ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ଦେହାନ୍ତର କିଛି ଘଣ୍ଟା ପୂର୍ବରୁ ଲୋକଜନଶକ୍ତି ପାର୍ଟି (ଏଲଜେପି) ମୁଖ୍ୟ ଚିରାଗ ପାଶୱାନ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଲେଖିଥିବା ଏକ ଚିଠି ସାର୍ବଜନୀନ ହୋଇଛି । ଯେଉଁଥିରେ ସେ ତାଙ୍କ ପିତାଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି । ରାଜ୍ୟସଭା ନିର୍ବାଚନକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାମବିଳାସ ପାଶୱାନଙ୍କୁ ଅପମାନିତ କରିଥିବା ଚିଠିରେ ଉଲ୍ଲେଖ ରହିଛି ।
ସେପ୍ଟେମ୍ବର 24 ରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡାଙ୍କୁ ଲେଖିଥିବା ଚିଠିରେ ଚିରାଗ କହିଛନ୍ତି ଯେ 2019 ଲୋକସଭା ନିର୍ବାଚନ ପାଇଁ ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ମୋ ବାପାଙ୍କ ସହ ଆସନ ବାଣ୍ଟିବା ଚୁକ୍ତି ସମୟରେ ମୁଁ ମଧ୍ୟ ଉପସ୍ଥିତ ଥିଲି। ଗୋଟିଏ ରାଜ୍ୟସଭା ଆସନ LJP କୁ ଯିବ ବୋଲି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ରାଜ୍ୟସଭା ନିର୍ବାଚନ ସମୟରେ ନୀତୀଶ କୁମାର ମୋ ପିତାଙ୍କୁ ଅପମାନିତ କରିଛନ୍ତି । ରାମବିଳାସ ପାଶୱାନଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରିଛନ୍ତି ।
ଚିରାଗ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ନୀତୀଶ କୁମାର ଓ ଅମିତ ଶାହାଙ୍କ ଉପସ୍ଥିତିରେ ରାମବିଳାସଞଙ୍କ ପ୍ରାର୍ଥୀତ୍ବ ଘୋଷଣା କରାଯାଇଛି। ମାତ୍ର ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ପାଶୱାନଙ୍କୁ ତାଙ୍କ ବାସଭବନରେ ନୀତୀଶ କୁମାରଙ୍କୁ ଦେଖା କରିବାକୁ କୁହାଯାଇଥିଲା। "କିନ୍ତୁ ସେଠାରେ ନୀତୀଶ କୁମାରଙ୍କ ମୋ ପିତାଙ୍କ ସହ ଆଚରଣ ଭଲ ନଥିଲା। ଅନେକ ଅନୁରୋଧ ସତ୍ତ୍ବେ ନୀତୀଶ କୁମାର ନାମାଙ୍କନ ଦାଖଲ ପାଇଁ ବିହାର ବିଧାନସଭାକୁ ରାମ ବିଳାସ ପାଶୱାନଙ୍କୁ ସାଙ୍ଗରେ ନେଇ ନଥିଲେ।" ଚିରାଗ ତାଙ୍କ ଚିଠିରେ ଆହୁରି ଜୋର ଦେଇଛନ୍ତି ଯେ ତାଙ୍କ ପିତା, ତାଙ୍କ ଦଳର କର୍ମକର୍ତ୍ତାଙ୍କ ପ୍ରତି ଅପମାନ ସତ୍ତ୍ବେ ସେ ନୀତୀଶ କୁମାରଙ୍କ ଉପରେ ଆକ୍ରମଣ କରିନାହାଁନ୍ତି ଏବଂ ମିଳିତ ମଞ୍ଚର ନିୟମ ପାଳନ କରିଆସୁଛନ୍ତି।