ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ଲାଗୁ ହୋଇଛି । ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ହୋଇଥିବା ବେଳେ ଏଥର ଲକଡାଉନକୁ କିଛି ମାତ୍ରା କୋହଳ କରାଯାଇଛି । ସେପଟେ ଲକଡାଉନ କାରଣରୁ ହାତ ବାନ୍ଧି ବସିଥିବା ରାଜ୍ୟର ମହିଳା ଚାଷୀଙ୍କ ପାଇଁ ଖୁବଶୀଘ୍ର ଏକ ଆଡଭାଇଜରି ଜାରି କରାଯିବ । ଏଥିପାଇଁ ପ୍ରସ୍ତୁତ ହୋଇସାରିଛି ଜାତୀୟ ମହିଳା ଆୟୋଗ(ଏନସିଡବ୍ଲ୍ୟୁ) । ଏହି ଆଡଭାଇଜରି ଲକଡାଉନରେ ପୀଡିତ ମହିଳା ଚାଷୀଙ୍କ ସହାୟତା ପାଇଁ ନୀତିଗତ ପରିବର୍ତ୍ତନ ପ୍ରସ୍ତାବ ଦେବାରେ ସକ୍ଷମ ହେବ ।
'କୃଷି କ୍ଷେତ୍ରରେ ମହିଳା: ଏକ ଉତ୍ତମ ଭୂମିକା ପ୍ରଦାନ କରିବା' ବିଷୟବସ୍ତୁ ଅଧୀନରେ ଏକ ଭର୍ଚୁଆଲ୍ ପରାମର୍ଶ ସମୟରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଏହି ପରାମର୍ଶରେ ଭାରତରେ ମହିଳା ଚାଷୀଙ୍କ ସଶକ୍ତିକରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏଥିସହ କୃଷି ଏବଂ ଗ୍ରାମୀଣ ଅର୍ଥନୀତିରେ ହସ୍ତକ୍ଷେପ ପାଇଁ ସମସ୍ତ କ୍ଷେତ୍ର ଅନ୍ତର୍ଭୁକ୍ତ ହୋଇଥିବା ଦେଖିବାକୁ ମିଳିଥିଲା ।
ଏନସିଡବ୍ଲ୍ୟୁ ଅଧ୍ୟକ୍ଷ ରେଖା ଶର୍ମା ଇଟିଭି ଭାରତକୁ କହିଛନ୍ତି ଯେ, ଆୟୋଗ ରାଜ୍ୟରେ ଜାରି କରିବାକୁ ଥିବା ଆଡଭାଇଜରି ଉପରେ କାମ କରୁଛନ୍ତି । ଏହି ନୀତିରେ ହିତାଧିକାରୀ ଦେଇଥିବା ପରାମର୍ଶକୁ ଦୃଷ୍ଟିରେ ରଖାଯାଇଛି । ଉଭୟ କୃଷି ଏବଂ ଏହା ସମ୍ବନ୍ଧିତ କ୍ଷେତ୍ରରେ ମହିଳା ଚାଷୀଙ୍କୁ ସହାୟତା କରିବା ଦିଗରେ ବିଶେଷ ଗୁରୁତ୍ବ ଦିଆଯିବ ।
ଏହାସହ ସେ କହିଛନ୍ତି ଯେ ଅନେକ ପ୍ରବାସୀ ଭାରତୀୟ ମହିଳାଙ୍କ ପାଇଁ ନିଯୁକ୍ତି ସୁଯୋଗକୁ ସୁଗମ କରିବା ପାଇଁ ସରକାରଙ୍କୁ ଏକ ପରାମର୍ଶ ଦିଆଯିବ । ବିଶେଷ କରି ଚାଷ ଏବଂ ଏହା ସମ୍ବନ୍ଧିତ କ୍ଷେତ୍ରରେ ଜଡିତ ନଥିବା ମହିଳାଙ୍କୁ ଏଥିରେ ସୁଯୋଗ ଦିଆଯିବ । ତେବେ ଯେଉଁ ମହିଳା ଘରେ ରହି ଚାଷ କାର୍ଯ୍ୟ କରିବାର ରାସ୍ତା ଆପଣାଇଛନ୍ତି ସେମାନଙ୍କ ପାଇଁ ଏହି ନୀତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି ।
ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏହି ପରାମର୍ଶ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, କୃଷି ବିଭାଗ, ଏନଆରଏଲଏମ, ହିତାଧିକାରୀ, ନୀତି ନିର୍ମାତା ଏବଂ ଗବେଷକ ଅନୁଷ୍ଠାନର ଅଧିକାରୀ ସମେତ ଏନଜିଓ ଏବଂ ଅନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ପରାମର୍ଶ ସମୟରେ ହିତାଧିକାରୀମାନେ ଏନସିଡବ୍ଲ୍ୟୁକୁ ସମସ୍ତ ରାଜ୍ୟକୁ ଏକ ଆଡଭାଇଜରି ଜାରି କରିବାକୁ ଅପିଲ କରିଥିଲେ । ଯଦ୍ବାରା ଏହା ନିଶ୍ଚିତ କରାଯାଇପାରିବ କି ମହିଳାମାନେ କୌଣସି ସୁଧ କିମ୍ବା ବନ୍ଧକ ବିନା ଋଣ ପାଇପାରିବେ । କାରଣ ଅନେକ ମହିଳା ଜମିର ମାଲିକ ନଥିବା ବେଳେ ଅନେକ ଭାଗଚାଷୀ ରୂପେ କାର୍ଯ୍ୟ କରିଥାନ୍ତି ।