ବେଙ୍ଗାଲୁରୁ: ଫେସବୁକ ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ହୋଇଥିବା ହିଂସା ଘଟଣାର ତଦନ୍ତ ଭାର ହାତକୁ ନେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଅଗଷ୍ଟ 11ରେ ବେଙ୍ଗାଲୁରର ଡିଜେ ହାଲ୍ଲି ଓ କେଜେ ହାଲ୍ଲିରେ ବ୍ୟାପକ ହିଂସା ହୋଇଥିଲା ।
ଏନଆଇଏ ଅନୁଯାୟୀ ହିଂସା ଘଟଣାର ତଦନ୍ତ ଦାୟିତ୍ବ ଗ୍ରହଣ କରାଯାଇଛି । ଏଥିରେ ରାଜ୍ୟ ପୋଲିସ ପକ୍ଷରୁ ଦାଖଲ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନ ଅଧିନରେ ମାମଲା ରୁଜୁ କରାଯାଇଥିଲା । ଆଇପିସିର ଧାରା 43, 147, 307, 436, 353, 332, 333, 427, 504, 506, 149 ଏବଂ 34, ସାଧାରଣ ସମ୍ପତ୍ତି ଅଧିନିୟମର କ୍ଷତି ନିବାରଣର ଧାରା 4 ଆଧାରରେ ମାମଲା ରୁଜୁ ହୋଇଥିଲା ।
ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟକୁ ନେଇ କିଛି ଉପଦ୍ରବୀ କର୍ଣ୍ଣାଟକର ପୁଲକାଶୀନଗର ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତୀଙ୍କ ଘର ଉପରେ ଅଗଷ୍ଟ 11 ତାରିଖ ରାତିରେ ଆକ୍ରମଣ କରିଥିଲେ । ବିଧାୟକଙ୍କ ଜଣେ ସମ୍ପର୍କୀୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ଅଭିଯୋଗରେ ପ୍ରଦର୍ଶନକାରୀ ଏପରି କାଣ୍ଡ ଘଟାଇଥିଲେ । ଆକ୍ରମଣକାରୀମାନେ ବିଧାୟକଙ୍କ ବାସଭବନ ଆଗରେ ଥିବା କିଛି ଗାଡିରେ ନିଆଁ ଲଗାଇଦେବା ସହ ଘର ଉପରକୁ ଇଟାପଥର ଫିଙ୍ଗିଥିଲେ ।
ବେଙ୍ଗାଲୁରୁ ହିଂସାରେ ଯାନବାହନ ନଷ୍ଟ ହେବା ସହ ଧନ ସମ୍ପତ୍ତି କ୍ଷୟକ୍ଷତି ହୋଇଛି । ଘଟଣାରେ 206 ଜଣଙ୍କୁ ଗିରଫ କରିଥିଲା ପୋଲିସ । ହିଂସା ମାମଲାରେ ପୋଲିସ ୟୁଏପିଏ ଅଧୀନରେ 61 ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ