କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଭାଗ୍ୟ ପୁଣିଥରେ ତାଙ୍କୁ ସମର୍ଥନ କରିଛି । ଓଲିଙ୍କ ଉପରେ ଇସ୍ତଫାକୁ ନେଇ ପଡୁଥିବା ଚାପ ମଧ୍ୟରେ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି)ର ବହୁ ପ୍ରତୀକ୍ଷିତ ସ୍ଥାୟୀ କମିଟି ବୈଠକ ପୁଣିଥରେ ଘୁଞ୍ଚିଛି । ଏହି ବୈଠକକୁ ଏକ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଛି ।
ଏହା ପୂର୍ବରୁ ମଧ୍ୟ ଏହି ବୈଠକ ଦୁଇ ଥର ସ୍ଥଗିତ ରଖାଯାଇଥିଲା । ଏନସିପିର କେତେକ ବରିଷ୍ଠ ନେତା ଓଲିଙ୍କୁ ଉଭୟ ଦଳର ଅଧ୍ୟକ୍ଷ ତଥା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଦାବି କରିଆସୁଛନ୍ତି। କିନ୍ତୁ ଓଲି ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି। ବିଭିନ୍ନ ପ୍ରସଙ୍ଗର ସମାଧାନ କରିବାରେ ସରକାରଙ୍କ ବିଫଳତା କାରଣରୁ ପ୍ରଧାନମନ୍ତ୍ରୀ ଦଳ ଭିତରେ ତଥା ବାହାରେ ସମାଲୋଚିତ ହୋଇଛନ୍ତି । ବିଶେଷ କରି ଭାରତ ତାଙ୍କୁ ଗାଦିରୁ ହଟାଇବାକୁ ଚେଷ୍ଟା କରୁଛି ବୋଲି ସର୍ବସାଧାରଣରେ ପ୍ରକାଶ କରିବା ପରେ।
କାଠମାଣ୍ଡୁ ଏବଂ ନୂଆଦିଲ୍ଲୀରେ ଅବସ୍ଥିତ ସୂତ୍ର ଅନୁଯାୟୀ, ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ଭୂସ୍ଖଳନ ଏବଂ ବନ୍ୟା ପରିସ୍ଥିତି ଯୋଗୁଁ ସ୍ଥାୟୀ କମିଟି ବୈଠକ ସ୍ଥଗିତ ରଖାଯାଇଥିବା କୁହାଯାଉଛି । କିନ୍ତୁ ଏହାର ଅସଲି କାରଣ ଅନ୍ୟ କିଛି ବୋଲି ଚର୍ଚ୍ଚା ହେଉଛି । ଓଲିଙ୍କ ଆସନ ରକ୍ଷା ପାଇଁ ଏଭଳି କରାଯାଇଥିବା କୁହାଯାଉଛି ।
ତେବେ ଏନସିପି ଅଧ୍ୟକ୍ଷ ପୁଷ୍ପ କମଲ ଦହଲ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ବୈଠକ ସ୍ଥଗିତ ରଖିବା ନିଷ୍ପତ୍ତିକୁ ବିରୋଧ କରିଥିଲେ । କିନ୍ତୁ ଦଳର ବରିଷ୍ଠ ନେତା ମାଧବ ନେପାଳ ଏବଂ ଝାଲାନାଥ ଖାନଲଙ୍କୁ ଭେଟିବା ପରେ ଏହି ବୈଠକ ସ୍ଥଗିତ ରଖିବାକୁ ରାଜି ହୋଇଥିଲେ ବୋଲି ଜଣାପଡିଛି । ଏହି ସ୍ଥଗିତାଦେଶ ଏଭଳି ସମୟରେ ଆସିଛି ଯେତେବେଳେ ଓଲି ସରକାର ଭାରତୀୟ ନ୍ୟୁଜ୍ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇ ପୁଣିଥରେ ଭାରତ ବିରୋଧୀ ଭାବନାକୁ ଦର୍ଶାଇଛନ୍ତି । ଓଲି ସରକାର ପରୋକ୍ଷ ରୂପରେ ତାଙ୍କ ବିରୋଧରେ ଭିଡିଓ କ୍ଲିପ୍ ପ୍ରସ୍ତୁତ କରିବା ନେଇ ଭାରତ ସରକାରଙ୍କୁ ଦାୟୀ କରିଛନ୍ତି ।