ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ରଣଦୀପ ସିଂ ସୁରଜେୱାଲାଙ୍କ ‘ୱିଲଫୁଲ ଡିଫଲ୍ଟର, ବ୍ୟାଡ ଲୋନସ ଓ ରାଇଟ ଅଫ୍’ ଭଳି ବିଭିନ୍ନ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହା ଦ୍ବାରା ସେମାନେ ଲୋକମାନଙ୍କୁ ଭଡକାଉଥିବା ସେ ଉଲ୍ଲେଖ କରିଛନ୍ତି । ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବ୍ୟାଙ୍କ ଠକେଇ ଅଭିଯୋଗରେ 50 ଜଣ ଇଚ୍ଛାକୃତ ଖିଲାପଧାରୀଙ୍କ ତାଲିକା ପ୍ରକାଶ କରିବା ପରେ ରାହୁଳ ଗାନ୍ଧୀ ବିଜେପିକୁ ଟାର୍ଗେଟ କରିଥିଲେ ।
ଅର୍ଥମନ୍ତ୍ରୀ ସୀତାରମଣ ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି, ‘ଲୋକସଭା ସାଂସଦ ରାହୁଲ ଗାନ୍ଧୀ ଓ କଂଗ୍ରେସର ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ସାଧାରଣ ଲୋକଙ୍କୁ ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି । ’ ସୀତାରମଣ ଉଠାଯାଇଥିବା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘କଂଗ୍ରେସ ନେତାଙ୍କ ଆଜିର ପ୍ରୟାସ ହେଉଛି, ୱିଲଫୁଲ ଡିଫଲ୍ଟର, ବ୍ୟାଡ ଲୋନସ ଓ ରାଇଟ ଅଫ୍’2009-10 ରୁ 2013-14 ମଧ୍ୟରେ ଧାର୍ଯ୍ୟ ବାଣିଜ୍ୟିକ ବ୍ୟାଙ୍କଗୁଡିକ 1,45,226.00 କୋଟି ଟଙ୍କାର ରାଇଟ ଅଫ୍ କଥା କୁହାଯାଇଛି । ରାହୁଲ ଗାନ୍ଧୀ ଏନେଇ ଡ. ମନମୋହନ ସିଂଙ୍କ ସହ ପରାମର୍ଶ କରିଥିଲେ କି ? ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଆରବିଆଇ ଦ୍ବାରା ସ୍ଥାପିତ ଚାରି ବର୍ଷର ପ୍ରୋଭିଜନିଂ ସାଇକେଲ ଅନୁଯାୟୀ ଏନପିଏ ପାଇଁ ବ୍ୟବସ୍ଥା କରାଯାଇଛି । ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯିବା ପରେ ବ୍ୟାଙ୍କଗୁଡିକ ପ୍ରଦାନ କରାଯାଇଥିବା ଏନପିଏକୁ ବନ୍ଦ କରିଦେବା ସହ ଋଣ ନେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି । କାହା ପାଇଁ କୌଣସି ଋଣ ଛାଡ କରାଯାଇନାହିଁ ।’ ଯେଉଁ ଖିଲାପକାରୀମାନେ ମାନେ ବ୍ୟାଙ୍କ ଅନୁମତି ବିନା ସକ୍ଷମ ଥାଇ ଦେୟ ପ୍ରଦାନ କରିନାହାନ୍ତି, ଡାଇଭର୍ଟ କିମ୍ବା ସିଫନ ଅଫ ପାଣ୍ଠି ଦେବାର କ୍ଷମତା ଥାଇ ମଧ୍ୟ ପରିଶୋଧ କରନ୍ତି ନାହିଁ ସେମାନେ ଇଚ୍ଛାକୃତ ଖିଲାପଧାରୀ ଭାବେ ବର୍ଗୀକୃତ ହୁଅନ୍ତି । ଏଭଳି ଲୋକମାନେ ୟୁପିଏ ସରକାରଙ୍କ ଫୋନ ବ୍ୟାଙ୍କିଙ୍ଗରୁ ଉପକୃତ ହୋଇଥିଲେ ବୋଲି ସୀତାରମଣ କହିଛନ୍ତି ।
ସହଯୋଗୀ ରହିଥିବା ଋଣ ଖିଲାପକାରୀଙ୍କୁ ନାମକୁ ବିଜେପି ଲୁଚାଉଥିବା କଥା ରାହୁଲ ଟ୍ବିଟରରେ ଅଭିଯୋଗ କରିଥିଲେ । ଏହା ସହିତ ସେ ସଂସଦରେ 50 ଜଣ ବ୍ୟାଙ୍କ ଋଣ ଖିଲାପରକାରୀଙ୍କ ନାମ ପ୍ରକାଶ କରିବାକୁ କହିଥିଲେ ମଧ୍ୟ ଅର୍ଥମନ୍ତ୍ରୀ ଉତ୍ତର ଦେବାକୁ ମନା କରିଥିବା ସେ ଉଲ୍ଲେଖ କରିଥିଲେ । ସେହିପରି ଆରବିଆଇ ନିରବ ମୋଦି, ମେହୁଲ ଚୋକସି ଓ ଅନ୍ୟ ବିଜେପି ହିତାକାଂକ୍ଷୀମାନଙ୍କ ନାମ ତାଲିକାରେ ନଥିବା ରାହୁଲ ଅଭିଯୋଗ କରିଥିଲେ।