ନୀତି ପ୍ରସ୍ତୁତ କରାଯାଇଛି ଏବଂ ନିଷ୍ପତ୍ତି ନିଆଯାଇଛି। " ସେ କହିଛନ୍ତି ଯେ ରେଳ ଯାତ୍ରା ସମୟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ରେଳବାଇ ଉଦ୍ୟମ କରୁଛି। ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ରେଳବାଇ ପ୍ରାୟ 500 ଟ୍ରେନ୍ ଚଳାଚଳ ବନ୍ଦ କରିପାରେ ବୋଲି ସେ ଗଣମାଧ୍ୟମର ରିପୋର୍ଟକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ନିର୍ଦ୍ଦିଷ୍ଟ ଭାବରେ କହିଛନ୍ତି ଯେ କୌଣସି ଟ୍ରେନର ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇ ନାହିଁ କିମ୍ବା ଷ୍ଟେସନ ବନ୍ଦ ରହିବ ନାହିଁ।
ସେ କହିଛନ୍ତି ଯେ ଆମେ "ଜିରୋ-ଆଧାରିତ ଟାଇମ୍ ଟେବୁଲ୍" ପ୍ରସ୍ତୁତ କରୁଛୁ ଏବଂ ଏଥିରେ ଆଇଆଇଟି ମୁମ୍ବାଇର ସହାୟତା ନେଉଛୁ। ଏହା ମଧ୍ୟ ସମ୍ଭବ ଯେ କିଛି ନୂତନ ଟ୍ରେନ୍ ପ୍ରଚଳନ ହେବ କିମ୍ବା ରହିଥିବା ଟ୍ରେନ୍ଗୁଡ଼ିକର ନାମ ପରିବର୍ତ୍ତନ ହୋଇପାରେ।