ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାର ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ। ମଙ୍ଗଳବାର ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଅକ୍ଷୟ କୁମାର ସିଂହର ପୁନର୍ବିଚାର ପିଟିସନର ଶୁଣାଣି ବେଳେ ମୁଖ୍ୟ ବିଚାରପତି ଏଥିରୁ ଓହରି ଯାଇଛନ୍ତି। ଫଳରେ ଆସନ୍ତାକାଲି ଏହି ମାମଲାର ଶୁଣାଣି ଅନ୍ୟ ଏକ ଖଣ୍ଡପୀଠରେ କରାଯିବ।
ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲା: ଶୁଣାଣିରୁ ଓହରିଲେ ସିଜେଆଇ - Nirbhaya Hearing adjourned as cji rescues himself
ନୂଆଦିଲ୍ଲୀରେ ହୋଇଥିବା ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାର ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବେଡ। ଆଜି ଏହି ମାମଲାର ଅନ୍ୟ ଏକ ଅଭିଯୁକ୍ତ ଅକ୍ଷୟ କୁମାରର ରିଭ୍ୟୁ ପିଟିସନ ସୁପ୍ରିମକୋର୍ଟରେ ଶୁଣାଣି ହେବା ପୂର୍ବରୁ ମୁଖ୍ୟ ବିଚାରପତି ଏଭଳି ନିଷ୍ପତ୍ତି ନେଇଛନ୍ତି।
ପୂର୍ବରୁ ଏହି ଘଟଣାରେ ପୀଡିତାଙ୍କ ପକ୍ଷରୁ ଜଷ୍ଟିସ ବୋବେଡଙ୍କ ସମ୍ପର୍କୀୟ ମାମଲା ଲଢୁଥିଲେ। ନୈତିକତା ଦୃଷ୍ଟିରୁ ସେ ଏହି ମାମଲାର ଶୁଣାଣି କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ଏହି ମାମଲାରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ବୋବଡେ, ଜଷ୍ଟିସ୍ ଆର୍ ଭାନୁମତି ଓ ଜଷ୍ଟିସ୍ ଅଶୋକ ଭୂଷଣଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବାର ଥିଲା। ମାତ୍ର ଏବେ ନୂତନ ଖଣ୍ଡପୀଠ ବୁଧବାର ଏହି ମାମଲାର ଶୁଣାଣି କରିବ।
ଜଷ୍ଟିସ ବୋବେଡ ଶୁଣାଣିରୁ ଓହରିବା ପରେ ପ୍ରତିକ୍ରିୟା ଦେଇଛନ୍ତି ପୀଡିତାଙ୍କ ମା'। ସେ ଭାବିଥିଲେ ଆଜି ଅଭିଯୁକ୍ତ ଅକ୍ଷୟଙ୍କ ରିଭ୍ୟୁ ପିଟିସନ ଖାରଜ ହୋଇଯିବ। ହେଲେ ଯେଉଁଠି ଆମେ 7 ବର୍ଷ ଅପେକ୍ଷା କରିଥିଲୁ ସେଠି ଆଉ ମାତ୍ର ଦିନ ଟିଏ ହେବ ବୋଲି ସେ କହିଛନ୍ତି। ଆଶା କରୁଛି ଆସନ୍ତାକାଲି ଏହି ରିଭ୍ୟୁ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିବେ ଓ ତୁରନ୍ତ ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦିଆଯିବ ବୋଲି କହିଛନ୍ତି ନିର୍ଭୟାଙ୍କ ମା।