ହାଇଦ୍ରାବାଦ: ରୋଗ ଓ ସଂକ୍ରମଣ, ଏସବୁ ନାଁ ଶୁଣିଲେ ମନରେ ଡର ଆସିଯାଏ । ଆଗରୁ ଟେକ୍ନୋଲୋଜିର ଅଭାବରୁ ଅନେକ ଜୀବନ ଯାଇଛି । ହଇଜା, ଡାଇରିଆ ଭଳି ରୋଗରେ ଆକ୍ରାନ୍ତ ହୋଇ ଅନେକ ଲୋକ ପ୍ରାଣ ହରାଇଛନ୍ତି । ତେବେ ଏସବୁକୁ ଏବେ ନିଜ ଆୟତରେ ଆଣିପାରିଛି ନୂଆ ମେଡିକାଲ ସାଇନ୍ସ । ମାରାତ୍ମକ କର୍କଟ ରୋଗକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିଛି । ତେବେ କୁହାଯାଇପାରେ ଆମେ କିଛି ରୋଗକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛୁ ।
କିନ୍ତୁ ନୂଆ ଯୁଗରେ ନୂଆ ଭାଇରସ ମଧ୍ୟ ଜନ୍ମ ନେଉଛି । ଟେକ୍ନୋଲୋଜି ସହ ତାଳ ଦେଇ ସେତିକି ସକ୍ରିୟ ହେଉଛି ଭାଇରସ ରୋଗ । ସେମିତି ଏକ ନୂଆ ଭାଇରସ ହେଲା ନିପାହ, ଯିଏ ଧୀରେଧୀରେ ମାନବ ସମାଜକୁ ନିଜ ଆୟତରେ ନେବାକୁ ଚେଷ୍ଟା କରୁଛି । ନିକଟରେ ନିପାହ ଭାଇରସ କାରଣରୁ କେରଳରେ ପ୍ରାୟ 10 ଜଣଙ୍କ ଜୀବନ ଯାଇଥିଲା । ସେଥିମଧ୍ୟରୁ 3 ଜଣ ଗୋଟିଏ ପରିବାରର ସଦସ୍ୟ ଥିଲେ । ଘର କୂଅ ପାଣି ପିଇ ଏହି ଭାଇରସର ଶିକାର ହୋଇଥିଲେ । କୂଅରେ ପାଣିର ଯାଞ୍ଚ ପରେ ପାଣିରୁ ମଲା ବାଦୁଡି ବାହାରିଥିଲା । ବାଦୁଡିକୁ ପରୀକ୍ଷା କରିବା ପରେ ତା' ଶରୀରରୁ ନିପାହ ଭାଇରସ ମିଳିଥିଲା । ତେବେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବା ଏହି ନିପାହ ଭାଇରସ କଣ ? ଏହା କିପରି ବ୍ୟାପେ ଓ ଏହାର ନିରାକରଣ କଣ?
ନିପାହ କଣ?
ନିପାହ ଏକ ‘ଜୁନୋଟିକ’ ରୋଗ । ‘ଜୁନୋଟିକ’ ଅର୍ଥ ହେଲା ଏପରି ଏକ ଭାଇରସ ଯାହା ପ୍ରାଣୀ ମାନଙ୍କ ଠାରୁ ମନୁଷ୍ୟ ଶରୀରକୁ ଯାଇଥାଏ । ତେବେ ପ୍ରଶ୍ନ ଉଠିବା ସ୍ବାଭାବିକ ଏହି ଜୁନୋଟିକ ଶବ୍ଦ ଆସିଲା କେଉଁଠୁ ? ଗ୍ରୀକ ଭାଷ।ର ଏକ ଶବ୍ଦ ଅଛି ‘ଜୋୟନ’। ଏହାର ଅର୍ଥ ହେଲା କୌଣସି ଜୀବ । ‘ଜୋୟନ’ରୁ ପ୍ରାଣୀ ସମ୍ବନ୍ଧୀୟ ଅନେକ ଶବ୍ଦ ଆସିଛି । ଯେପରି ‘ଜୁଲୋଜି’, ‘ଜୁ’ । ସେହିପରି ‘ଜୁନୋଟିକ’, ମାନେ ପଶୁପକ୍ଷୀମାନଙ୍କଠାରୁ ବ୍ୟାପୁଥିବା ରୋଗ । ତେବେ ଜୁନୋଟିକ ମଧ୍ୟ 3 ପ୍ରକାର, ଜୀବାଣୁ, ବ୍ୟାକ୍ଟେରିଆ ଓ ପରଜୀବୀ । ଜୀବାଣୁ ଓ ପରଜୀବୀର କୌଣସି କୋଷ ନଥିବା ବେଳେ ବ୍ୟାକ୍ଟେରିଆ ଏକକ କୋଷ ପ୍ରାଣୀ । ନିପାହ ଏକ ଜୀବାଣୁ ତଥା କୋଷବୀହିନ ପ୍ରାଣୀ । ବିନା କୌଣସି ହୋଷ୍ଟରେ ଏମାନେ ବଞ୍ଚି ରହିବା ସମ୍ଭବ ନୁହେଁ । ତେଣୁ ଏମାନେ ବଞ୍ଚିବା ପାଇଁ ହୋଷ୍ଟର ସହାୟତା ନେଇଥାନ୍ତି । ତେବେ ହୋଷ୍ଟ କଣ? ଭାଇରସ ବିନା କୌଣସି କ୍ଷତି କରି ଜଣକ ଶରୀରରେ ରହେ । ଯାହା ଶରୀରରେ ଏହା ବାସ କରେ ତାହାକୁ ହୋଷ୍ଟ ବୋଲି କୁହଯାଏ । ମାତ୍ର ହୋଷ୍ଟ ବିନା ଅନ୍ୟ କାହାର ବି ଶରୀରକୁ ଗଲେ ସେଠାରେ ଏମାନେ କ୍ଷତି କରିବେ । କେଉଁଠୁ ହେଲା ନିପାହର ଆରମ୍ଭ ?
ନିପାହ ପ୍ରଥମେ ମାଲେସିଆରେ ଚିହ୍ନଟ କରାଯାଇଥିଲା । 1998ରୁ 1999 ମଧ୍ୟରେ ପ୍ରାୟ 265 ଲୋକ ନିପାହ ଦ୍ବାରା ସଂକ୍ରମିତ ହୋଇଥିଲେ । ସେଥିମଧ୍ୟରୁ ପ୍ରାୟ 105ଜଣଙ୍କ ମୃତ୍ୟୁ ହୋଇଥିଲା । ସେଠାରେ ଏହି ସଂକ୍ରମଣ ଘୁଷୁରୀଠାରୁ ମଣିଷ ଶରୀରକୁ ବ୍ୟାପିଥିଲା । ମାତ୍ର ଆଶ୍ଚର୍ଯ୍ୟର କଥା ଭାଇରସ ସିଧାସଳଖ ଘୁଷୁରୀରୁ ମଣିଷ ଶରୀରକୁ ଆସୁଥିଲେ ମଧ୍ୟ ଭାଇରସର ହୋଷ୍ଟ ଘୁଷୁରୀ ନୁହେଁ ବରଂ ବାଦୁଡି । ନିପାହ ଭାଇରସର ପ୍ରାଇମେରୀ ହୋଷ୍ଟ ହେଉଛି ବାଦୁଡି । ପ୍ରକାଶଥାଉକି, ମାଲେସିଆର ଯେଉଁ ଅଞ୍ଚଳରେ ଏହି ରୋଗ ବ୍ୟାପିଥିଲା ସେଠାରେ ଜଙ୍ଗଲ ଥିଲା ମାତ୍ର ଜଙ୍ଗଲକୁ କାଟି ସଫା କରିବା ଫଳରେ ଜଙ୍ଗଲରେ ଥିବା ବାଦୁଡି ଜନବସତି ଆଡକୁ ମୁହାଁଇଲେ ଓ ଘୁଷୁରୀମାନଙ୍କୁ ସଂକ୍ରମଣ କଲେ । ସଂକ୍ରମିତ ଘୁଷୁରୀ ଖାଇବା କାରଣରୁ ମଣିଷ ଶରୀରକୁ ନିପାହ ଆକ୍ରମଣ କରିଥିଲା । କିପରି ଭାରତକୁ ହେଲା ନିପାହର ପ୍ରବେଶ?
1999 ପରେ 2001 ଓ 2007 ମସିହାରେ ଭାରତର ପଶ୍ଚିମବଙ୍ଗଳାରେ ଏହି ଭାଇରସକୁ ଦେଖିବାକୁ ମିଳିଥିଲା । ବାଦୁଡିମାନେ ସବୁବେଳେ ଭିନ୍ନଭିନ୍ନ ଋତୁରେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତର ହୋଇଥାନ୍ତି । ଏପରି ହିଁ ବାଦୁଡିମାନେ ସ୍ଥାନାନ୍ତର ହୋଇ ପ୍ରଥମେ ବାଂଲାଦେଶ ପରେ ଭାରତକୁ ଆସିଥିଲେ । 2001-2013 ମଧ୍ୟରେ ବାଂଲାଦେଶରେ ପ୍ରାୟ 70 ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଛି । ତେବେ 2018ରେ କେରଳରେ ଅଧିକ ମାତ୍ରାରେ ନିପାହ ଭାଇରସ ଦେଖିବାକୁ ମିଳିଥିଲା ।
କିପରି ସଂକ୍ରମଣ ହୁଏ?
ବାଦୁଡି କେବେ ମଣିଷକୁ କାମୁଡେ ନାହିଁ ତାହେଲେ ଏହା ବ୍ୟାପେ କିପରି? ସାଧାରଣତଃ ଫ୍ରୁଟ ବାଦୁଡିଙ୍କ ଜରିଆରେ ଏହି ରୋଗ ବ୍ୟାପିଥାଏ । ବାଦୁଡିଙ୍କ ଲାଳ ଫଳରେ ପଡିବା ଦ୍ବାରା ଓ ଏହାକୁ ମଣିଷ ଗ୍ରହଣ କରିବା ଦ୍ବାରା ଏହି ଭାଇରସ ମଣିଷ ଶରୀରକୁ ବ୍ୟାପିଥାଏ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା କେତେକ ସ୍ଥାନରେ ମଣିଷ ଠାରୁ ମଣିଷକୁ ବ୍ୟାପୁଥିବାର ମଧ୍ୟ ଦେଖିବାକୁ ମିଳିଛି । କେରଳରେ ଯେଉଁ 10 ଜଣଙ୍କ ମୃତ୍ୟୁ ହୋଇଥିଲା ସେମାନଙ୍କ ମଧ୍ୟରୁ ଜଣେ ନର୍ସ ମଧ୍ୟ ଥିଲା । ଆକ୍ରାନ୍ତ ରୋଗୀକୁ ଚିକିତ୍ସା କରିବା ସମୟରେ ଭାଇରସର କବଜାରେ ନର୍ସ ଜଣକ ଆସିଯାଇଥିଲେ । ତେଣୁ ନିପାହ ସଂକ୍ରମଣକାରୀଙ୍କୁ ସମସ୍ତଙ୍କଠୁ ଆଲଗା ରଖାଯାଇଥାଏ । ରୋଗର ଲକ୍ଷଣ?
ନିପାହ ଭାଇରସର ଆକ୍ରମଣ ହେବା ପରେ ସାଧାରଣତଃ ଜର ହେବା ସହ ମୁଣ୍ଡ ବୁଲାଏ । ସାମ୍ନା ଜିନିଷ ଦେଖାଯାଇନଥାଏ । ଶେଷରେ ମଣିଷ କୋମା ଅବସ୍ଥାକୁ ଚାଲିଯାଇଥାଏ । କେତେକ ସମୟରେ ମଣିଷର ମୃତ୍ୟୁ ମଧ୍ୟ ହୋଇଥାଏ । ପ୍ରାୟ 70 ପ୍ରତିଶତ କେସରେ ମଣିଷର ମୃତ୍ୟୁ ହିଁ ହୋଇଥାଏ ।
ରୋଗର ପ୍ରତିକାର?
ଏପର୍ଯ୍ୟନ୍ତ ଏହି ରୋଗର କୌଣସି ପ୍ରତିଷେଧକ ବାହାର କରାଯାଇନାହିଁ । ଏହାର ପ୍ରତିକାର ପାଇଁ ଚେଷ୍ଟା କରାଯାଉଛି ମାତ୍ର କୌଣସି ସ୍ଥାୟୀ ସମାଧାନ ମିଳିପାରିନାହିଁ । ମାତ୍ର ନିଜେ ସଚେତନ ରହିଲେ ଏହି ରୋଗରୁ ରକ୍ଷା ମିଳିପାରିବ । କୌଣସି ଜଙ୍ଗଲ ଅଞ୍ଚଳକୁ ନଯିବା ଉଚିତ ଏହାସହ ବାଦୁଡି ଥିବା ଅଞ୍ଚଳରୁ ଯଥାସମ୍ଭବ ଦୂରରେ ରହିବା ଆବଶ୍ୟକ । ସ୍ବଚ୍ଛତାର ଧ୍ୟାନ ରଖିଲେ ରୋଗକୁ ଦୂର କରାଯାଇପାରିବ ।
ଭାରତରେ ଜନସଂଖ୍ୟା ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଆମେ ଜଙ୍ଗଲକୁ ନଷ୍ଟ କରି ଚାଲିଛେ । ଜଙ୍ଗଲ ଭିତରେ ଯେଉଁ ଜୀବମାନେ ସୀମିତ ଥିଲେ, ସେମାନେ ଜନବସତି ଆଡକୁ ମୁହାଁଉଛନ୍ତି । ଫଳରେ ଅନେକ ମାରାତ୍ମକ ଭାଇରସ ମାନବସମାଜକୁ ଆକ୍ରମଣ କରୁଛି । ନିପାହର ବର୍ଷେ ପରେ ଆଉ ଏକ ନୂଆ ଭାଇରସ ଏନସେଫାଲାଇଟସ ଭାରତରେ ଆତଙ୍କ ସୃଷ୍ଟି କରିଛି । ଏହାଦ୍ବାରା ପ୍ରାୟ ବିହାରରେ ପ୍ରାୟ 150ରୁ ଊର୍ଦ୍ଧ୍ବ ଶିଶୁଙ୍କ ମୃତ୍ୟୁ ହେଲାଣି । ଏହି ନିରାକରଣ ମିଳିପାରିନଥିବା ବେଳେ ଆଉ ଗୋଟେର ଆତଙ୍କ । ଆମେ ମେଡିକାଲ ସାଇନ୍ସର ଯେତେ ଆଗରେ ରହୁଛେ ତାହାଠୁ ଦି ପାଦ ଆଗରେ ଭାଇରସ । ସେ ନିପହା ହେଉ ଏଚଆଇଭି ଏଡସ ହେଉ କିମ୍ବା ଏନସେଫାଲାଇଟିସ ।