ଓଡିଶା

odisha

ETV Bharat / bharat

‘ନିସର୍ଗ’: ଗୁଜୁରାଟ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଆଲୋଚନା - ନିସର୍ଗ

ଭାରତରେ କୋରୋନା କେନ୍ଦ୍ରରେ ପରିଣତ ହୋଇଥିବା ମହାରାଷ୍ଟ୍ର ବର୍ତ୍ତମାନ ଆଉ ଏକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ମହାରାଷ୍ଟ୍ର ଓ ଗୁଜୁରାଟର ଅନେକ ଉପକୂଳବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ‘ନିସର୍ଗ’ ଆସିବାକୁ ଯାଉଛି।

nisarga strom  alert
ନିସର୍ଗ

By

Published : Jun 3, 2020, 11:47 AM IST

ମୁମ୍ବାଇ: ଭାରତରେ କୋରୋନା କେନ୍ଦ୍ର ଭାବେ ପରିଚିତ ମହାରାଷ୍ଟ୍ର ବର୍ତ୍ତମାନ ଆଉ ଏକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ମହାରାଷ୍ଟ୍ର ଓ ଗୁଜୁରାଟର ଅନେକ ଉପକୂଳବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ‘ନିସର୍ଗ’ ଆସିବାକୁ ଯାଉଛି। ଏହି ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ତେବେ ପ୍ରକୃତି ଝଡର ମୁକାବିଲା ପାଇଁ ମହାରାଷ୍ଟ୍ରରେ ପ୍ରଶାସନ ଅନେକ ପ୍ରସ୍ତୁତି ଚଳାଇଛି। ଏହି ବିପର୍ଯ୍ୟୟର ମୁକାବିଲା ପାଇଁ 40 ଟି NDRF ଦଳ ଏଠାରେ ନିୟୋଜିତ ହୋଇଛନ୍ତି । ମୁମ୍ବାଇରେ 3ଟି, ରାୟଗଡରେ 3 ଟି, ପାଲଘର, ଥାନେ ଓ ରତ୍ନାଗିରିରେ ଏନଡିଆରଏଫର 3ଟି ଦଳ ଲେଖାଏଁ ନିୟୋଜିତ ହୋଇଛନ୍ତି।

ଏଥି ସହିତ ଗୁଜୁରାଟର ଦମନରେ ଏହି ଝଡ ଯୋଗୁଁ ବର୍ଷା ଓ ପ୍ରବଳ ପବନ ଆରମ୍ଭ ହୋଇଛି। ସ୍ଥାନୀୟ ଲୋକଙ୍କୁ ଏଠାରୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ପାଣିପାଗ ବିଭାଗ ଅନୁଯାୟୀ, ‘ନିସର୍ଗ’ ଝଡ ପ୍ରଥମେ ମହାରାଷ୍ଟ୍ରର ଆଲିବାଗ ସୀମାକୁ ଆସିବ। କୁହାଯାଉଛି ଯେ ଘୂର୍ଣ୍ଣିବଳୟ ଘଣ୍ଟା ପ୍ରତି 110 କିଲୋମିଟର ବେଗରେ ମହାରାଷ୍ଟ୍ର ଆଡକୁ ଗତି କରୁଛି। ଏହା ବର୍ତ୍ତମାନ ଆଲିବାଗ ଠାରୁ ପ୍ରାୟ 100 କିଲୋମିଟର ଦୂରରେ । ନାଶିକ, ମୁମ୍ବାଇ, ପାଲଘର, ସିନ୍ଧୁଦର୍ଗ, ରତ୍ନାଗିରି, ରାୟଗଡ, ମୁମ୍ବାଇ ଓ ଥାନେ ଭଳି ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ଝଡ ସୃଷ୍ଟି ହେବ। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକଙ୍କୁ ଏହି ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ପଠାଯାଉଛି। ଏହି ଘୂର୍ଣ୍ଣିବଳୟକୁ ଦୃଷ୍ଟିରେ ରଖି ଲୋକମାନେ କୂଳକୁ ନ ଯିବା ପାଇଁ ମୁମ୍ବାଇ ପୋଲିସ ସହରରେ ଧାରା 144 ଲାଗୁ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ଓ ଗୁଜୁରାଟର ମୁଖ୍ୟମନ୍ତ୍ରୀଙ୍କ ସହ ‘ନିସର୍ଗ’ ସମ୍ପର୍କରେ କଥା ହୋଇଛନ୍ତି । ସେମାନଙ୍କୁ କେନ୍ଦ୍ରର ସମସ୍ତ ସାହାଯ୍ୟ ବିଷୟରେ ନିଶ୍ଚିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଏକ ବୈଠକ କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଘୂର୍ଣ୍ଣିବଳୟ ସମ୍ବନ୍ଧରେ ଗୃହମନ୍ତ୍ରୀ ତଥା ଏନଡିଏମଏ, ଏନଡିଆରଏଫ ସହିତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏଥିସହ କେନ୍ଦ୍ରରୁ ରାଜ୍ୟକୁ ସମସ୍ତ ପ୍ରକାର ସହାୟତା ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପାଣିପାଗ ବିଭାଗ ଦାବି କରିଛି ଯେ ଯେତେବେଳେ ଝଡ ସୃଷ୍ଟି ହୁଏ, ସେତେବେଳେ ସମୁଦ୍ରରେ 6 ଫୁଟରୁ ଅଧିକ ଉଚ୍ଚ ତରଙ୍ଗ ଉଠିପାରେ। ସୁରକ୍ଷା ଦୃଷ୍ଟିରୁ 80 ହଜାର ଲୋକଙ୍କୁ ମୁମ୍ବାଇର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଯଦି ମୁମ୍ବାଇବାସୀ ଝଡ ସହିତ ଜଡିତ କୌଣସି ସୂଚନା ପାଇବାକୁ ଚାହାଁନ୍ତି, ତେବେ ସେମାନଙ୍କୁ 1916 ଡାଏଲ୍ କରିବାକୁ ପଡିବ, ଏହାପରେ 4 ପ୍ରେସ୍ କରିବା ପରେ ସେମାନେ ଝଡ ସମ୍ବନ୍ଧୀୟ ସୂଚନା ପାଇପାରିବେ । ଏହି ହେଲ୍ପଲାଇନ ନମ୍ବର ସହିତ ସମସ୍ତ ସନ୍ଦେହର ସମାଧାନ ହୋଇପାରିବ ।

ABOUT THE AUTHOR

...view details