ଓଡିଶା

odisha

ETV Bharat / bharat

ନୂଆ ଶିକ୍ଷାନୀତି-2020: ଭାରତରେ ଉନ୍ନତ ଗବେଷଣା ପାଇଁ ହେବ ସହାୟକ - Prof. Appa Rao Podile

ନୂଆ ଶିକ୍ଷାନୀତି-2020 ଭାରତରେ ଉନ୍ନତ ଗବେଷଣା ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି । ଅଧିକ ପଢନ୍ତୁ...

ନୂଆ ଶିକ୍ଷାନୀତି-2020: ଭାରତରେ ଉନ୍ନତ ଗବେଷଣା ପାଇଁ ହେବ ସହାୟକ
ନୂଆ ଶିକ୍ଷାନୀତି-2020: ଭାରତରେ ଉନ୍ନତ ଗବେଷଣା ପାଇଁ ହେବ ସହାୟକ

By

Published : Aug 12, 2020, 9:01 AM IST

ଦେଶରେ 12ଟି 5-ବର୍ଷିଆ ଯୋଜନା ପ୍ରଣୟନ ହେବା (60 ବର୍ଷ) ପରେ ଭାରତ ସରକାର ବହୁ ଦିନର ପୁରୁଣା “ଯୋଜନା କମିଶନ” ଢାଞ୍ଚାକୁ ଛାଡି ନୂଆ ବ୍ୟବସ୍ଥା ଆପଣେଇଛନ୍ତି । ଏହାକୁ ‘ନୀତି(ନ୍ୟାସନାଲ ଇନିଷ୍ଟିଚ୍ୟୁଟ ଫର ଟ୍ରାନସଫରମିଙ୍ଗ ଇଣ୍ଡିଆ) ଆୟୋଗ’ ଭାବେ ପୁନଃନାମିତ କରାଯାଇଛି । ଆକ୍ଷରିକ ଅର୍ଥରେ ସରକାରଙ୍କ ନୀତି ନିର୍ଦ୍ଧାରଣ କରୁଥିବା ଏହି କମିଶନ ଗଠନ ହେବାର ପ୍ରଥମ ପାଞ୍ଚ ବର୍ଷରେ ଭାରତରେ ବ୍ୟାପକ ପରିବର୍ତ୍ତନ ଆସିବା ସହ ଏହା ଅତ୍ୟନ୍ତ ପରିଚିତ ହୋଇଛି।

ସରକାରୀ ଖର୍ଚ୍ଚର ସୁପରିଚାଳନା ସହ ଏହାର ତଦାରଖ ଏବଂ ଉପଲବଧ ଜ୍ଞାନକୌଶଳର ବ୍ୟବହାର ନେଇ ଉତ୍ତରଦାୟିତ୍ବ ବଢାଇବାରେ ନୀତି ଆୟୋଗ ସହାୟକ ହୋଇଛି। ସରକାରୀ ଅର୍ଥ ଖର୍ଚ୍ଚ କ୍ଷେତ୍ରରେ ଉତ୍ତରଦାୟିତ୍ବ ଏବଂ ସ୍ବଚ୍ଛତା ବଢାଇବା ପାଇଁ ପବ୍ଲିକ ଫଣ୍ଡ ମ୍ୟାନେଜମେଣ୍ଟ ସିଷ୍ଟମ(PFMS)ର ବ୍ୟବହାର ଏବଂ ଭାରତ ସରକାରଙ୍କ ବିଭିନ୍ନ ଯୋଜନାକୁ ଡିଜିଟାଲ ମୋଡରେ କାର୍ଯ୍ୟକାରୀ କରିବା ଦ୍ବାରା ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏବେ, 30 ବର୍ଷ ପରେ ସଂଶୋଧିତ ହୋଇ ଆସିଥିବା ନୂଆ ଶିକ୍ଷା ନୀତି(NEP)-2020 ଯୋଗୁଁ ମଧ୍ୟ ଭାରତର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସି ଆଗକୁ ଏହା ଅନ୍ତର୍ଜାତୀୟ ସ୍ତରର ହୋଇପାରିବ ବୋଲି ଆଶା କରାଯାଉଛି।

ନୂଆ ନୀତିରେ ବ୍ୟବସ୍ଥାକୁ ପରିବର୍ତ୍ତନଶୀଳ ସହିତ ଉତ୍ତରଦାୟୀ କରାଯାଇଥିବାରୁ ନିଶ୍ଚିତ ଭାବେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମାନ ବୃଦ୍ଧି ଘଟିବ। ନୂଆ ଶିକ୍ଷାନୀତି-2020ରେ ରହିଛି ଅନେକ କିଛି ନୂଆ ନୂଆ ନିୟମାବଳୀ, କିନ୍ତୁ ଏହି ଲେଖା ଗବେଷଣା ସମ୍ପର୍କୀତ ବିଷୟରେ ସୀମିତ ରହିଛି।

ଷ୍ଟେମ୍(STEM) ବଦଳରେ ଏବେ ଷ୍ଟିମ୍(STEAM)କୁ ଗୁରୁତ୍ବ

ଶିକ୍ଷା ଓ ଗବେଷଣା ସବୁବେଳେ ପରସ୍ପର ସହିତ ଜଡ଼ିତ। ଦେଶରେ ‘ଆତ୍ମନିର୍ଭର ଭାରତ’ କଥା କୁହାଯାଉଥିବାବେଳେ ଦେଶକୁ ସ୍ବାବଲମ୍ବୀ କରିବାକୁ ହେଲେ ଅନେକ ବିଷୟରେ ଗବେଷଣା କରିବାର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି। ଗବେଷଣା କ୍ଷେତ୍ରରେ ଯାହା ବି ପୁଞ୍ଜି ବିନିଯୋଗ କରାଯିବ ତାହାର ଫାଇଦା ଭବିଷ୍ୟତରେ ନିୟମିତ ଭାବେ ମିଳିପାରିବ। ଗବେଷଣା କ୍ଷେତ୍ରରେ ଯେଉଁ ଖର୍ଚ୍ଚ ହେବ ତାହାର ଲାଭ ସବୁବେଳେ ଅଧିକ ରହିବ! ଏହାଦ୍ବାରା ସ୍କଲ, କଲେଜ, ବିଶ୍ବବିଦ୍ୟାଳୟଗୁଡ଼ିକରେ ଭାଷା, ସଂସ୍କୃତି ଏବଂ ସାମାଜିକ-ଅର୍ଥନୈତିକ କ୍ଷେତ୍ର ନେଇ ଅଧିକ ଜ୍ଞାନ ଆହରଣ କରିବାରେ ଯୁବ ସମାଜ ମନୋନିବେଶ କରିବେ, ଯାହାକି ଆମ ସମାଜରେ ବିଭିନ୍ନ ପ୍ରସଙ୍ଗ ନେଇ ରହୁଥିବା ସମସ୍ୟାଗୁଡ଼ିକର ସମାଧାନ କରିପାରିବ। ଏହାଦ୍ବାରା କଳା ଏବଂ ସାମାଜିକ ବିଜ୍ଞାନର ବିଭିନ୍ନ ବିଭାଗରେ ଗବେଷଣା ପ୍ରତି ସମ୍ପୃକ୍ତ ବିଶ୍ବବିଦ୍ୟାଳୟଗୁଡ଼ିକରେ ଉତ୍ସାହ ଅଧିକ ପ୍ରଭାବଶାଳୀ ହେବ। କିନ୍ତୁ ବିଜ୍ଞାନ, କାରିଗରୀକୌଶଳ, ଇଂଜିନିୟରିଂ ଏବଂ ମ୍ୟାଥମେଟିକସ(STEM) ବିଷୟଗୁଡ଼ିକରେ ଗବେଷଣା ମୁଖ୍ୟତଃ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ବାହାରେ ହେଉଥିଲା।

ବିଶ୍ବବିଦ୍ୟାଳୟରେ ଯେଉଁମାନେ ଗବେଷଣା କରନ୍ତି, ସେମାନଙ୍କୁ ଗୋଟିଏ ପଟେ ନିଜ ଦେଶର ବୈଜ୍ଞାନିକ ଏବଂ ଅନ୍ୟପଟେ ଏସବୁ ବିଷୟରେ ବିଶ୍ବର ଗବେଷଣାରତ ଅଗ୍ରଣୀ ବୈଜ୍ଞାନିକଙ୍କ ସହ ପ୍ରତିଦ୍ବିନ୍ଦ୍ବିତା କରିବାକୁ ପଡିଥାଏ। ହେଲେ ବିଶ୍ବବିଦ୍ୟାଳୟଗୁଡ଼ିକ ପାଇଁ ସୁବିଧା ହେଲା ଏଠାକୁ ବର୍ଷକୁ ବର୍ଷ ନୂଆ ନୂଆ ଯୁବ ମେଧାବୀ ଆସିଥାନ୍ତି। ବିଶ୍ବବିଦ୍ୟାଳୟ, ଆଇଆଇଟି ଏବଂ ଏନଆଇଟି ସମେତ ଦେଶରେ ଥିବା ଅନେକ ଉଚ୍ଚଶିକ୍ଷାନୁଷ୍ଠାନ କିପରି ବହୁବିଭାଗୀୟ ଅନୁଷ୍ଠାନରେ ପରିଣତ କରାଯିବ ସେ ସମ୍ପର୍କରେ ନୂଆ ଶିକ୍ଷାନୀତି-2020ରେ ପରିକଳ୍ପନା କରାଯାଇଛି।

ଏସବୁ ଉଚ୍ଚଶିକ୍ଷାନୁଷ୍ଠାନ ସେମାନଙ୍କ ଗବେଷଣା କ୍ଷେତ୍ରକୁ କେବଳ ଷ୍ଟେମ୍(STEM) ବିଷୟରେ ସୀମିତ ନରଖି କଳା ଶ୍ରେଣୀରେ ଥିବା ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟକୁ ସାମିଲ କରି କିପରି ଷ୍ଟିମ୍(STEAM)ଭିତ୍ତିକ କରିବେ ତାହା ହେଉଛି ନୂଆ ଶିକ୍ଷାନୀତିର ଉଦ୍ଦେଶ୍ୟ। ବୈଷୟିକ କ୍ଷେତ୍ର ସହ ଭାଷା, ସାହିତ୍ୟ, ସଂସ୍କୃତି, ସାମାଜିକ-ଅର୍ଥନୀତି ଆଦି ବିଷୟଗୁଡ଼ିକୁ ଗବେଷଣା କ୍ଷେତ୍ରରେ ସମାନ ଗୁରୁତ୍ବ ପ୍ରଦାନ ପାଇଁ ନୂଆ ନୀତିରେ ଲକ୍ଷ୍ୟ ରଖାଯାଇଛି। କାରଣ ସାରା ବିଶ୍ବ ଏବଂ ନିର୍ଦ୍ଦିଷ୍ଟ ଭାବେ ଭାରତ ପାଇଁ ଏହାର ଅନେକ ଗୁରୁତ୍ବ ରହିଛି।

ଜାତୀୟ ଗବେଷଣା ପ୍ରତିଷ୍ଠାନ

ଅନେକ ଭାରତୀୟ ପ୍ରଫେସରଙ୍କ ମତରେ ଗୋଟିଏ କଥା ଦେଖିବାକୁ ମିଳେ, ଦେଶରେ ଗବେଷଣା ଦିଗରେ ହେଉଥିବା ଖର୍ଚ୍ଚ ପ୍ରଣାଣୀ ସମସାମୟିକ ଉନ୍ନତ ରାଷ୍ଟ୍ରଠାରୁ ସମ୍ପୂର୍ଣ୍ଣ ଭିନ୍ନ। 15 ହଜାରରୁ ଅଧିକ ରିସର୍ଚ୍ଚ ଫେଲୋସିପ୍ ଏବଂ ହଜାର ହଜାର ସଂଖ୍ୟାରେ ପିଏଚଡି ପରବର୍ତ୍ତୀ ଫେଲୋସିପ୍ ସରକାରୀ ସହାୟତାରେ ଚାଲିଛି। ଆଉ ଏକ ବଡ଼ କଥା ହେଲା, ପ୍ରଧାନମନ୍ତ୍ରୀ’ଙ୍କ ରିସର୍ଚ୍ଚ ଫେଲୋସିପ୍ (PMRF) ଅଧିନରେ ଆମର ଅନେକ ଆକର୍ଷଣୀୟ ଏବଂ ପ୍ରତିଯୋଗିତାମୂଳକ ରିସର୍ଚ୍ଚ ଫେଲୋସିପ୍ ବି ରହିଛି।

କୌଣସି କଟକଣା ଭିତରେ ନରହି ଗବେଷଣାମୂଳକ କାର୍ଯ୍ୟରେ ମନୋନିବେଶ କରିବା ପାଇଁ ଯୁବ ମେଧାବୀମାନଙ୍କୁ ଉତ୍ସାହିତ କରିବା ଏବଂ ପ୍ରେରଣା ଦେବା ହେଉଛି ଭାରତରେ ରିସର୍ଚ୍ଚ ଫେଲୋସିପର ମୂଳ ଉଦ୍ଦେଶ୍ୟ। ଏତେ ସଂଖ୍ୟାରେ ଯୁବ ଗବେଷଣାକାରଙ୍କୁ ପ୍ରୋତ୍ସାହିତ କରିବା, ଜାତୀୟ ସ୍ତରରେ ପ୍ରତିଯୋଗିତା ଜରିଆରେ ପିଏଚଡି କରିବା ପାଇଁ ରିସର୍ଚ୍ଚ ଫେଲୋସିପ ପ୍ରଦାନ କରିବା ଭଳି ବ୍ୟବସ୍ଥା ଭାରତରେ ହିଁ କେବଳ ରହିଛି। ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତରେ ଉଚ୍ଚଶିକ୍ଷାନୁଷ୍ଠାନରେ ଗବେଷଣାକାରୀ ଏବଂ ସଫଳତା ହାର ଅଧିକ ଥିବା ରିସର୍ଚ୍ଚ ସେଣ୍ଟରଗୁଡିକରେ କାମ କରୁଥିବା ବୈଜ୍ଞାନିକଙ୍କୁ ହାତ ଖୋଲି ଅନୁଦାନ ଦିଆଯାଉଛି।

ଯେଉଁସବୁ ଉଚ୍ଚଶିକ୍ଷାନୁଷ୍ଠାନ ସେମାନଙ୍କୁ ଦିଆଯାଉଥିବା କାମରେ ଭଲ ଫଳ ଦେଖାଉଛନ୍ତି, ସେମାନଙ୍କୁ ଉଚ୍ଚତର ଗବେଷଣା ପାଇଁ ଭିତ୍ତିଭୂମି ଯୋଗାଇ ଦେବାରେ ଅସୁବିଧା ରହୁନାହିଁ। ବିଜ୍ଞାନ ଓ କାରିଗରୀକୌଶଳ ବିଭାଗ, ବାୟୋଟେକନୋଲୋଜି ବିଭାଗ, ଭାରତୀୟ କୃଷି ଗବେଷଣା ପରିଷଦ(ଆଇସିଏଆର), ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ(ସିଏସଆଇଆର), ବିଶ୍ବବିଦ୍ୟାଳୟ ମଂଜୁରୀ ଆୟୋଗ(ୟୁଜିସି) ଆଦି ସଂସ୍ଥା ଦ୍ବାରା ଅନେକ ଯୋଜନା କାର୍ଯ୍ୟକାରୀ ହୋଇ ଆସୁଛି। ଏଥିସହିତ ବ୍ୟକ୍ତିଗତ କିମ୍ବା ଦଳଗତ ସ୍ତରରେ ଗବେଷଣାକାରୀଙ୍କୁ ପ୍ରତ୍ୟକ୍ଷ ଭାବେ ଅନୁଦାନ ଦିଆଯାଉଛି।

ଏସବୁକୁ ବ୍ୟବହାର କରି ବନାରସ ହିନ୍ଦୁ ୟୁନିଭର୍ସିଟି, ଦିଲ୍ଲୀ ୟୁନିଭର୍ସିଟି, ୟୁନିଭର୍ସିଟି ଅଫ୍ ହାଇଦ୍ରାବାଦ୍ ଆଦି କିଛି କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନ ଗବେଷଣାରେ ଶ୍ରେଷ୍ଠତ୍ବ ପ୍ରତିପାଦିତ କରି ଇନିଷ୍ଟିଚ୍ୟୁଟ ଅଫ୍ ଏମିନେନସ (IOE)ମାନ୍ୟତା ପାଉଛନ୍ତି। ଏସବୁ ବିଶ୍ବବିଦ୍ୟାଳୟ ଇଣ୍ଡିଆନ ଇନିଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଏବଂ ଆଇଆଇଟି ଭଳି ଗବେଷଣା ଭିତ୍ତିକ ପ୍ରମୁଖ ସଂସ୍ଥାନ ସହ ସମକକ୍ଷ ହୋଇପାରୁଛନ୍ତି। ଭାରତରେ ଏପରି ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ରିସର୍ଚ୍ଚ ୟୁନିଭର୍ସିଟିରେ ପରିଣତ କରିବାକୁ ପଡ଼ିବ, ନୂଆ ଶିକ୍ଷାନୀତି-2020ରେ ଏହା ଅତ୍ୟନ୍ତ ସ୍ପଷ୍ଟ ଭାବେ କୁହାଯାଇଛି।

ମେଧାବୀ ଛାତ୍ରଙ୍କୁ ଫେଲୋସିପ୍ ଏବଂ ଗବେଷଣାକାରୀ ଓ ବୈଜ୍ଞାନିକଙ୍କୁ ରିସର୍ଚ୍ଚ ଅନୁଦାନ ଦିଆଯାଉଥିବାରୁ ଭାରତରେ ଗବେଷଣା କ୍ଷେତ୍ରରେ ଆଗ୍ରହ ବଢିଛି। ଗବେଷଣା ବାବଦରେ ଟିକସଦାତାଙ୍କ ଟଙ୍କା ଖର୍ଚ୍ଚ ହେଉଥିବାରୁ ଏହାକୁ ଅଧିକ ଉତ୍ତରଦାୟୀ କରିବା ସହ ଏହାର ସାମ୍ପ୍ରତିତ ଧାରାରେ ପରିବର୍ତ୍ତନ ଜରୁରୀ। ନୂଆ ଶିକ୍ଷାନୀତି-2020 ଜରିଆରେ ପ୍ରସ୍ତାବିତ ଜାତୀୟ ଗବେଷଣା ପ୍ରତିଷ୍ଠାନ(NRF) ଦ୍ବାରା ଏ ବାବଦରେ ହେଉଥିବା ଖର୍ଚ୍ଚ ଓ ପରିଚାଳନାରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ବ ବୃଦ୍ଧି ଏବଂ ଗବେଷଣା କ୍ଷେତ୍ରରେ ଗୁଣବତ୍ତା ବଢାଇବାକୁ ଲକ୍ଷ୍ୟ ରଖାଯାଇଛି।

ଏନଆରଏଫ ଗବେଷଣା କ୍ଷେତ୍ରରେ ଅଗ୍ରାଧିକାର ବିଷୟ ପ୍ରସ୍ତୁତ କରିବା ସହ ଦେଶ ପାଇଁ କ’ଣ ପ୍ରଥମେ ଆବଶ୍ୟକ ତାହା ସ୍ଥିର କରିବ। ଉନ୍ନତ ଦେଶର ଷ୍ଚାଣ୍ଡାର୍ଡ ଅନୁଯାୟୀ ଗବେଷଣା କରିବା ଏବଂ ସରକାରୀ ଅନୁଦାନ ପାଉଥିବା ବ୍ୟକ୍ତିବିଶେଷ ଓ ଗୋଷ୍ଠୀର ସଫଳତା ଓ ବିଫଳତାକୁ ମଧ୍ୟ ଏହି ସଂସ୍ଥା ତଦାରଖ କରିବ। ଦେଶରେ ଗବେଷଣା କ୍ଷେତ୍ରରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିବା ଦିଗରେ ଏନଆରଏଫ୍ ଏକ ମାଧ୍ୟମ ଭାବେ କାମ କରିବାକୁ ନୂଆ ଶିକ୍ଷାନୀତିରେ ଆଶା କରାଯାଇଛି।

ଗବେଷଣା ପାଇଁ ପ୍ରକୃଷ୍ଟ କ୍ଷେତ୍ର

ହଜାରେରୁ ଅଧିକ ଉଚ୍ଚଶିକ୍ଷାନୁଷ୍ଠାନ ଥିବା ଦେଶରେ ଆମକୁ ସେଗୁଡ଼ିକ ମଧ୍ୟରୁ ଅନେକ ଅନୁଷ୍ଠାନକୁ ଗବେଷଣା ବିଶ୍ବବିଦ୍ୟାଳୟର ଯୋଗ୍ୟତା ହାସଲ କରିବାକୁ ପଡ଼ିବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକୁ ସତର୍କତାର ସହ ରଣନୀତି ବାହାର କରିବାକୁ ପଡ଼ିବ ଏବଂ ଯେଉଁ କ୍ଷେତ୍ରରେ ପରସ୍ପରର ସହଯୋଗ ଦରକାର ତାହା ଚିହ୍ନଟ କରିବାକୁ ହେବ। ଗବେଷଣା କ୍ଷେତ୍ରରେ ନୈତିକତାକୁ ସାଲିସ ନକରି ଉଚ୍ଚମାନର ଗବେଷଣାତ୍ମକ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ସଫଳତା ଢାଞ୍ଚାରେ ଭାରତ ସରକାରଙ୍କୁ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ସ୍ଥାୟୀ ନିଯୁକ୍ତି ମିଳୁଥିବା ସରକାରୀ ଅନୁଷ୍ଠାନରେ ଦେଖା ଦେଉଥିବା ଜଟିଳତା ଓ ସ୍ଥାଣୁତାକୁ ଦୃଷ୍ଟିରେ ରଖି ଏପରି ଏକ ଢାଞ୍ଚା ପ୍ରସ୍ତୁତ କରିବା ଦରକାର ଯେଉଁଥିରେ ଦାୟିତ୍ବବୋଧ ଏବଂ ଉତ୍ତରଦାୟିତ୍ବ ରହୁଥିବ। 5 କିମ୍ବା 7 ବର୍ଷ ପାଇଁ ନିଯୁକ୍ତି ଦେବା ଦ୍ବାରା ଯେପରି ଗବେଷଣା କାର୍ଯ୍ୟରେ ସ୍ଥାଣୁତା ଦେଖା ନଦିଏ ସେଥିପ୍ରତି ଧ୍ୟାନ ଦେବାକୁ ପଡିବ। ଯୁବକମାନଙ୍କ ମଧ୍ୟରେ ନିଯୁକ୍ତି ଗ୍ୟାରେଣ୍ଟିର ଏକ ବିଶ୍ବାସ ସୃଷ୍ଟି ହେବା ଉଚିତ୍, ଯଦ୍ଦ୍ବାରା ଏକ ହାଇବ୍ରିଡ ମଡେଲ ଆଗକୁ ଆସିପାରିବ।

ଇଣ୍ଡିଆନ ଇନିଷ୍ଟିଚ୍ୟୁଟ ଅଫ୍ ସାଇନସ ଏବଂ ଇଣ୍ଡିଆନ ଇନିଷ୍ଟିଚ୍ୟୁଟ ଅଫ୍ ସାଇନସ ଏଜୁକେସନ ଆଣ୍ଡ ରିସର୍ଚ୍ଚ(ଆଇଜର)ରେ ଏପରି ହାଇବ୍ରିଡ ମଡେଲ ଆଗରୁ ସଫଳ ହୋଇଛି। ଏଥିସହିତ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକ ଗବେଷଣା ପାଇଁ ଏକ ପ୍ରକୃଷ୍ଟ କ୍ଷେତ୍ର ସୃଷ୍ଟି କରିବା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଏପରି କ୍ଷେତ୍ର ହେବା ଉଚିତ୍ ଯେଉଁଠି ଭଲ ଗବେଷଣା ପ୍ରଶ୍ନ ଆସିବ, ଯେଉଁଠି ଅଧିକ ପ୍ରୋତ୍ସାହନ ମିଳୁଥିବା କିମ୍ବା କାମରେ ବାଧା ନଥିବ, ଯେଉଁଠି ଯୁବକମାନଙ୍କୁ ଷ୍ଟାର୍ଟ ଅପ୍ ପାଇଁ ସୁବିଧା ସୁଯୋଗ ରହିଥିବ, ମିଳିତ ଉଦ୍ୟମକୁ ଉତ୍ସାହିତ କରାଯାଉଥିବ, ଯେଉଁଠି ଆନ୍ତଃବିଭାଗୀୟ ଗବେଷଣା ପାଇଁ କ୍ଷେତ୍ର ଖୋଲା ଥିବ। ବିଶ୍ବସ୍ତରରେ ପ୍ରତିଦ୍ବନ୍ଦ୍ବିତା କରିବା ଭଳି ଏପରି ଅଧିକରୁ ଅଧିକ ଉଚ୍ଚଶିକ୍ଷାନୁଷ୍ଠାନ ଭାରତରେ ଗଢିବାକୁ ପଡ଼ିବ। ରାଜ୍ୟସ୍ତରରେ ଥିବା ବହୁ ସଂଖ୍ୟାରେ ବିଶ୍ବବିଦ୍ୟାଳୟ ପାଇଁ ମୋଟ ଉପରେ ଅନେକ କିଛି ସମସ୍ୟା ରହିଛି।

ଅଧିକାଂଶ ରାଜ୍ୟ ବିଶ୍ବବିଦ୍ୟାଳୟଗୁଡ଼ିକରେ ଯେତିକି ସଂଖ୍ୟାରେ ଛାତ୍ରଛାତ୍ରୀ ପଢୁଛନ୍ତି ସେ ଅନୁସାରେ ସମ୍ବଳ ବହୁତ କମ୍ ରହୁଛି, ଫ୍ୟାକଲଟି ଆବଶ୍ୟକତାଠାରୁ ଯଥେଷ୍ଟ କମ୍ ରହୁଛନ୍ତି। ଏହା ଏସବୁ ବିଶ୍ବବିଦ୍ୟାଳୟରେ ଗବେଷଣାର ମୁଖ୍ୟ ବାଧକ ସାଜିଛି। ଅନେକ କ୍ୟାମ୍ପସର ଭିତ୍ତିଭୂମି ଏତେ ଦୁର୍ବଳ ଯେ, ସେଠାରେ ଗବେଷଣା କଥା ଚିନ୍ତା କରିବା ଭୁଲ୍। ଏହା ଯୁବ ଗବେଷଣାକାରୀଙ୍କୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଘୁରି ବୁଲିବାକୁ ବାଧ୍ୟ କରୁଛି। ଏପରିକି କିଛି କ୍ୟାମ୍ପସରେ ନିୟମିତ ପାଣି ଓ ବିଦ୍ୟୁତ ଯୋଗାଣ ସୁବିଧା ନଥାଏ, ନିରବଚ୍ଛିନ୍ନ ଇଣ୍ଟରନେଟ ସେବା କଥା ତ ନକହିବା ଠିକ୍ ହେବ।

ଏ କ୍ଷେତ୍ରରେ ଗବେଷଣା ସଂସ୍କୃତି ସୃଷ୍ଟି କରିବାକୁ ହେଲେ ଏବଂ ପ୍ରତିଯୋଗିତାକୁ ଆସି ଗବେଷଣା ବିଶ୍ବବିଦ୍ୟାଳୟର ମାନ୍ୟତା ପାଇବାକୁ ହେଲେ ରାଜ୍ୟ ସରକାର ପ୍ରଥମେ ବିଶ୍ବବିଦ୍ୟାଳୟ କ୍ୟାମ୍ପସଗୁଡ଼ିକରେ ଭିତ୍ତିଭୂମି ସଜାଡି ଗବେଷଣା ପାଇଁ ଆବଶ୍ୟକ ପ୍ରକୃଷ୍ଟ କ୍ଷେତ୍ର ତିଆରି କରିବାକୁ ପଡ଼ିବ। ଏଥିପାଇଁ ଆନ୍ନା ୟୁନିଭର୍ସିଟି, ପୁଣେର ସାବିତ୍ରିବାଇ ଫୁଲେ ୟୁନିଭର୍ସିଟି, ଯାଦବପୁର ୟୁନିଭର୍ସିଟି, ପଞ୍ଜାବ ୟୁନିଭର୍ସିଟି ଆଦିକୁ ରୋଲ୍ ମଡେଲ୍ ଭାବେ ଗ୍ରହଣ କରିବାକୁ ହେବ। ଶିକ୍ଷା ଦୈତ୍ୟ ତାଲିକାରେ ଥିବାରୁ ଗବେଷଣା କ୍ଷେତ୍ରରେ ଦେଶର ବିକାଶ ପାଇଁ ରହିଥିବା ସ୍ବପ୍ନକୁ ସାକାର କରିବାକୁ ହେଲେ ଭାରତ ସରକାରଙ୍କୁ ରାଜ୍ୟ ଗୁଡ଼ିକ ସହିତ ଅଧିକ ସମନ୍ବୟ ରକ୍ଷା ପୂର୍ବକ କାମ କରିବାକୁ ପଡ଼ିବ।

ଏଥିପାଇଁ ଆବଶ୍ୟକ ଦକ୍ଷ ପରିଚାଳନା ବ୍ୟବସ୍ଥା, ଯାହାଦ୍ବାରା ମୁହାଁମୁହିଁ ବୈଠକ ପରିବର୍ତ୍ତେ ହାତ ଅଙ୍ଗୁଳିରେ(ଲାପଟପ୍ କିମ୍ବା ମୋବାଇଲ) ସବୁ କିଛିର ମୂଲ୍ୟାୟନ ହୋଇ ପାରୁଥିବ। ଛୋଟ ଛୋଟ ବୈଠକ ପାଇଁ ଲମ୍ବା ଯାତ୍ରା ନକରି କରୋନା ମହାମାରୀ ବେଳେ ମିଳିଥିବା ଅନୁଭୂତିକୁ ପାଥେୟ କରି ଭିଡିଓ କନଫରେନସିଂ ଜରିଆରେ ବୈଠକ କରିବାକୁ ଆପଣାଇବାକୁ ପଡ଼ିବ। ଏହାଦ୍ବାରା ଶକ୍ତି ଓ ସମ୍ବଳ ସଂଚୟ ସହିତ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦକ୍ଷତା ବଢାଇବ।

ଲେଖକ: ପ୍ରଫେସର ଆପ୍ପା ରାଓ ପୋଡିଲେ (ୟୁନିଭର୍ସିଟି ଅଫ ହାଇଦ୍ରାବାଦର ଭାଇସ ଚାନସେଲର ଏବଂ ଜେସି ବୋଷ ଫେଲୋ(ଡିଏସଟି), ହାଇଦ୍ରାବାଦ-500046, ତେଲେଙ୍ଗାନା)

Email: podilerao@gmail.com

ABOUT THE AUTHOR

...view details