ଓଡିଶା

odisha

ETV Bharat / bharat

ନୂଆ ରାଜନୀତି ଓ ଅର୍ଥନୀତିକ ମଡେଲ୍‌ ଅପେକ୍ଷାରେ - coron virus impact

ଗଲା ଦେଢ଼ମାସ ହେଲା କୋରୋନା ଭୁତାଣୁ ଭୟରେ ସାରା ମାନବ ସମାଜ ତାଲାବନ୍ଦୀ ଅବସ୍ଥାରେ ରହିଛି। କଳକାରଖାନା, ଯାନବାହାନ ଚଳାଚଳ ସବୁ କିଛି ବନ୍ଦ ପଡ଼ିଛି। ଏହା ଯେମିତି ପ୍ରକୃତିକୁ ଏକ ଅବସର ଦେଇଛି ନିଃଶ୍ଵାସ ନେବାଲାଗି। ଏବେ ଗଛଗୁଡ଼ିକ ସତେଜ ଦେଖାଯାଉଛନ୍ତି। ବାୟୁମଣ୍ଡଳ ନିର୍ମଳ ହୋଇଯାଇଛି। ନଦୀଗୁଡ଼ିକ ସଫା ଦିଶୁଛନ୍ତି। ଏହା ପ୍ରମାଣିତ କରୁଛି ଯେ, ପ୍ରକୃତିର ଅବକ୍ଷୟ ଲାଗି ମଣିଷ ସମାଜର ହସ୍ତକ୍ଷେପ ହିଁ ଦାୟୀ ।

New Political and Economic Models Needed
ନୂଆ ରାଜନୀତି ଓ ଅର୍ଥନୀତିକ ମଡେଲ୍‌ ଅପେକ୍ଷାରେ

By

Published : May 20, 2020, 3:24 PM IST

ଗଲା ଦେଢ଼ମାସ ହେଲା କୋରୋନା ଭୁତାଣୁ ଭୟରେ ସାରା ମାନବ ସମାଜ ତାଲାବନ୍ଦୀ ଅବସ୍ଥାରେ ରହିଛି। କଳକାରଖାନା, ଯାନବାହାନ ଚଳାଚଳ ସବୁ କିଛି ବନ୍ଦ ପଡ଼ିଛି। ଏହା ଯେମିତି ପ୍ରକୃତିକୁ ଏକ ଅବସର ଦେଇଛି ନିଃଶ୍ଵାସ ନେବାଲାଗି। ଏବେ ଗଛଗୁଡ଼ିକ ସତେଜ ଦେଖାଯାଉଛନ୍ତି। ବାୟୁମଣ୍ଡଳ ନିର୍ମଳ ହୋଇଯାଇଛି। ନଦୀଗୁଡ଼ିକ ସଫା ଦିଶୁଛନ୍ତି। ଏହା ପ୍ରମାଣିତ କରୁଛି ଯେ, ପ୍ରକୃତିର ଅବକ୍ଷୟ ଲାଗି ମଣିଷ ସମାଜର ହସ୍ତକ୍ଷେପ ହିଁ ଦାୟୀ । ଏହି ସନ୍ଦର୍ଭରେ ଗୁରୁତ୍ଵପୂର୍ଣ୍ଣ ବାର୍ତ୍ତା ଯାହା ମିଳୁଛି ତାହା ହେଲା: ମଣିଷ ପ୍ରକୃତିର ମୁନୀବ ନୁହେଁ। ସେ କେବେ ପ୍ରକୃତି ଉପରେ ବିଜୟ ପାଇ ନାହିଁ କି ପାଇପାରିବ ନାହିଁ। ପ୍ରକୃତି ହିଁ ତାକୁ ସବୁ କିଛି ଦେଇଛି, ଏପରିକି ତାହାର ଜୀବନ ଓ ମୃତ୍ୟୁ ମଧ୍ୟ। ପ୍ରକୃତି ଯେଉଁ ସଜୀବ ଓ ନିର୍ଜୀବଙ୍କ ଜାଲ ବିଛାଇଛି ତା ’ ଭିତରେ ମଣିଷ ଏକ କ୍ଷୁଦ୍ର ପ୍ରାଣୀ ମାତ୍ର। ମଣିଷର ବଞ୍ଚିବା ଲାଗି କ’ଣସବୁ ଆବଶ୍ୟକ ସେ ସମ୍ବନ୍ଧରେ ଅନେକ ଆଲୋଚନା ହେଉଛି। ବାସ୍ତବରେ ଦେଖିବାକୁ ଗଲେ ବିଭିନ୍ନତା ଭିତରେ ଏକତାର ଏକ ବଳିଷ୍ଠ ଉଦାହରଣ ଦେଉଛି ଆମର ଏହି ପ୍ରାଭୃତିକ ସମ୍ଭାର। ଏହି ଯେଉଁ ବିପର୍ଯ୍ୟୟର ସମ୍ମୁଖୀନ ଆମେ ହୋଇଛେ ତାହା ପ୍ରକୃତରେ ଅନେକ ଜିନିଷ ଆମକୁ ଶିଖାଉଛି। ମଣିଷ ସମାଜ ଏଥିରୁ ଶିକ୍ଷା କରିବା ଦରକାର। ଏହାର ଚାଲିଚଳଣ ସବୁକିଛି ପ୍ରକୃତି ସହ ଖାପ ଖୁଆଇ ଅଗ୍ରସର ହେବା ଦରକାର। ଫଳରେ ପ୍ରକୃତିର କୌଣସି ଅଙ୍ଗ ପ୍ରଭାବିତ ଯେମିତି ନହେବ ସେଥିପ୍ରତି ଦୃଷ୍ଟି ଦିଆଯିବା ଦରକାର। ଏହା ସୂଚାଇ ଦେଉଛି ଯେ, ଆମର ଆବଶ୍ୟକତାଠାରୁ ଅଧିକ ଯାହାବି ଆମେ କରିବାକୁ ଯିବା ଯେମିତି କିଛି ବଡ଼ ପ୍ରକଳ୍ପ ହେଉ ବା ଅର୍ଥନୀତିକ କାର୍ଯ୍ୟକଳାପ ତବେ ତାହା ପ୍ରାକୃତିକ ଢାଞ୍ଚାରେ ଆଞ୍ଚ୍‌ ଆଣିବ। ଏହା ପରୋକ୍ଷରେ ବା ପ୍ରତ୍ୟକ୍ଷରେ ମଣିଷ ସମାଜକୁ ହିଁ ପ୍ରଭାବିତ କରିବ।

ଅଧିକ ଅର୍ଥ, ସୁବିଧା ଅର୍ଜନ ସକାଶେ ମଣିଷ ଯେଉଁ ଦ୍ରୁତ ଗତିରେ ଧାଉଁଥିଲା ସେଥିରେ ଏବେ ଏକ ଅବସର ଲାଗିଛି। ଯେଉଁ ଲୋକମାନେ ଟ୍ରେନ୍‌ ଯାତ୍ରାକୁ ସମୟସାପେକ୍ଷ ବୋଲି କହି ଦୈନ୍ଦିନ ଯାତ୍ରାରେ ବିମାନକୁ ଆପଣାଉଥିଲେ ସେମାନେ ଏବେ ଘରୁ ପଦାକୁ ପାଦ ଦେଇପାରୁ ନାହାନ୍ତି। ହଁ ଏହା ସହ ଯେ ପଇସା ଆବଶ୍ୟକ। କିନ୍ତୁ ଯେତେବଳେ ପର୍ଯ୍ୟାପ୍ତ ପଇସା ପାଖରେ ଧରି ଜଣେ ଲୋକ ନିଜ ଇଚ୍ଛା ଅନୁସାରେ ସୁଯୋଗ ପାଇପାରୁ ନଥିବ ତବେ ସେ ଅର୍ଥ ବା ପଇସାର କି ମୂଲ୍ୟ? ତାହା ଏବେ ମଣିଷ ଅନୁଭବ କରୁଛି । ଏବେ ମଣିଷ ହେଜିଛି ଯେ, ପଇସା ଜୀବନର ସବୁକିଛି ନୁହେଁ। କୋରୋନା ଭୁତାଣୁକୁ ଏହି ସନ୍ଦର୍ଭରେ ସମାନତା ଆଣିବାର ମାହାନ କାରକ ଭାବେ ଗ୍ରହଣ କରାଯାଇପାରେ। ଏହା ଜାତି, ଧର୍ମ ବା ଧନୀ ଗରିବ ଦେଖି ସଂକ୍ରମିତ କରାଏ ନାହିଁ। ଏହା ଭେଦଭାବ କରେ ନାହିଁ। କୌଣସି ଶରୀରରେ ପ୍ରବେଶ କଲାବେଳେ ତାହା ବିଚାର କରେ ନାହିଁ ଯେ, ତାହା ଧନୀକର ଶରୀର ନା ଗରିବର! ଏହା ମଧ୍ୟରେ ଏକ ବଳିଷ୍ଠ ବାର୍ତ୍ତା ରହିଛି ଆଉ ତାହା ହେଲା: ଯେଉଁ ମଣିଷକୁ ପ୍ରକୃତି ତିଆରି କରିଛି ସେଥିରେ କୌଣସି ଭେଦଭାବ ନାହିଁ। ଯେଉଁ ଉଚ୍ଚ ନୀଚ୍ଚ ଶୃଙ୍ଖଳ ଆମେ ତିଆରି କରିଛୁ ତାହାର କିଛି ମାନେ ନାହିଁ ।

ବିବାଦ ଓ ବିଜୟ ସବୁକିଛି ମୂଲ୍ୟହୀନ। ଜଣେ ମଣିଷ ଅନ୍ୟ ଉପରେ ବିଜୟ ପାଇପାରେ। କିନ୍ତୁ ଉଭୟଙ୍କୁ କୋରୋନା ଭୁତାଣୁ ଆଗରେ ମୂଣ୍ଡ ନୁଆଇଁବାକୁ ହୋଇଥାଏ। ଅର୍ଥାତ୍‌ ମାନବ ସମାଜରେ ସମାନତା ଏବଂ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ ହେଉଛି ପ୍ରକୃତିର ଧର୍ମ। ବଞ୍ଚିବା ଲାଗି ସମସ୍ତଙ୍କ ସମାନ ଅଧିକାର ରହିଛି। ଏହା ଏହି ଅଦୃଶ୍ୟ ଭୁତାଣୁ କହୁଛି। ଏଣୁ ଗଣତନ୍ତ୍ର ହେଉଛି ଏକମାତ୍ର ରାସ୍ତା ଯେଉଁଥିରେ ଆମେ ସମସ୍ତେ ଭାଗିଦାରୀର ସମାନ ଅଧିକାର ପାଇଥାଉ। ମାନବ ସମାଜରେ ସମାନତାର ଅର୍ଥ ହେଉଛି, ଏହି ପୃଥିବୀ ଏବଂ ଏଠାରେ ଉପଲବ୍ଧ ସମସ୍ତ ଦ୍ରବ୍ୟ ସମସ୍ତଙ୍କ ଦ୍ଵାରା ସମାନ ଭାବେ ଉପଯୋଗ ହେବା ଆବଶ୍ୟକ। କୌଣସି ବି ବ୍ୟକ୍ତି ବିଶେଷକରି ଘରୋଇ କମ୍ପାନୀଗୁଡ଼ିକୁ କୌଣସି ବି ପରିସ୍ଥିତିରେ ସେମାନଙ୍କ ଲାଭ ବୃଦ୍ଧି ପାଇଁ ପ୍ରାକୃତିକ ସମ୍ପଦର ଶୋଷଣ ପାଇଁ ସୁଯୋଗ ଦିଆଯିବା ଅନୁଚିତ। ବିକାଶର ଅଭିବୃଦ୍ଧି ପାଇଁ ଆମେ ଯେଉଁ ମଡେଲ୍‌କୁ ଆପଣାଇଛୁ ତାହା ଶୂନ୍ୟକୁ ଚାଲି ଆସିଛି। କୋରୋନା ଭୁତାଣୁ ପରି ବିପର୍ଯ୍ୟୟ ଆହ୍ବାନ ଆଗରେ ଏସବୁ ତୁଚ୍ଛ ବୋଲି ପ୍ରମାଣିତ ହୋଇଛି। ଏବେ କୌଣସି ବି ଦେଶ ସେମାନଙ୍କ ଜିଡିପି ବାବଦରେ ଚିନ୍ତିତ ନୁହନ୍ତି। ଲକ୍‌ଡାଉନ୍‌ ଏମିତି ଏକ ପରିସ୍ଥିତି ସୃଷ୍ଟି କରିଛି ଯେଉଁଠାରେ ମାନବ ସମାଜ ସର୍ବନିମ୍ନ ଆବଶ୍ୟକତାରେ ବଞ୍ଚିବା ଶିଖିପାରିଛି। ଏକ ଉପଭୋକ୍ତି ଭିତ୍ତିକ ମଡେଲ୍‌ ଆବଶ୍ୟକତା ଭିତ୍ତିକ ମଡେଲ୍‌ ପାଇଁ ରାସ୍ତା ଖୋଲିବା ଆବଶ୍ୟକ। ଏହା ବ୍ୟତୀତ ଯେଉଁ ଲାଭଖୋର ମନୋବୃତ୍ତି ବା ମଡେଲ୍‌ରେ ଆମେ ପରିଚାଳିତ ତାହା ସର୍ବକାଳୀନ ବଞ୍ଚିରହିବା ମଡେଲ୍‌ ଦ୍ଵାରା ପରିଚାଳିତ ହେବା ଦରକାର। ପ୍ରତିଦ୍ଵନ୍ଦ୍ଵିତା ନୁହେଁ, ସହଭାଗୀତା ହିଁ ଆମର ବିକାଶକୁ ନିୟନ୍ତ୍ରଣ କରିବା ଆବଶ୍ୟକ ବୋଲି ଏହି ସଙ୍କଟଜନକ ସ୍ଥିତି ଆମକୁ ଶିକ୍ଷା ଦେଉଛି। ଯଦି ଲୋକମାନେ ତାଙ୍କ ନିକଟ ସମ୍ପର୍କୀୟ ତଥା ପାଖ ଆଖର ଲୋକଙ୍କୁ ସହାୟତା ଦେବାକୁ ଆଗକୁ ବଢ଼ି ନଥାଆନ୍ତେ ତବେ ଆମେ ଏହି ତାଲାବନ୍ଦୀ ସମୟରେ ଆହୁରି ବିପର୍ଯ୍ୟସ୍ତ ପରିସ୍ଥିତିର ସମ୍ମୁଖୀନ ହୋଇଥାଆନ୍ତୁ। ଏଣୁ ସବୁ ନୀତି ଦୟା’ ଏବଂ ସହାନୁଭୁତି ନୀତି ଦ୍ଵାରା ପରିଚାଳିତ ହେବା ଦରକାର। ଏଥିରେ ରାଜନୀତି ଓ ଅର୍ଥନୀତିର ସ୍ଥାନ ନାହିଁ ।

ଘୃଣା ତଥା ପରସ୍ଵର ଭିତରେ ଦ୍ଵନ୍ଦ୍ଵର ରାଜନୀତି ପାଇଁ ଏହି ମଡେଲ୍‌ରେ କୌଣସି ସ୍ଥାନ ନାହିଁ। ସହାନୁଭୂତି ଓ ଏକତା ଦ୍ଵାରା ବିକାଶ ସମ୍ଭବ। ଜାତି, ଧର୍ମ, ସଂସ୍କୃତି ତଥା ଜାତୀୟତା ବିରୁଦ୍ଧରେ ଲଢ଼େଇ ଅନାବଶ୍ୟକ। ସାମରିକ ଶକ୍ତିରେ ବିଶ୍ଵର ସବୁଠାରୁ ଶକ୍ତିଶାଳୀ ଯୁକ୍ତରାଷ୍ଟ୍ର ଆମେରିକା କୋରୋନା ଭୁତାଣୁ ଆକ୍ରମଣ ଦ୍ଵାରା ସବୁଠାରୁ ଅଧିକ ମୃତ୍ୟୁ ଦେଖୁଛି। ଏହି ଦେଶ କେବେ କୌଣସି ଯୁଦ୍ଧରେ ଏତେ ମୃତ୍ୟୁ ହେବ ବୋଲି ଆଶଙ୍କା କରି ନଥିଲା। ଏବେ ତାହା ହୋଇଛି ଗୋଟିଏ ଅଦୃଶ୍ୟ ଭୁତାଣୁ ବିରୋଧୀ ଯୁଦ୍ଧରେ। ଏଥିରୁ ଗୋଟିଏ କଥା ଶିଖିବାକୁ ମିଳିଛି ଯେ, ଏତେ ଟଙ୍କା, ଟେକ୍ନୋଲୋଜି, ମାନବ ସମ୍ବଳ ଖର୍ଚ କରି ସେନା ମୁତ୍ତୟନ କରିବା କ’ଣ ବା ଆବଶ୍ୟକ ଯଦି ନିଜ ଲୋକଙ୍କ ଜୀବନକୁ ସୁରକ୍ଷିତ କରାଯାଇ ନପାରିବ! ଯେଉଁ ରାସାୟନିକ, ଆଣବିକ ଏବଂ ଜୈବିକ ଅସ୍ତ୍ର କଥା କହି ଆମେ ଅନ୍ୟ ଦେଶକୁ ଡରାଉଥିଲୁ ତାହାର ମୂଲ୍ୟ କ’ଣ?ଏହା ସ୍ପଷ୍ଟ କରୁଛି ଯେ, ଯୁଦ୍ଧ ପାଇଁ ପ୍ରସ୍ତୁତ ନ ହୋଇ ପାସ୍ପର ଭିତରେ ସହଯୋଗ ସ୍ଥାପନା କରିବା ଦ୍ଵାରା ମାନବ ସମାଜର ରକ୍ଷା କରାଯାଇପାରିବ। ଏଣୁ ସମସ୍ତ ପ୍ରକାର ଶତ୍ରୁତା, ଷଡ଼ଯନ୍ତ୍ରକୁ ପରିହାର କରିବା ଆବଶ୍ୟକ। କୌଣସି ଯୁଦ୍ଧ ସନ୍ଧି ସ୍ଵାକ୍ଷର ହେବା ଆବଶ୍ୟକ ନାହିଁ। ଯଦି ସମ୍ଭବ ଏକତ୍ରିତ ହୋଇ ଜାତି ସଂଘ ମାଧ୍ୟମରେ ଆମେ ସମସ୍ତ ଦେଶ ନିଜ ନିଜର ଅସ୍ତ୍ରଶସ୍ତ୍ରକୁ ଧ୍ବଂସ କରିଦେବା ଆବଶ୍ୟକ।

ଯେତେବେଳେ ଦେଶଗୁଡ଼ିକ ନିଜର ଅସ୍ତିତ୍ଵ ରକ୍ଷା ପାଇଁ କମ୍‌ ପ୍ରତିଦ୍ଵନ୍ଦ୍ଵିତା କରିବେ ସେତେବେଳେ ଜାତୀୟତାବାଦ ବଦଳରେ ଆନ୍ତର୍ଜାତୀୟତାବାଦର ବିକାଶ ହେବ। ଏହି ପରିପ୍ରେକ୍ଷୀରେ ଜାତିସଂଘର ଗୁରୁତ୍ଵ ବୃଦ୍ଧି ପାଇବ। ସୁରକ୍ଷା ପରିଷଦ ଆଉ ଭିଟୋ କ୍ଷମତାକୁ ନେଇ ଯେଉଁ ଚର୍ଚା ହେଉଛି ତାହା ଏବେ ଆଉ ବିଶ୍ଵରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ କୌଣସି କ୍ଷମତା ରଖିବ ନାହିଁ। ଏହି ପରିପ୍ରେକ୍ଷୀରେ ଯେଉଁ ଦେଶରେ ସେମାନେ ରହୁଛନ୍ତି ତାହାକୁ ନେଇ ଲୋକଙ୍କ ଭିତରେ ବିଭାଜନ ହେବ ନାହିଁ। ପୁଣି ଏକାଧିକ ରାଷ୍ଟ୍ରଙ୍କ ଜାତିସଂଘରେ ଗୋଟିଏ ଭୋଟ୍‌ ରହିବ। ବିଶ୍ଵସ୍ଵାସ୍ଥ୍ୟ ସଂଗଠନ, ବିଶ୍ଵବ୍ୟାଙ୍କ ବିଶ୍ଵ ବାଣିଜ୍ୟ କେନ୍ଦ୍ର, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି, ୟୁନିସେଫ ଭଳି ବିଶ୍ଵ ସଂଗଠନଗୁଡ଼ିକୁ ସମ୍ପୂଣ୍ଣ ଭାବେ ବିପର୍ଯ୍ୟୟ ଏବଂ ସାମାଜିକ ଆହ୍ବାନ ଗୁଡ଼ିକୁ ମୁକାବିଲା କରିବା ଲାଗି କ୍ଷମତାପନ୍ନ କରାଯିବା ଆବଶ୍ୟକ। ଏହିଭଳି ଏକ ସଙ୍କଟ ସମୟରେ ଯେଉଁଠି ସରକାରମାନେ ଅଧିକରୁ ଅଧିକ ଖର୍ଚ ପାଇଁ ଅର୍ଥ ଆବଶ୍ୟକ କରୁଛନ୍ତି ସେତେବଳେ ଆଇଏମ୍‌ଏଫ୍‌, ବିଶ୍ଵବ୍ୟାଙ୍କ ଏବଂ ଅନ୍ୟ ଆନ୍ତର୍ଜାତୀୟ ସଂଗଠନଗୁଡ଼ିକ କାହିଁକି ଚୁପ୍‌ ବସିଛନ୍ତି?

ସାରାଂଶରେ, ଯେତେବେଳେ ବିଶ୍ଵ ସମସ୍ୟାର ସମାଧାନ ପାଇଁ ଏକ ନୂଆ ଅର୍ଥନୀତିକ ମଡେଲ୍‌ ଆବଶ୍ୟକ କରୁଛି ଯେଉଁଠାରେ ଅଧିକ ଲାଭ ଅର୍ଜନ ବିକାଶର ମାପ କାଠି ନହୋଇ ମାନବ ସମାଜର ଆବଶ୍ୟକତାକୁ ପୂରଣ କରିବା ସର୍ବାଗ୍ରେ ଗ୍ରହଣ କରାଯାଉଛି ସେଠାରେ ବର୍ତ୍ତମାନର ରାଜନୀତିକ ମଡେଲ୍‌ ମଧ୍ୟ କୌଣସି ଗୁରୁତ୍ଵ ରଖୁ ନାହିଁ। ପ୍ରତିଦ୍ଵନ୍ଦ୍ଵିତା ଏବଂ ଏକତ୍ଵବାଦ ଉପରେ ନିର୍ଭର ନକରି ପରସ୍ପରର ସହଭାଗୀତା ଏବଂ ସମସ୍ତଙ୍କୁ ଏକାଠି ନେଇ ଚାଲିବା ଉପରେ ପର୍ଯ୍ୟବସିତ ଏକ ରାଜୀତିକ ମତବାଦ ଏଠାରେ ଆବଶ୍ୟକ ପଡ଼ୁଛି। ବାସ୍ତବରେ କହିବାକୁ ଗଲେ ଏହିଭଳି ପରିବର୍ତ୍ତନ ଉପରେ ହିଁ ମାନବ ସମାଜର ଅସ୍ତିତ୍ଵ ନିର୍ଭର କରୁଛି।

- ଆଇଡି ଖଜୁରିଆ ଓ ସନ୍ଦୀପ ପାଣ୍ଡେ

ABOUT THE AUTHOR

...view details