ଓଡିଶା

odisha

ETV Bharat / bharat

ଚାଲିଲାନି ପୁରୁଣା ଯାଦୁ: ପଦ ଗଲା ପରେ ଭୁଲିଗଲେ ଭୋଟର

ପଦବୀ ଗଲା ପରେ ଭୁଲିଯାଇଛନ୍ତି ଭୋଟର । କଂଗ୍ରେସର 9 ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଥର ନିର୍ବାଚନରେ ପରାଜୟର ମୁହଁ ଦେଖିଛନ୍ତି ।

By

Published : May 24, 2019, 5:26 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ଫଳାଫଳ ଆସିଯାଇଛି । ବିଜେପି ବହୁମତ ପାଇ ସରକାର ଗଢୁଥିବାବେଳେ କଂଗ୍ରେସ ଶୋଚନୀୟ ପରାଜୟ ଭୋଗିଛି । ଏଥର ନିର୍ବାଚନରେ ଦଳ ମାତ୍ର 52ଟି ଆସନ ଦଖଲ କରିଛି ।

ତେବେ ସବୁଠାରୁ ବଡ ବିଷୟ ହେଉଛି କଂଗ୍ରେସର 9 ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଥର ନିର୍ବାଚନରେ ପରାଜୟର ମୁହଁ ଦେଖିଛନ୍ତି । ପୂର୍ବରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିସାରିଥିବା ଏହି ନେତା ଏଥର ନିର୍ବାଚନୀ ମୈଦାନରେ ଓହ୍ଲାଇଥିବାବେଳେ ସମସ୍ତଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡିଛି । ପଦବୀ ଗଲା ପରେ ଭୋଟର ଏମାନଙ୍କୁ ଏକପ୍ରକାର ଭୁଲି ଯାଇଥିବା ସ୍ପଷ୍ଟ ହୋଇଛି । ମୁଖ୍ୟମନ୍ତ୍ରୀ ଥିବାବେଳେ ସେତେବେଳେ ନିଜର ପ୍ରଦର୍ଶନ ଅନୁସାରେ ଏମାନେ ଏବେ ଫଳ ପାଇଛନ୍ତି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି ।

ଦିଗବିଜୟ ସିଂହ(ଫାଇଲ ଫଟୋ)
ସୁଶୀଲ ସିନ୍ଧେ(ଫାଇଲ ଫଟୋ)
ହରିଶ ରାୱତ(ଫାଇଲ ଫଟୋ)
ଶୀଲା ଦୀକ୍ଷିତ(ଫାଇଲ ଫଟୋ)

ଏହି ପରାଜିତ ମୁଖ୍ୟମନ୍ତ୍ରୀଙ୍କ ଭିତରେ ପ୍ରମୁଖ ହେଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ଓ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ । ଉଭୟଙ୍କୁ ଅପ୍ରତ୍ୟାଶିତ ଭାବେ ପରାସ୍ତ ହେବାକୁ ପଡିଛି । ନିଜ ନିଜ ବିଜୟ ନେଇ ଏମାନେ ଦମ୍ଭୋକ୍ତି ପ୍ରକାଶ କରିଥିବାବେଳେ ଫଳାଫଳ କିନ୍ତୁ ଏମାନଙ୍କ ସପକ୍ଷରେ ଯାଇନାହିଁ । ଶୀଲାଙ୍କୁ ଗତ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲ ପରାସ୍ତ କରିଥିବାବେଳେ ଏଥର ଲୋକସଭା ନିର୍ବାଚନରେ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ପରାସ୍ତ କରିଛନ୍ତି ।

ନବାମ ଟୁକି(ଫାଇଲ ଫଟୋ)
ମୁକୁଲ ସାଙ୍ଗମା(ଫାଇଲ ଫଟୋ)
ବୀରପ୍ପା ମୋଇଲି(ଫାଇଲ ଫଟୋ)
ଅଶୋକ ଚୌହ୍ବାନ(ଫାଇଲ ଫଟୋ)
ଭୂପେନ୍ଦ୍ର ସିଂହ ହୁଡ୍ଡା(ଫାଇଲ ଫଟୋ)

ସେହିପରି ଅନ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ଉତ୍ତରାଖଣ୍ଡର ହରିଶ ରାୱତ, ହରିୟାଣାର ଭୂପେନ୍ଦ୍ର ସିଂହ ହୁଡ୍ଡା, କର୍ଣ୍ଣାଟକର ବୀରପ୍ପା ମୋଇଲି, ଅରୁଣାଚଳ ପ୍ରଦେଶର ମୁକୁଲ ସାଙ୍ଗମା ଓ ନବାମ ତୁକି ଏବଂ ମହାରାଷ୍ଟ୍ରର ଅଶୋକ ଚୌହ୍ବାନ ଓ ସୁଶୀଲ ସିନ୍ଧେ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରାଜୟ କଂଗ୍ରେସ ଲାଗି ଏକ ସତର୍କ ଘଣ୍ଟି ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ କ୍ଷମତାରେ ଥିବା କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ମଧ୍ୟ କଂଗ୍ରେସର ଶୋଚନୀୟ ପରାଜୟ ଘଟିଛି ।

ABOUT THE AUTHOR

...view details