ଦେଶରେ ଶିକ୍ଷା ବ୍ୟବସ୍ଥାର ସଂପୂର୍ଣ୍ଣ ପୁନର୍ବିନ୍ୟାସ ଉଦ୍ଦେଶ୍ୟରେ 29 ଜୁଲାଇ, 2020ରେ ଘୋଷିତ ନୂତନ ଶିକ୍ଷା ନୀତି (2020)ର ପରିସର ସୁଦୂରପ୍ରସାରିତ । ଏଥିରେ ଉଭୟ ପ୍ରାଥମିକ ଓ ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ସାମଗ୍ରିକ ପରିବର୍ତ୍ତନ ପାଇଁ ଲକ୍ଷ୍ୟ ରହିଛି । ଏହି ନୀତିରେ ଉଭୟ ଢାଞ୍ଚାଗତ ଏବଂ ଶିକ୍ଷାଦାନ ପ୍ରଣାଳୀଦିଗକୁ ସାମିଲ କରାଯାଇଛି । ଆଠଟି ନୀତିଗତ ଦିଗ ଆଧାରରେ ନୂତନ ଶିକ୍ଷା ନୀତି ପ୍ରଣୀତ ହୋଇଛି:
1. ବିଦ୍ୟାଳୟ ଶିକ୍ଷା ଏବଂ ପ୍ରାଥମିକ ବିଦ୍ୟାଳୟ ଶିକ୍ଷା
2. ବିଦ୍ୟାଳୟ ଭିତ୍ତିଭୂମି ଏବଂ ସମ୍ବଳ
3. ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ
4. ଅନ୍ତର୍ଭୁକ୍ତି
5. ମୂଲ୍ୟାୟନ
6. ପାଠ୍ୟକ୍ରମ ଏବଂ ଶିକ୍ଷାଦାନ ପ୍ରଣାଳୀର ରୂପରେଖ
7. ଶିକ୍ଷକ ନିଯୁକ୍ତି/ଶିକ୍ଷକ ଶିକ୍ଷା
8. ସରକାରୀ ବିଭାଗ/ସଂସ୍ଥା/ଅନୁଷ୍ଠାନର ଭୂ୍ମିକା
ଶିକ୍ଷାର ଏହି ସବୁ ପ୍ରମୁଖ ଦିଗରେ ଢାଞ୍ଚାଗତ ପରିବର୍ତ୍ତନ ଜରିଆରେ ଶିକ୍ଷା କ୍ଷେତ୍ରରେ ବ୍ୟୟବରାଦ ବୃଦ୍ଧି କରିବା ଏବଂ 2035 ସୁଦ୍ଧା ଛାତ୍ରଛାତ୍ରୀଙ୍କ ମୋଟ ନାମଲେଖା ହାର ବା ‘ଗ୍ରସ୍ ଏନ୍ରୋଲମେଣ୍ଟ ରେସିଓ’(GER)ରେ 50% ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହା ସହିତ ଶିକ୍ଷା ପଦ୍ଧତିରେ ଅଭିନବଏବଂ ସୃଜନାତ୍ମକଧାରା ପ୍ରବର୍ତ୍ତନ ସହିତ “ଜ୍ଞାନ ଆହରଣ କ୍ଷେତ୍ରରେ ଭାରତକୁ ବିଶ୍ବର ଏକ ମହାଶକ୍ତିଶାଳୀ” ଦେଶରେ ପରିଣତ କରିବାକୁ ଚୂଡ଼ାନ୍ତ ଲକ୍ଷ୍ୟ ରଖିଛନ୍ତି ।
ଶିକ୍ଷାଦାନ ପ୍ରଣାଳୀ ଦୃଷ୍ଟିରୁ ଏହା ଉଭୟ ପ୍ରାଥମିକ ଏବଂ ଉଚ୍ଚ ଶିକ୍ଷା ପାଠ୍ୟକ୍ରମରେ ଏକ ବୈପ୍ଳବିକ ପରିବର୍ତ୍ତନର ଧାରାକୁ ସୂଚାଇ ଦିଏ । ଏଥିରେ ବିଦ୍ୟାଳୟ ସ୍ତରରେ “ଅତି କମ୍ରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ..”ମାତୃଭାଷାକୁ ଶିକ୍ଷାଦାନର ମାଧ୍ୟମ ରୂପେ ପ୍ରବର୍ତ୍ତନ କରିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥା । ଉଦାରପନ୍ଥୀ କଳା ଆଭିମୁଖ୍ୟ ଉପରେ ଜୋର ଦିଆଯିବା ମଧ୍ୟ ଅନୁରୂପ ଭାବେଗୁରୁତ୍ବପୂର୍ଣ୍ଣ । ଏଥିରେ ଆନୁଷ୍ଠାନିକ ଶିକ୍ଷା ବିଷୟ ସହିତ ଧନ୍ଦାମୂଳକ ଶିକ୍ଷାର ସମନ୍ବୟ ସ୍ଥାପିତ ହୋଇଛି । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଉଦାରପନ୍ଥୀ କଳାଆଭିମୁଖ୍ୟର ଉଦ୍ଦେଶ୍ୟ ହେଉଛି ଧନ୍ଦାମୂଳକ ଶିକ୍ଷାର ବିକାଶ । ବିଦ୍ୟାଳୟ ସ୍ତରର ଶିକ୍ଷାରେ ଏକ ଆଧାର ପର୍ଯ୍ୟାୟ (3 ବର୍ଷରୁ 8 ବର୍ଷ ବୟସ ବର୍ଗ ପାଇଁ), ପ୍ରସ୍ତୁତି ପର୍ଯ୍ୟାୟ (8 ବର୍ଷରୁ 11 ବର୍ଷ ବୟସ ବର୍ଗ ପାଇଁ), ମଧ୍ୟମ ପର୍ଯ୍ୟାୟ (11 ବର୍ଷରୁ 14 ବର୍ଷ ବୟସ ବର୍ଗ ପାଇଁ) ଏବଂ ମାଧ୍ୟମିକ ପର୍ଯ୍ୟାୟ (14ରୁ 18 ବର୍ଷ ବୟସ ପାଇଁ) ସମ୍ମିଳିତ ।
ଉଦାରପନ୍ଥୀ କଳା ଆଭିମୁଖ୍ୟଉପରେ ଗୁରୁତ୍ବାରୋପ ସହିତ ସହଗାମୀ ଧନ୍ଦାମୂଳକ ଶିକ୍ଷାକୁ ଉଚ୍ଚ ଶିକ୍ଷା ସ୍ତର ପର୍ଯ୍ୟନ୍ତ ଅବ୍ୟାହତ ରଖାଯିବ ଏବଂ ସେହି ସ୍ତରରେ ଏହାକୁ ଏକ ପସନ୍ଦ ଭିତ୍ତିକ ଶିକ୍ଷାଲାଭ ଅଙ୍କ ପଦ୍ଧତି ବା ‘ଚଏସ୍ ବେସ୍ଡ କ୍ରେଡିଟ ସିଷ୍ଟମ’(CBCS) ଜରିଆରେ ପ୍ରବର୍ତ୍ତନ କରାଯିବ । ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉଦାରପନ୍ଥୀ କଳା କାର୍ଯ୍ୟକ୍ରମ ଅନୁସାରେ ଉଭୟ ଆନୁଷ୍ଠାନିକ ଶିକ୍ଷା ବିଭାଗ ଏବଂ ଧନ୍ଦାମୂଳକ ଶିକ୍ଷାକୁ ସମନ୍ବିତ କରାଯିବ ଏବଂ ଗୋଟିଏ ବିଭାଗ/ବିଷୟ ଉପରେ ଦକ୍ଷତା ହାସଲ କରିବା ପାଇଁ କୌଣସି ଶିକ୍ଷାର୍ଥୀଙ୍କ ଉପରେ ଜୋର ଦିଆଯିବ ନାହିଁ ।
ଅଧିକନ୍ତୁ, ସଂପ୍ରତି ପ୍ରଚଳିତ କଳା ଏବଂ ବିଜ୍ଞାନରେ ତିନି ବର୍ଷିଆ ପ୍ରାକ୍-ସ୍ନାତକ ଶିକ୍ଷା କାର୍ଯ୍ୟକ୍ରମକୁ ଚାରି ବର୍ଷିଆ ଶିକ୍ଷାଦାନ କାର୍ଯ୍ୟକ୍ରମ ରୂପେ ସଂପ୍ରସାରଣ କରାଯିବ । ତେବେ, ଛାତ୍ରଛାତ୍ରୀ ଚାହିଁଲେ, ବର୍ଷକ ପରେ (ସାର୍ଟିଫିକେଟ୍ ଶିକ୍ଷା କାର୍ଯ୍ୟକ୍ରମ), ଦୁଇ ବର୍ଷ ପରେ (ଡିପ୍ଲୋମା ଶିକ୍ଷା କାର୍ଯ୍ୟକ୍ରମ) କିମ୍ବା ତିନି ବର୍ଷ ପରେ (ଡିଗ୍ରୀ ଶିକ୍ଷା କାର୍ଯ୍ୟକ୍ରମ) ପାଠ୍ୟକ୍ରମରୁ ଓହରି ଯାଇପାରିବେ । କେବଳ ଯେଉଁମାନେ ଗବେଷଣାରେ ଅଧ୍ୟବସାୟଜାରି ରଖିବେ, ସେମାନେ ହିଁ ଚତୁର୍ଥ ବର୍ଷର ଶିକ୍ଷା ଗ୍ରହଣ ପାଇଁ ଇଚ୍ଛାପ୍ରକାଶ କରିପାରିବେ । ଅଧ୍ୟୟନ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣରେ ଗତିଶୀଳତାକୁ ବିକଶିତ କରିବା ଲକ୍ଷ୍ୟରେ ସେମାନେ ହାସଲ କରିଥିବା ଅଙ୍କକୁ ଅକ୍ଷୁଣ୍ଣ ରଖିବା ସହିତ ପରବର୍ତ୍ତୀ ସମୟରେ ସେମାନଙ୍କୁ ସେହି ପାଠ୍ୟକ୍ରମରେ ପୁଣି ଯୋଗ ଦେବାର ସୁଯୋଗ ଦିଆଯିବ ।
ଉଚ୍ଚଶିକ୍ଷା ଅନୁଷ୍ଠାନ କ୍ଷେତ୍ରରେ ବିସ୍ତୃତ ଢାଞ୍ଚାଗତ ପରିବର୍ତ୍ତନ ନିମନ୍ତେ ଏହି ନୀତିରେ ପ୍ରସ୍ତାବ ରହିଛି ଏବଂ ଏହାକୁ ଆରମ୍ଭ କରିବା ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନାମ ପରିବର୍ତ୍ତନ କରି ଶିକ୍ଷା ମନ୍ତ୍ରାଳୟ କରାଯାଇଛି । ଶିକ୍ଷା କ୍ଷେତ୍ରର ସମସ୍ତ ସ୍ତରରେ ସମ୍ବଳ ଏବଂ ଦକ୍ଷତାର ବିକାଶ, ପ୍ରସାର ଏବଂ ଆଦାନପ୍ରଦାନ ସମ୍ବନ୍ଧିତ ପ୍ରକ୍ରିୟା ସଂପର୍କରେ ନିଷ୍ପତ୍ତି ନେବା, ତଦାରଖ କରିବା ଏବଂ ନିୟନ୍ତ୍ରଣ କରିବା ସକାଶେ ପ୍ରଧାନ ମନ୍ତ୍ରୀଙ୍କ ନେତୃତ୍ବରେ ରାଷ୍ଟ୍ରୀୟ ଶିକ୍ଷା ଆୟୋଗ (RSA) ନାମକ ଏକ ସର୍ବୋଚ୍ଚ କେନ୍ଦ୍ରୀୟ ସଂସ୍ଥା ଗଠନ କରାଯିବ । ଏଥିରେ କେନ୍ଦ୍ର ମନ୍ତ୍ରୀଏବଂ କେନ୍ଦ୍ର ସରକାରଙ୍କ ସହ ସଂଲଗ୍ନ ବରିଷ୍ଠ ପ୍ରଶାସକମାନେ ସଦସ୍ୟ ରହିବେ ।
ରାଷ୍ଟ୍ରୀୟ ଶିକ୍ଷା ଆୟୋଗ ଏହାର କାର୍ଯ୍ୟନିର୍ବାହୀ ପରିଷଦ ଜରିଆରେ ଶିକ୍ଷା କ୍ଷେତ୍ରରେ ଅଭିଯାନ ଚଳାଇବେ ଏବଂ ଏଥିପାଇଁ ବ୍ୟୟବରାଦ କରିବେ, ବିଭିନ୍ନ ଯୋଜନାର ସମୀକ୍ଷା କରିବେ ଏବଂ ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନକୁ ପୃଥକ୍ ପୃଥକ୍ ଭାବେ ପାଣ୍ଠି ଯୋଗାଣ, ସେମାନଙ୍କ ପାଇଁ ମାନ ନିର୍ଦ୍ଧାରଣ, ମାନ୍ୟତା ପ୍ରଦାନ ଏବଂ ସେମାନଙ୍କୁ ନିୟନ୍ତ୍ରଣ କରିବେ । ଉଭୟ ଘରୋଇ ଏବଂ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ସମାନ ନିୟମ ଏବଂ ଫଳାଫଳର ସମାନ ମାପଦଣ୍ଡ ପ୍ରବର୍ତ୍ତନ କରାଯିବ । ସହାନୁବନ୍ଧିତ ଧରଣର ବିଶ୍ବବିଦ୍ୟାଳୟ ବନ୍ଦ କରିବାକୁ ଏବଂ ତାହା ବଦଳରେ ତିନି ପ୍ରକାରର ଅନୁଷ୍ଠାନ ଗଠନ କରିବାକୁ ଏହି ନୀତିରେ ପ୍ରସ୍ତାବ ରହିଛି । ସେଗୁଡ଼ିକ ହେଲା ବହୁବିଭାଗୀୟ ଗବେଷଣା ବିଶ୍ବବିଦ୍ୟାଳୟ (ପ୍ରକାର 1), ବହୁବିଭାଗୀୟ ଶିକ୍ଷାଦାନ ବିଶ୍ବବିଦ୍ୟାଳୟ(ପ୍ରକାର 2) ଏବଂ ସ୍ବୟଂଶାସିତ ବହୁବିଭାଗୀୟ ମହାବିଦ୍ୟାଳୟ (ପ୍ରକାର 3) ।
ଅଧ୍ୟାପକ ନିଯୁକ୍ତି ଏବଂ ନିୟୋଜନ ପାଇଁ ଯୋଗ୍ୟତା ଭିତ୍ତିକ ମାପଦଣ୍ଡ ପ୍ରଚଳନ କରାଯିବ । ଏତେ ବଡ଼ ଆକାରର ଏକ ସଂସ୍କାର ନୀତି କାର୍ଯ୍ୟକାରୀ କରିବାରେ ଆରମ୍ଭରୁ କୌଣସି ସମସ୍ୟା ହେବ ନାହିଁ ବୋଲି ଧରିନେବା ସମୀଚୀନ ହେବ ନାହିଁ । ସୁତରାଂ, ଶିକ୍ଷା ସଂସ୍କାର କ୍ଷେତ୍ରରେ ଅନୁରୂପ ଭାବେ ମହତ୍ତ୍ବାକାଂକ୍ଷୀ ଏହି ନୂତନ ଶିକ୍ଷା ନୀତି (2020)ର ମୂଳରୂପ ପ୍ରବର୍ତ୍ତନ ସମୟର ଗର୍ଭଯନ୍ତ୍ରଣା ସଂପର୍କରେ ସଂକ୍ଷିପ୍ତ ବ୍ୟାଖ୍ୟା କରିବା ବିଧେୟ । ୟୁରୋପରେ 1998-1999ରେ ବୋଲୋଗ୍ନା ସମ୍ମେଳନ ଆରମ୍ଭ ହୋଇଥିଲା । ଏହି ପ୍ରକ୍ରିୟାରେ ଅଂଶଗ୍ରହଣକାରୀ ଦେଶମାନଙ୍କ ପାଇଁ ସଂସ୍କାର କ୍ଷେତ୍ରରେ ଲକ୍ଷ୍ୟ ସ୍ଥିର କରାଯାଇଥିଲା । ଯେମିତି କି ତିନି ଥାକିଆ ଡିଗ୍ରୀ ବ୍ୟବସ୍ଥା (ସ୍ନାତକ, ସ୍ନାତକୋତ୍ତର, ଡକ୍ଟରେଟ୍) ଏବଂ ‘ୟୁରୋପିଆନ୍ କ୍ରେଡିଟ୍ସ ଟ୍ରାନ୍ସଫର ଆଣ୍ଡ ଆକୁମୁଲେସନ ସିଷ୍ଟମ’ (ECTS)ଏବଂ ‘ୟୁରୋପିଆନ୍ ଷ୍ଟାଣ୍ଡାର୍ଡସ ଆଣ୍ଡ ଗାଇଡ୍ଲାଇନ୍ସ ଫର କ୍ବାଲିଟି ଆସ୍ୟୁରାନ୍ସ ଇନ୍ ଦି ହାଇଅର ଏଜୁକେସନ ଏରିଆ’(ESG)ଭଳି ବିଭିନ୍ନ ସାଧାରଣ ମାଧ୍ୟମ ପ୍ରଚଳନକୁ ଗ୍ରହଣ କରାଯାଇଥିଲା ।
ବିଭିନ୍ନ ଶିକ୍ଷା ପଦ୍ଧତି ଏବଂ ଶିକ୍ଷାଦାନରେ ସଂପୃକ୍ତ ସଂସ୍ଥାର କାର୍ଯ୍ୟରେ ସମସ୍ତ ଛାତ୍ରଛାତ୍ରୀ, ସ୍ନାତକ ଡିଗ୍ରୀଧାରୀ, ବିଶ୍ବବିଦ୍ୟାଳୟ ଏବଂ ଅନ୍ୟାନ୍ୟ ପକ୍ଷଭୁକ୍ତ ସଂସ୍ଥାର ଆତ୍ମବିଶ୍ବାସ ସୃଷ୍ଟି ନିମନ୍ତେ ଗୁଣମାନ ସଂପର୍କରେଏହା ବିଶ୍ବସନୀୟତା ପ୍ରଦାନ କରିଥିଲା । ଏବେ ବିତର୍କିତ ପ୍ରଶ୍ନ ହେଉଛି ଯେଏହି ନୂତନ ଶିକ୍ଷା ନୀତି (2020) ଏହାର ପ୍ରଣୟନ ପଥରେ ଥିବା ସମସ୍ତ ବାଧାବିଘ୍ନକୁ କଣ ଏଡ଼ାଇ ଯାଇପାରିବ ? ଠିକ୍ ଏହି ସ୍ଥାନରେ ଏହି ନୀତିରେ ନିହିତ ନିରବତା ଏବଂ ବିରୋଧାଭାସ ପ୍ରାସଙ୍ଗିକ ହୋଇଉଠେ । ସାଂପ୍ରତିକ ପରିସ୍ଥିତିର ବାସ୍ତବିକତା ଦୃଷ୍ଟିରୁ ଏହି ନୀତିର ଆଭିମୁଖ୍ୟରେ ସବୁଠାରୁ ବଡ଼ ପ୍ରତିବନ୍ଧକ ରୂପେ ଯାହା ଉଭା ହୁଏ, ତାହା ହେଲା 2035 ସୁଦ୍ଧା ମୋଟ ନାମଲେଖା ହାରରେ 50% ପ୍ରତିଶତ ବୃଦ୍ଧି କରିବା ଲକ୍ଷ୍ୟକୁ ନେଇ ଉଠିଥିବା ପ୍ରଶ୍ନ ।
ମୋଟ ନାମଲେଖା କ୍ଷେତ୍ରରେ ଏହି ବିଶାଳ ଲକ୍ଷ୍ୟ ହାସଲ ପାଇଁ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସମାନୁପାତିକ ଭିତ୍ତିଭୂମିର ଆବଶ୍ୟକତା ଉପୁଜିବ ଏବଂ ଏଥିପାଇଁ ପାଣ୍ଠି କେଉଁଠାରୁ ଆସିବ ? ଏ ସଂପର୍କରେ ଏହି ନୀତି ପ୍ରାୟତଃ ଅନିର୍ଦ୍ଦିଷ୍ଟ ମନେହୁଏ । କାରଣ ଏହା ବେସରକାରୀ ଏବଂ ଦାତବ୍ୟ ଅନୁଦାନରୁ ଏହା ପୂରଣ କରିବାକୁ ଆଶା ରଖେ । ହେଲେ, ଗ୍ରାମାଞ୍ଚଳ ପ୍ରାଥମିକ ଶିକ୍ଷା କ୍ଷେତ୍ର ପାଇଁ କ୍ବଚିତ ଏଭଳି ଅନୁଦାନ ମିଳେ ବୋଲି ଇତିହାସରୁ ଜଣାଯାଏ । ତେଣୁ, ଏହି ଶିକ୍ଷା ନୀତିର ଦଲିଲ ଅନୁସାରେ, GERରେ 50% ବୃଦ୍ଧି କରିବାକୁ ହେଲେ ଏଥିରେ “ଅନ୍ଲାଇନ୍ ଦୂରଶିକ୍ଷା କାର୍ଯ୍ୟକ୍ରମ (ODL) ଏବଂ ବ୍ୟାପକ ଅନ୍ଲାଇନ୍ ପାଠ୍ୟକ୍ରମ (MOOC)କୁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ” କରିବାକୁ ପଡ଼ିବ । ତେବେ, ସଂପ୍ରତି କୋଭିଡ୍ 19 ଲକ୍ଡାଉନ୍ ସମୟରେ ଚାଲିଥିବା ଅନ୍ଲାଇନ୍ ଶିକ୍ଷାଦାନ କାର୍ଯ୍ୟକ୍ରମକୁ ଉଦାହରଣ ରୂପେ ନେଲେ,ଅନ୍ଲାଇନ୍ ପାଠପଢ଼ା ଲାଗି ଆବଶ୍ୟକ ଇଲେକ୍ଟ୍ରୋନିକ୍ ଉପକରଣ କିଣିବାରେ ଅସମର୍ଥ ଗ୍ରାମାଞ୍ଚଳର ଦରିଦ୍ର ଶ୍ରେଣୀର ଛାତ୍ରଛାତ୍ରୀ ଏଥିରୁ ବାଦ ପଡ଼ିଯାଇଥିବା ଦେଖାଯାଇଛି ।
ସାଂପ୍ରତିକ ବଜାର ଅଭିମୁଖୀ ପାଠ୍ୟକ୍ରମ ଧାରା ପ୍ରତି ଏହି ନୀତିର ଅନ୍ତର୍ଗଠନ ଅଧିକ ଆକୃଷ୍ଟ ହୋଇପଡ଼ିଥିବାରୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଦୁର୍ବଳ ସ୍ଥିତିରେ ରହିଥିବା ଗବେଷଣା ଓ ବିକାଶ ସାମର୍ଥ୍ୟ ମଧ୍ୟ ଏଥିରୁ ବାଦ୍ ପଡ଼ିଛି । ଚାରି ବର୍ଷିଆ ସ୍ନାତକ ଶିକ୍ଷା କାର୍ଯ୍ୟକ୍ରମ ପ୍ରଚଳନ ଯୋଗୁଁ ଅଧିକ ଗୋଟିଏ ବର୍ଷର ଶିକ୍ଷାଲାଭ ପାଇଁ ଖର୍ଚ୍ଚ ବଢ଼ିବ ଏବଂ ଏହା ହୁଏତ ମଧ୍ୟବିତ୍ତ ବର୍ଗର ପରିବାର ପାଇଁ ବିଷମ ସ୍ଥିତି ସୃଷ୍ଟି କରିପାରେ । ହୁଏତ, ଗବେଷଣା ଏବଂ ଉଚ୍ଚତର ଶିକ୍ଷାଲାଭ ବଦଳରେ ଦୁର୍ବଳ ଆର୍ଥିକ ସ୍ଥିତି କାରଣରୁ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ବହୁ ମେଧାବୀ ଛାତ୍ର ଏହି ନୀତିରେ ଉଲ୍ଲିଖିତବିଭିନ୍ନ ପ୍ରସ୍ଥାନ ବିନ୍ଦୁରେ ଶିକ୍ଷାଗ୍ରହଣରୁ ଓହରି ଯାଇପାରନ୍ତି । ନୂତନ ଶିକ୍ଷା ନୀତି ଅନୁସାରେ ଛାତ୍ରଛାତ୍ରୀଙ୍କ ଦେୟ ପ୍ରଦାନ ବ୍ୟବସ୍ଥାର ଆବଶ୍ୟକତା ପୂରଣ ପାଇଁ ଶିକ୍ଷା ଋଣ ବ୍ୟବସ୍ଥା ରହିଥିବା କାରଣରୁଶିକ୍ଷାନୁଷ୍ଠାନରୁ ପ୍ରସ୍ଥାନର ଏହି ଧାରା ଅଧିକ ହୋଇପାରେ ।
ଉଚ୍ଚଶିକ୍ଷା ଅନୁଷ୍ଠାନର ଗବେଷଣା ସାମର୍ଥ୍ୟ ଏବଂ ବିଭିନ୍ନ ଶିଳ୍ପ ଏବଂ ବାଣିଜ୍ୟିକ ସଂସ୍ଥାରେ ଗବେଷଣା ଓ ଉନ୍ନୟନ କ୍ଷେତ୍ରର ଆବଶ୍ୟକତା ମଧ୍ୟରେ ସମନ୍ବୟ ସ୍ଥାପନ ନିମନ୍ତେ ଏହି ନୀତିରେ ପ୍ରସ୍ତାବ ଦିଆଯାଇଛି । ଏଭଳି ହେଲେ, ଉଭୟ ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନର ତତ୍ତ୍ବ ସଂପର୍କିତ ଉଚ୍ଚତର ଗବେଷଣା କ୍ଷେତ୍ର ଅବହେଳିତ ଅବସ୍ଥାରେ ରହିଯିବ । ଏହି ନୀତି କାର୍ଯ୍ୟକାରୀ କରିବା ନିଷ୍ପତ୍ତିରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପୂର୍ବରୁ ଏ ସମସ୍ତ ପ୍ରସଙ୍ଗ ସଂପର୍କିତ ଆଲୋଚନା ଯେଭଳି ପଛରେ ରହି ନଯାଏ, ତାହାସୁନିଶ୍ଚିତ କରିନେବା ହିଁ ଏହାକୁ ସାର୍ଥକ କରିବ ।
କୁମାର ସଞ୍ଜୟ ସିଂହ, ସହାୟକ ପ୍ରାଧ୍ୟାପକ, ଇତିହାସ ବିଭାଗ, ସ୍ବାମୀ ଶ୍ରଦ୍ଧାନନ୍ଦ ମହାବିଦ୍ୟାଳୟ, ଦିଲ୍ଲୀ ବିଶ୍ବବିଦ୍ୟାଳୟ