ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ବାକ୍ ଯୁଦ୍ଧ । ସତ୍ୟପାଲ ମଲ୍ଲିକଙ୍କ ବିମାନ ପଠାଇବା ବୟାନର ଜବାବ ଦେଇଛନ୍ତି ରାହୁଲ ଗାନ୍ଧୀ । ତେବେ ତାଙ୍କୁ କୌଣସି ସ୍ବତନ୍ତ୍ର ବିମାନର ନୁହେଁ ବରଂ କାଶ୍ମୀରରେ ସ୍ବାଧୀନତାର ସହ ବୁଲିବାକୁ ଅନୁମତି ଦରକାର ବୋଲି ସେ କହିଛନ୍ତି ।
ବିମାନ ବୟାନର ଜବାବ ଦେଲେ ରାହୁଲ; ସ୍ବାଧୀନତାର ସହ ବୁଲିବାକୁ ଚାହାଁନ୍ତି କାଶ୍ମୀର - ଧାରା 370
ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଚ୍ୟାଲେଞ୍ଜର ଜବାବ ଦେଲେ ରାହୁଲ ଗାନ୍ଧୀ । କୌଣସି ସ୍ବତନ୍ତ୍ର ବିମାନ ନୁହେଁ ବରଂ କାଶ୍ମୀରରେ ସ୍ବାଧୀନତାର ସହ ବୁଲିବାକୁ ଅନୁମତି ଦରକାର ବୋଲି କହିଛନ୍ତି ରାହୁଲ ।
ରାହୁଲ ଗାନ୍ଧୀ ମଙ୍ଗଳବାର ଟ୍ବିଟ କରି ରାଜ୍ୟପାଳଙ୍କ ନିମନ୍ତ୍ରଣର ଜବାବ ଦେଇଛନ୍ତି । ସେ କହିଛନ୍ତି, ପ୍ରିୟ ରାଜ୍ୟପାଳ ମଲ୍ଲିକ, ଆପଣଙ୍କ ଶ୍ରଦ୍ଧାପୂର୍ଣ୍ଣ ନିମନ୍ତ୍ରଣରେ ବିରୋଧୀ ଦଳର ନେତାମାନଙ୍କ ଏକ ପ୍ରତିନିଧିମଣ୍ଡଳୀଙ୍କ ସହ ମୁଁ ଜମ୍ମୁ-କଶ୍ମୀର ଓ ଲଦାଖ ଯିବା ପାଇଁ ପ୍ରସ୍ତୁତ ଅଛି । ଏଥିପାଇଁ ଆମକୁ କୌଣସି ପ୍ରକାର ସ୍ବତନ୍ତ୍ର ବିମାନର ଆବଶ୍ୟକତା ନାହିଁ । କିନ୍ତୁ ଆମକୁ ସେଠାରେ ବୁଲିବାକୁ ଏବଂ ଲୋକଙ୍କ ସହ ସାକ୍ଷାତ କରିବାକୁ ସ୍ବତନ୍ତ୍ରତା ଦିଆଯାଉ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରର ସ୍ଥିତିକୁ ନେଇ ରାହୁଲ ଗାନ୍ଧୀ ବୟାନ ଦେଇଥିଲେ । ଘାଟିରେ ହିଂସା ଉପୁଜୁଥିବା ଖବର ମିଳିଛି ବୋଲି ରାହୁଲ ଗାନ୍ଧୀ ଶନିବାର କହିଥିଲେ। ତେବେ ଏହାର ଜବାବରେ ରାଜ୍ୟପାଳ ରାହୁଲଙ୍କୁ ଜମ୍ମୁ-କାଶ୍ମୀର ଆସି ସ୍ଥିତି ପରଖିବାକୁ ନିମନ୍ତ୍ରଣ ଦେଇଥିଲେ । ଏଥିପାଇଁ ସେ ତାଙ୍କୁ ଏକ ସ୍ବତନ୍ତ୍ର ବିମାନ ପଠାଇବେ ବୋଲି ମଧ୍ୟ କହିଥିଲେ।