ଓଡିଶା

odisha

ETV Bharat / bharat

ଭିନ୍ନ ଏକ ମୋଡ଼ରେ ନେପାଳ-ଭାରତ ସଂପର୍କ - sanjay kapoor

ଏଭଳି ଏକ ସମୟରେ ନେପାଳ କାହିଁକି ଏକ ବିବାଦୀୟ ଅଞ୍ଚଳ ଉପରେ ଏହାର ମାଲିକାନା ଦାବି ଉପସ୍ଥାପନ କରୁଛି ? ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ସମସ୍ୟାରୁ ନଜର ହଟାଇବା ପାଇଁ ଏହା ତାଙ୍କରି ଦ୍ବାରା ସ୍ଥିର କରାଯାଇଛି ନା ସମଗ୍ର କ୍ଷେତ୍ରରେ ଭାରତର ପ୍ରଭାବକୁ ପ୍ରତିହତ କରାଇବା ପାଇଁ ଆକ୍ରମଣାତ୍ମକ ଦୃଷ୍ଟିଭଙ୍ଗୀ ଆପଣେଇ ଥିବା ଚୀନ ଏହାକୁ ଉସୁକାଉଛି ? ଅଧିକ ପଢନ୍ତୁ...

ଭିନ୍ନ ଏକ ମୋଡ଼ରେ ନେପାଳ-ଭାରତ ସଂପର୍କ
ଭିନ୍ନ ଏକ ମୋଡ଼ରେ ନେପାଳ-ଭାରତ ସଂପର୍କ

By

Published : Jun 21, 2020, 9:36 AM IST

ଭାରତର ନିକଟତମ ପଡ଼ୋଶୀ ଏବଂ ସହଯୋଗୀ ରାଷ୍ଟ୍ର ନେପାଳ ଯେ ପୁରୁଣା ଔପନିବେଶବାଦୀ ସମୟର ବୁଝାମଣାକୁ ଉତ୍‌ଥାପନ କରି, ନିଜର ନିକଟତମ ପଡ଼ୋଶୀ ଓ ସହଯୋଗୀ ରାଷ୍ଟ୍ର ଆଗରେ ଏକ ବିବାଦୀୟ ସ୍ଥାନ ଉପରେ ମାଲିକାନା ଦାବି କରିବ, ତାହା ଆଶା କରାଯାଉ ନଥିଲା । ନେପାଳ ତରବରିଆ ଭାବେ ସଂସଦରେ ଏକ ବିଲ୍‌ ଗୃହୀତ କରାଇ ଏଥିରେ କାଲାପାନି, ଲିପୁଲେଖ ଏବଂ ଲିମ୍‌ପିୟାଧୁରାକୁ ନେପାଳରେ ସମ୍ମିଳିତ ଅଞ୍ଚଳ ବୋଲି ଦର୍ଶାଇଲା । କ୍ରୋଧରେ ନା ଘୃଣାରେ ନା ଉଦାସୀନ ଭାବରେ - ଏହି ନିର୍ଲଜ କାର୍ଯ୍ୟକଳାପର ପ୍ରତ୍ୟୁତ୍ତରରେ କିଭଳି ପ୍ରତିକ୍ରିୟା ରଖିବ ବୋଲି କ୍ଷୁବ୍‌ଧ ନୂଆଦିଲ୍ଲୀ ଏବେ ଚିନ୍ତାରେ ପଡ଼ିଯାଇଛି । ଦେଶର ସୀମାରେଖାକୁ ନେଇ ଚୀନ ସହ ଏହାର ପୂର୍ବ ସଂପର୍କ ନେପାଳର କାର୍ଯ୍ୟକଳାପକୁ ଅଧିକ ଉସୁକାଇଥିବା ବେଳେ ସେପଟେ ଚୀନ କେବଳ ଯେ ବାସ୍ତବ ନିୟନ୍ତ୍ରଣ ରେଖା ନିକଟକୁ ସେନାକୁ ଅଗ୍ରସର କରାଇଲା ତାହା ନୁହେଁ, ବରଂ ପୂର୍ବରୁ ଚିହ୍ନଟ ହୋଇ ନଥିବା ସୀମାକୁ ସୁରକ୍ଷିତ ରଖିବା ପାଇଁ ଭାରତୀୟ ସଂକଳ୍ପବଦ୍ଧତାର ମଧ୍ୟ ଆକଳନ କରିବାରେ ଲାଗିଲା । ଜୁନ୍‌ 15 ତାରିଖରେ ଯାହା ସବୁ ଘଟିଗଲା ଏବଂ ବାସ୍ତବ ନିୟନ୍ତ୍ରଣ ରେଖା ସଂପର୍କରେ ଚୀନର ବକ୍ତବ୍ୟକୁ ଭାରତ ଯେଭଳି ଭାବରେ ଗ୍ରହଣ କରିନେଲା ଏବଂ ଭାରତ ନିୟନ୍ତ୍ରଣରେ ଥିବା ସୀମାବର୍ତ୍ତୀ ଅଞ୍ଚଳ ଉପରେ ହିଁ ଆଗକୁ ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଭାରତ ପ୍ରତି ନେପାଳର ଆଭିମୁଖ୍ୟ ନିର୍ଭର କରିବ ।

ଏଭଳି ଏକ ସମୟରେ ନେପାଳ କାହିଁକି ଏକ ବିବାଦୀୟ ଅଞ୍ଚଳ ଉପରେ ଏହାର ମାଲିକାନା ଦାବି ଉପସ୍ଥାପନ କରୁଛି ? ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ସମସ୍ୟାରୁ ନଜର ହଟାଇବା ପାଇଁ ଏହା ତାଙ୍କରି ଦ୍ବାରା ସ୍ଥିର କରାଯାଇଛି ନା ସମଗ୍ର କ୍ଷେତ୍ରରେ ଭାରତର ପ୍ରଭାବକୁ ପ୍ରତିହତ କରାଇବା ପାଇଁ ଆକ୍ରମଣାତ୍ମକ ଦୃଷ୍ଟିଭଙ୍ଗୀ ଆପଣେଇ ଥିବା ଚୀନ ଏହାକୁ ଉସୁକାଉଛି ?

ବିବାଦୀୟ ଅଞ୍ଚଳକୁ ହାସଲ କରିବା ପାଇଁ ନେପାଳ ଯେଉଁ ସମୟରେ ଉଦ୍ୟମ କରିଛି, ସେଥିରୁ ଚୀନ ସହ ଏହାର ସଂପର୍କ ରହିଛି ବୋଲି ମନେ ହେଉଥିଲେ ହେଁ ନୂଆଦିଲ୍ଲୀ ସହ ତାଙ୍କର ଶୀତଳ ସଂପର୍କ ଯୋଗୁଁ ଓଲି ଏଭଳି ନିଷ୍ପତ୍ତି ନେଇଥିବା କଥା ବିଶ୍ବାସ କରିବାର ଅନେକ କାରଣ ରହିଛି । ନେପାଳର ଆକ୍ରମଣାତ୍ମକ ଭଙ୍ଗୀ ପାଇଁ ଚୀନକୁ ଦାୟୀ କରିବା ବେଳେ ଭାରତୀୟ ସେନା ମୁଖ୍ୟ ଜେନେରାଲ ନରବଣେ କାଠମାଣ୍ଡୁରେ କ’ଣ ଘଟୁଛି ଏବଂ ଓଲିଙ୍କ ମନରେ କ’ଣ ଅଛି ତାହା ଆକଳନ କରିବାରେ ଭୁଲ କରିଥିବା ଭଳି ମନେହୁଏ । ପରେ ଯଦିଓ କିଛିଟା ଉକ୍ତିର ପ୍ରତ୍ୟାହାର ପରିଲକ୍ଷିତ ହୋଇଥିଲା, ତଥାପି ଗୋଟିଏ ସାର୍ବଭୌମ ସହଯୋଗୀ ରାଷ୍ଟ୍ର ନିରପେକ୍ଷ ଭାବରେ ନିଷ୍ପତ୍ତି ନେବାରେ ଅସମର୍ଥ ବୋଲି ଜନ୍ମିଥିବା ଧାରଣା ଯୋଗୁଁ କାଠମାଣ୍ଡୁର ଶାସକ ଗୋଷ୍ଠୀରେ ତମ୍ବିତୋଫାନ ସୃଷ୍ଟି ହୋଇଥିଲା । ଏହା ପରେ ଭାରତ ନିଜର ସୀମାଭୁକ୍ତ ବୋଲି ଦାବି କରିଆସୁଥିବା ତିନିଟି ଯାକ ଅଞ୍ଚଳକୁ ଆନୁଷ୍ଠାନିକ ଭାବେ ଅକ୍ତିଆର କରିବାକୁ ନେପାଳ ସରକାରଙ୍କ ଉଦ୍ୟମ ତ୍ବରାନ୍ବିତ ହୋଇଥିଲା । ନେପାଳ ସରକାରଙ୍କ ନିଷ୍ପତ୍ତି ସଂପର୍କରେ ନୂଆଦିଲ୍ଲୀର ମତାମତ କ’ଣ ଏବଂ ଏ ସଂପର୍କରେ ବୁଝାମଣା କରିବା ଲାଗି କୌଣସି ପଥ ଉନ୍ମୁକ୍ତ ରହିଛି କି ନାହିଁ ସେ କଥା ଜାଣିବା ପାଇଁ ନେପାଳ ଅଟକି ଯାଇ ନଥିଲା । କେବଳ ନେପାଳ ସଂସଦରେ ବିଲ୍‌ ଗୃହୀତ ହେବା ପରେ ହିଁ ଓଲି ସରକାର ନୂଆଦିଲ୍ଲୀ ସହ ସଂପର୍କ ସ୍ଥାପନ ପାଇଁ ସ୍ଥିର କରିଥିଲେ ଏବଂ ଭାରତ ସହ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ବୋଲି ଜଣାଇଥିଲେ । ନେପାଳରେ ଅବସ୍ଥାପିତ ଭାରତର ଜଣେ ପୂର୍ବତନ ରାଷ୍ଟ୍ରଦୂତ ମନ୍ତବ୍ୟ ଦେଇଥିଲେ, “ଆଉ ଏବେ କ’ଣ କଥାବାର୍ତ୍ତା କରିବାର ଅଛି”। ବହୁତ କିଛି ଅଛି, ଯଦି ଭାରତ ସରକାର ଆତ୍ମସମୀକ୍ଷା କରିବାକୁ ସ୍ଥିର କରନ୍ତି ଯେ କାହିଁକି ଭାରତ ପ୍ରତି ନେପାଳରେ ଏତେ ଅଧିକ ବିରୋଧୀ ମନୋଭାବ ଉତ୍ପନ୍ନ ହେଲା ଏବଂ ବିବାଦୀୟ ଅଞ୍ଚଳକୁ ନିଜ ନିୟନ୍ତ୍ରଣରେ ରଖିବା ଭଳି ସଂକେତଧର୍ମୀ କାର୍ଯ୍ୟକ୍ରମକୁ ନେପାଳବାସୀ ଏତେ ଦୃପ୍ତ ଭାବରେ କାହିଁକି ଗ୍ରହଣ କରିନେଲେ ।

ନେପାଳରେ ଓଲିଙ୍କ ଶାସନ ବ୍ୟବସ୍ଥା ତୀବ୍ର ସମାଲୋଚିତ ହୋଇଛି । ବିଶ୍ବ ମହାମାରୀ ମୁକାବିଲାରେ ଓଲିଙ୍କ ଅପାରଗତା ବିରୋଧରେ ନେପାଳର ଯୁବ ଗୋଷ୍ଠୀ ଆନ୍ଦୋଳନ କରିଛନ୍ତି । ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଏ କ୍ଷେତ୍ରରେ ବି ଓଲି ଭାରତ ଉପରେ ଦୋଷ ଲଦି ଦେବାକୁ ଯାଇ ସବୁଠାରୁ ଅଧିକ ସଂକ୍ରମଣ ମାମଲା ସୀମା ଆରପଟୁ ଆସିଛି ବୋଲି ଅଭିଯୋଗ କରିଛନ୍ତି । ସତକଥା ହେଉଛି ଯେ ଖୁବ୍‌ କମ ସଂଖ୍ୟକ ଲୋକ ଭାରତରୁ ନେପାଳକୁ ଫେରିଛନ୍ତି ।

ନୂଆଦିଲ୍ଲୀ ଉପରେ ଓଲି ଅସନ୍ତୁଷ୍ଟ ହେବାର କାରଣ ହେଉଛି ଯେ, ସେ ଅସୁସ୍ଥ ଥିବା ବେଳେ ତାଙ୍କୁ କ୍ଷମତାଚ୍ୟୁତ କରିବାକୁ ହୋଇଥିବା ଉଦ୍ୟମ ପଛରେ ନୂଆଦିଲ୍ଲୀ ଥିବା କଥାକୁ ସେ ବିଶ୍ବାସ କରିନେଇଛନ୍ତି ବୋଲି କୁହାଯାଉଛି । ଏମିତି କି ପ୍ରଚଣ୍ଡ ତାଙ୍କୁ ବିରୋଧ କରିବା ପଛରେ ନୂଆଦିଲ୍ଲୀର ପ୍ରେରଣା ରହିଛି ବୋଲି ଅଭିଯୋଗ ହୋଇଛି । ନେପାଳରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତଙ୍କ ହସ୍ତକ୍ଷେପ ପରେ ଓଲି ସରକାର ତିଷ୍ଠି ଯାଇଥିଲା । ସେଠାରେ ସାମାଜିକ ସ୍ତରରେ ବି ଚୀନ ରାଷ୍ଟ୍ରଦୂତଙ୍କ ପାଖରେ ଅପେକ୍ଷାକୃତ ଭାବେ ସହଜରେ ପହଞ୍ଚି ହୁଏ ।

ନେପାଳରେ ଏଭଳି ସ୍ଥିତି ଲାଗି ରହିଥିବା ସମୟରେ, କୈଳାସ ମାନସରୋବର ଯାତ୍ରୀଙ୍କ ପାଇଁ ଲିପୁଲେଖ ପାର୍ବତ୍ୟ ଘାଟି ଦେଇ ଯାଇଥିବା ରାସ୍ତାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଚାରଶୂନ୍ୟ ଭାବରେ ଉଦ୍‌ଘାଟନ କରିବା ଘଟଣା ଓଲିଙ୍କୁ ଏକ ସୁଯୋଗ ଆଣି ଦେଇଥିଲା, କାରଣ, ଲିପୁଲେଖକୁ ନେପାଳ ନିଜ ଅଞ୍ଚଳ ବୋଲି ଦାବି କରିଆସୁଛି । ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗ୍ୟାୱାଲି କହିଲେ, “ଭାରତ ଦ୍ବାରା ଉଦ୍‌ଘାଟିତ ରାସ୍ତା ସେହି ଅଞ୍ଚଳରେ ତିଆରି ହୋଇଛି ଯାହା କି ଇତିହାସ ଦୃଷ୍ଟିରୁ ନେପାଳର ଅଧିକାରରେ ରହିଛି । 1816 ମସିହାର ସୁଗୌଲି ଚୁକ୍ତିନାମା ଅନୁସାରେ ମହାକାଳୀ ନଦୀର ପୂର୍ବ ଭାଗରେ ଥିବା ଅଞ୍ଚଳ ନେପାଳର ଏବଂ 1988 ମସିହାରେ ମଧ୍ୟ ନେପାଳର ସୀମା ନିର୍ଦ୍ଧାରଣ କ୍ଷେତ୍ରରେ ‘ସ୍ଥିରୀକୃତ ସୀମା’ ନୀତି ଅନୁସରଣ କରିବା ଲାଗି ଉଭୟ ପକ୍ଷ ରାଜି ହୋଇଥିଲେ ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚୀନ୍‌ ଗସ୍ତ ସମୟରେ ମାନସରୋବର ଯାତ୍ରୀଙ୍କ ସହାୟତା ଲାଗି ଲିପୁଲେଖଠାରେ ଏକ ସୀମା ଶିବିର ନିର୍ମାଣ ପାଇଁ ନିଆଯାଇଥିବା ନିଷ୍ପତ୍ତିର ପ୍ରତିବାଦ କରିଥିଲା ନେପାଳ । ନେପାଳୀମାନଙ୍କୁ ଆଉ ଯେଉଁ କଥା କ୍ଷୁବ୍‌ଧ କରିଥିଲା ତାହା ହେଲା, ମାନ ସରୋବର ଯାତ୍ରା ଆଳରେ ନେପାଳ ଭଳି ଏକ ହିନ୍ଦୁବହୁଳ ରାଷ୍ଟ୍ରରେ ହିନ୍ଦୁମାନଙ୍କୁ ପ୍ରବର୍ତ୍ତାଇବାକୁ ଭାରତୀୟ ନେତାଙ୍କ ଉଦ୍ୟମ । ହିନ୍ଦୁ ସଭ୍ୟତା ସମୟରେ ଥିବା ସଂପର୍କ ବିଷୟ ଅବତାରଣା କରି ମୋଦିଙ୍କ ନେତୃତ୍ବାଧୀନ ଭାରତୀୟ ସରକାର ଦେଶର ପ୍ରଭାବକୁ ବିସ୍ତାରିତ କରିବା ଲାଗି ଉଦ୍ୟମ କରିଥିଲେ । ଏସବୁ ପଦକ୍ଷେପର ପରିଣାମ ବିପରୀତଧର୍ମୀ ହୋଇଛି । ନେପାଳ ହିନ୍ଦୁ ଧର୍ମକୁ ରାଣା ବଂଶ ଦ୍ବାରା ସ୍ଥାପିତ ସାମନ୍ତବାଦ ସହ ସଂଯୁକ୍ତ କରି ଦେଖିଥାଏ ଏବଂ ଏହା ସହିତ ମାଓବଦୀମାନଙ୍କର ତୀବ୍ର ଲଢ଼େଇ ହୋଇଥିଲା । ନେପାଳ ଓ ଭାରତ ମଧ୍ୟରେ ସଂପର୍କ ସେତେବେଳେ ତିକ୍ତ ହେଲା ଯେତେବେଳେ କାଠମାଣ୍ଡୁର ନେତୃତ୍ବ ନେପାଳକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରିବାକୁ ମନା କରିଦେଲେ ।

2015ରୁ ଭାରତ ସହ ନେପାଳର ସଂପର୍କ ନିମ୍ନମୁଖୀ ହେବାରେ ଲାଗିଛି ଏବଂ ନେପାଳ ସହ ଏକ ବିଶେଷ ସଂପର୍କ ଥିବା ସତ୍ତ୍ବେ ଭାରତ ସରକାର ଏହାର ପୁନର୍ବିନ୍ୟାସ କରିବାରେ ବିଫଳ ହୋଇଛନ୍ତି । ଭବିଷ୍ୟତରେ ଆଉ ଅଧିକ ସମ୍ଭାବିତ ସମସ୍ୟାର କାରଣ ହେଉଛି ଯେ ଭୂଭାଗ ପରିବେଷ୍ଟିତ ନେପାଳକୁ ଚୀନ୍ ଚଷମାରେ ଦେଖିବାର ଧାରାକୁ ନୂଆଦିଲ୍ଲୀ ଗ୍ରହଣ କରିନେଇଛି । ଏହି ଆଭିମୁଖ୍ୟ ଭାରତକୁ ଏବଂ ନେପାଳୀମାନଙ୍କୁ ବ୍ୟଥିତ କରିଛି ଏବଂ ବିଭିନ୍ନ ସ୍ତରରେ ଉଭୟଙ୍କ ମଧ୍ୟରେ ରହିଥିବା ଅନ୍ତରଙ୍ଗ ସଂପର୍କକୁ ବ୍ୟାହତ କରିଛି । ଚିନ୍ତାର ବିଷୟ ହେଲା ଯେ, ଭାରତୀୟ ଅର୍ଥବ୍ୟବସ୍ଥାରେ ଖରାପ ସ୍ଥିତି ଯୋଗୁଁ ଚାକିରି ଖୋଜୁଥିବା ନେପାଳର ଯୁବ ପିଢ଼ି ପାଇଁ ଭାରତ ଆଉ ଏକ ଆକର୍ଷକ ଲକ୍ଷ୍ୟସ୍ଥଳ ହୋଇ ରହିନାହିଁ ।

ସଞ୍ଜୟ କପୁର

ABOUT THE AUTHOR

...view details