ପାଟନା: ବିହାର ନିର୍ବାଚନକୁ ନେଇ ଦେଶରେ ଏବେ ସରଗରମ ମାହୋଲ । ଅନେକ ରାଜ୍ୟରେ ଉପନିର୍ବାଚନ ଅନୁଷ୍ଠିତ ହେଉଥିଲେ ହେଁ ସମସ୍ତଙ୍କ ନଜର ବିହାରର ନିର୍ବାଚନ ପାଣିପାଗ ଉପରେ । ତେବେ ବିହାରର ଭୋଟର କାହାକୁ ଚାହୁଁଛନ୍ତି ନିଜ ନେତା ଭାବରେ । କଣ ରହିଛି ସେମାନଙ୍କ ଏହା ଉପରେ ମତ । କୌଣସି ବରିଷ୍ଠ ରାଜନେତା ନା ଯୁବ ଚେହେରା, କାହା ଉପରେ ଭରସା କରୁଛନ୍ତି ବିହାରର ମୁସଲିମ ଭୋଟର । ଜାଣନ୍ତୁ ନିର୍ବାଚନକୁ ନେଇ କଣ କହୁଛନ୍ତି ମୁସଲମାନ ମହିଳା ।
ବିହାରର ଠାକୁରଗଞ୍ଜ ବିଧାନସଭା ପରିସରରେ ଚା’ ଦୋକାନ କରିଥିବା ଜଣେ ମୁସଲିମ ମହିଳା ଭୋଟର କୁହନ୍ତି, ଆମେ ସମାଜରେ ଶାନ୍ତି ପ୍ରତିଷ୍ଠା କରୁଥିବା ସରକାର ଚାହୁଁଛୁ। ଅନ୍ୟପକ୍ଷରେ, ଗୃହିଣୀ ସଲମା ବାନୋ କହିଛନ୍ତି ଯେ, ଶିକ୍ଷା ଗୁରୁତ୍ୱପୂର୍ଣ୍ଣ କିନ୍ତୁ ମହିଳାଙ୍କ ସୁରକ୍ଷା, ରୋଜଗାର ଏବଂ ବିକାଶ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ଉପରେ ଗୁରୁତ୍ବ ଦେଉଥିବା ସରକାର ସେ ଚାହାନ୍ତି । ସେହିପରି ଅନ୍ୟ କିଛି ମହିଳା ମହିଳା ଏଲଜେପିର ଚିରାଗ ପାସୱାନଙ୍କ ଉପରେ ଭରସା କରିଛନ୍ତି । ଚିରାଗଙ୍କୁ ହିଁ ସେ ନେତା ଭାବରେ ବିବେଚନା କରନ୍ତି । ଆଉ କିଛି ଭୋଟର ଏଲଜେପି ପ୍ରାର୍ଥୀ କାଲିମୁଦ୍ଦିନଙ୍କୁ ଫେରାଇ ଆଣିବାକୁ ଚାହିଁଛନ୍ତି । ଅନ୍ୟକିଛି ଭୋଟର ମୁଖ୍ୟମନ୍ତ୍ରୀ ନୀତିଶଙ୍କ କାର୍ଯ୍ୟକୁ ପସନ୍ଦ କରିଛନ୍ତି । ସେ ମୁସଲମାନ ମହିଳାଙ୍କ ପାଇଁ ଅନେକ କିଛି କରିଥିବା କୁହନ୍ତି ଭୋଟର ।
କେବଳ ଗୃହିଣୀ ନୁହେଁ ଛାତ୍ରଛାତ୍ରୀ ମଧ୍ୟ ନିର୍ବାଚନକୁ ନେଇ ମତ ପ୍ରକାଶ କରିଛନ୍ତି । କିଛି ଛାତ୍ରଛାତ୍ରୀ ଯୁବ ଚେହେରା ଚିରାଗ ପାଶୱାନଙ୍କୁ ବହୁତ ପସନ୍ଦ କରିଛନ୍ତି । ଏନେଇ ଛାତ୍ରୀ ସାନିଆ କୁହନ୍ତି, ଚିରାଗ ପାଶୱାନ ଜଣେ ଯୁବ ନେତା । ସେ ବିହାରର ବିକାଶ ପାଇଁ ଏକାକୀ ଲଢେଇ କରୁଛନ୍ତି। ଆଜିକା ସମୟରେ ଯୁବକମାନେ କେଉଁ ପ୍ରକାରର ଚାକିରି ଚାହୁଁଛନ୍ତି ତାହା ସେ ଭଲ ଭାବରେ ବୁଝି ପାରିବେ | ତେଣୁ ଯୁବକମାନେ ନିଶ୍ଚିତ ଭାବରେ ଏଲଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି ।