ଓଡିଶା

odisha

By

Published : Apr 12, 2019, 8:26 PM IST

ETV Bharat / bharat

ରାଷ୍ଟ୍ରପତିଙ୍କୁ ସେନାମୁଖ୍ୟଙ୍କ ଚିଠି: ଖବରକୁ ଖଣ୍ଡନ କଲେ ପ୍ରତିରକ୍ଷା ମନ୍ତ୍ରୀ

ସେନାରେ ରାଜନୀତିକରଣ ହେଉଥିବା ନେଇ 150 ଜଣ ପୂର୍ବତନ ସେନାମୁଖ୍ୟ ରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖିଥିବା ଖବର ପ୍ରକାଶ ପାଇଛି । ଏହାକୁ ଖଣ୍ଡନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କିଛି ଅବସରପ୍ରାପ୍ତ ସେନାମୁଖ୍ୟ ଚିଠି ପଠାଇଥିବା ଖବରକୁ ଖଣ୍ଡନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ଘଟଣାକୁ ନିନ୍ଦନୀୟ ଓ ଚିନ୍ତାଜନକ ବୋଲି କହିବା ସହ ଏହି ଚିଠିକୁ ମିଛ ବୋଲି କହିଛନ୍ତି । ରାଷ୍ଟ୍ରପତି ଭବନ ପକ୍ଷରୁ ମଧ୍ୟ ଏପରି କୌଣସି ଚିଠି ପାଇନଥିବା ନେଇ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ସେନାର ରାଜନୀତିକରଣ ହେଉଥିବା ନେଇ 150 ଜଣ ପୂର୍ବତନ ସେନାମୁଖ୍ୟ ରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖିଥିବା ଖବର ପ୍ରକାଶ ପାଇଥିଲା । ଏଥିରେ ସେମାନେ ଯବାନଙ୍କ ନାମକୁ ନିର୍ବାଚନୀ ପ୍ରଚାରରେ ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ କରିଥିଲେ । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏହି ଚିଠିରେ ସେମାନେ ଅନୁରୋଧ କରିଥିବା ଖବର ଭାଇରାଲ ହୋଇଥିଲା ।

ତେବେ ଏହି ଖବର ସମ୍ପୂର୍ଣ୍ଣ ରୂପେ ମିଥ୍ୟା ଓ ଗୁଜବ । ଏଥିରେ କୌଣସି ସତ୍ୟତା ନାହିଁ । ଜଣାନାହିଁ ଏପରି ମିଥ୍ୟା ଚିଠି କେଉଁଠାରୁ ଆସୁଛି ବୋଲି ସୀତାରମଣ କହିଛନ୍ତି । ଏହାସହ ଅବସରପ୍ରାପ୍ତ ଏୟାର ମାର୍ଶଲ ଏନ ସି ସୁରୀ ଏବଂ ଜେନେରାଲ ଏସ୍‌ ଏଫ୍ ରାଡ୍ରିଗଜ୍‌ ମଧ୍ୟ କହିଛନ୍ତି ଯେ ଏଭଳି କୌଣସି ଚିଠିରେ ସେମାନେ ସାଇନ କରିନାହାନ୍ତି ।

ରାଜନୀତି ଠାରୁ ଅନେକ ଦୂରରେ ଥିବା ବେଳେ ଏପରି ଚିଠି କିଏ ଲେଖିଲା ଓ କେଉଁଠୁ ଆଣିଲା ସେନେଇ କୌଣସି ତଥ୍ୟ ନାହିଁ ବୋଲି ଉଭୟ କହିଛନ୍ତି । ଏମାନଙ୍କ ନାମ ଉକ୍ତ ଚିଠିରେ ଥିବାର ଖବର ଭାଇରାଲ ହୋଇଥିଲା । ତେବେ ଏହି ଦୁଇ ଜଣଙ୍କ ବ୍ୟତୀତ ରାଷ୍ଟ୍ରପତିଙ୍କୁ ଲେଖାଯାଇଥିବା ଏହି ଚିଠିରେ ଯେଉଁ ପୂର୍ବତନ ସେନା ପ୍ରମୁଖଙ୍କ ନାମ ରହିଛି ସେମାନେ ହେଲେ ଜେନେରାଲ ଶଙ୍କର ରାୟ ଚୌଧୁରୀ, ଜେନେରାଲ ଦୀପକ କପୁର, ଆଡମିରାଲ୍ ଲକ୍ଷ୍ମୀ ନାରାୟଣ ରାମଦାସ, ଆଡମିରାଲ ବିଷ୍ଣୁ ଭଗୱତ ଏବଂ ଆଡମିରାଲ ଅରୁଣ ପ୍ରକାଶ ।

ABOUT THE AUTHOR

...view details