NEET, JEE 2020 ସ୍ଥଗିତ ରଖିବା ଆବେଦନକୁ ଖାରଜ କଲେ ସୁପ୍ରିମ କୋର୍ଟ: 2020ର ମୁଖ୍ୟ ଜେଇଇ ଏବଂ ଏନ୍ଇଇଟି 2020 ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ କରାଯାଇଥିବା ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରିଦେଇଛନ୍ତି ଏବଂ କୋଭିଡ୍-19 ସଂକଟ ଯୋଗୁଁ ଜୀବନର ଧାରାକୁ ସ୍ଥଗିତ କରାଯାଇପାରିବ ନାହିଁ ବୋଲି ମତ ଦେଇଛନ୍ତି । ଏହି ଆବେଦନ ଖାରଜ ହେବା ପରେ, ଜାତୀୟ ପରୀକ୍ଷଣ ସଂସ୍ଥା (NTA) ଦ୍ବାରା ପୂର୍ବରୁ ଘୋଷିତ ତାରିଖରେ ଉଭୟ ଇଞ୍ଜିନିୟରିଂ ଏବଂ ମେଡିକାଲ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ସ୍ଥଗିତ ରଖିବା ପାଇଁ ଆବେଦନକୁ ଖାରଜ କରି କୋର୍ଟ ତାଙ୍କ ଆଦେଶରେ ଉଲ୍ଲେଖ କରିଛନ୍ତି ଯେ, “ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନର ଧାରାକୁ ଦୀର୍ଘଦିନ ପାଇଁ ସଂକଟାପନ୍ନ ଅବସ୍ଥାରେ ରଖାଯାଇପାରିବ ନାହିଁ” ଏବଂ ତେଣୁ, ମୁଖ୍ୟ JEE 2020 ଏବଂ NEET 2020 ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ NTAକୁ କୌଣସି ପ୍ରକାର ନିର୍ଦ୍ଦେଶ ନ ଦେବାକୁ କୋର୍ଟ ସ୍ଥିର କରିଛନ୍ତି ।
ଆବଶ୍ୟକତା ମୁତାବକ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା NTA ଗ୍ରହଣ କରିବ ବୋଲି ସଲିସିଟର ଜେନେରାଲ ତୁଷାର ମେହତା ଦର୍ଶାଇଥିଲେ
ଆବେଦନର ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହତା ଦର୍ଶାଇଥିଲେ ଯେ, ବିଶ୍ବ ମହାମାରୀ ସମୟରେ ସୁରୁଖୁରୁରେ ପରୀକ୍ଷା ପରିଚାଳନା କରିବା ଲାଗି ସମସ୍ତ ପଦକ୍ଷେପ ନେବାକୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏବଂ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସର୍ବୋଚ୍ଚ ପରୀକ୍ଷଣ ସଂସ୍ଥା NTAକୁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ପ୍ରଦାନ କରାଯାଇଛି । ସୁରକ୍ଷିତ ଭାବରେ ପରୀକ୍ଷା ପରିଚାଳନା ଏବଂ ପରୀକ୍ଷା ଦେଉଥିବା ସମସ୍ତ ଆଶାୟୀ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଓ ସୁସ୍ଥତାକୁ ସୁନିଶ୍ଚିତ କରିବା ଦିଗରେ ଆବଶ୍ୟକ ସମସ୍ତ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ଜାତୀୟ ପରୀକ୍ଷଣ ସଂସ୍ଥା ପଦକ୍ଷେପ ନେଉଛି ବୋଲି ମଧ୍ୟ ସେ କୋର୍ଟରେ କହିଥିଲେ ।
ଆବେଦନକାରୀ ଦର୍ଶାଇଲେ ଯେ CBSE, ICSE ଏବଂ AIBE ଓ ICAI ପରୀକ୍ଷା କ୍ଷେତ୍ରରେ ରିହାତି ପ୍ରଦାନ କରାଯାଇଥିଲା
ଆବେଦନକାରୀମାନଙ୍କ ପ୍ରତିନିଧିତ୍ବ କରି ଆଇନଜୀବୀ ଆଲଖ ଆଲୋକ ଶ୍ରୀବାସ୍ତବ ଦର୍ଶାଇଥିଲେ ଯେ, କୋଭିଡ୍-19 ବିଶ୍ବ ମହାମାରୀ କାରଣରୁ ବିଭିନ୍ନ ପରୀକ୍ଷା ସ୍ଥଗିତ ରଖିବା ଏବଂ ବାତିଲ କରିବା ଲାଗି ସରକାର ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଓ NTA ସମସ୍ତ ପଦକ୍ଷେପ ନେଇସାରିଛନ୍ତି । ଏହି ପରିପ୍ରେକ୍ଷୀରେ, ଛାତ୍ରଛାତ୍ରୀଙ୍କ ସ୍ବାର୍ଥରକ୍ଷା ଦୃଷ୍ଟିରୁ CBSE ଏବଂ ICSE ବୋର୍ଡ ପରୀକ୍ଷା କ୍ଷେତ୍ରରେ ଏବଂ AIBE 2020 ଏବଂ ICAI ମେ, 2020 ପରୀକ୍ଷା ସ୍ଥଗିତ ରଖିବା ପାଇଁ କୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ମଧ୍ୟ ଆବେଦନକାରୀ ଆଲୋକପାତ କରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆହୁରି ଦର୍ଶାଯାଇଥିଲା ଯେ, “ଆମେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ଚାହୁଁନାହଁ”, ହେଲେ, ସ୍ବାଭାବିକ ଅବସ୍ଥା ଫେରି ଆସିବା ଯାଏ ମଧ୍ୟବର୍ତ୍ତୀକାଳୀନ ଆଶ୍ବସ୍ତି କାମନା କରୁଛୁ ।
ବିଚାରପତିମାନେ କହିଲେ, ଜୀବନକୁ ଅଟକାଇ ରଖାଯାଇପାରିବ ନାହିଁ, ସମସ୍ତ ସୁରକ୍ଷା ବ୍ୟବସ୍ଥା ସହିତ ଆଗେଇବା ଆବଶ୍ୟକ