ମାଲକାନଗିରି: ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ପୋଲିସ ଓ ନକ୍ସଲ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଜଣେ ହାର୍ଡକୋର ନକ୍ସଲ ନିହତ ହୋଇଥିବା ବେଳେ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, କଟେକଲ୍ୟାଣ ଥାନା ଅନ୍ତର୍ଗତ ସୁରନାର ଏବଂ ଟେଲମ ମଧ୍ୟରେ ରହିଥିବା ଜଙ୍ଗଲରେ କଟେକଲ୍ୟାଣ ଏରିଆ କମିଟିର ଦୁର୍ଦ୍ଦାନ୍ତ ନକ୍ସଲମାନେ କ୍ୟାମ୍ପ କରି ରହିଛନ୍ତି । ତେଣୁ ସୁରନାର ଏବଂ ଟେଲମରେ ଦୁଇଟି ଟିମ କମ୍ବିଂ ଅପରେସନ କରିଥିଲେ ।
ନକ୍ସଲ-ପୁଲିସ ମୁହାଁମୁହିଁ; ଜଣେ ମାଓବାଦୀ ନିହତ, ବିପୁଳ ମାଓ ସାମଗ୍ରୀ ଜବତ ତେବେ ଆଜି ସକାଳେ ନକ୍ସଲ ଏବଂ ଡିଆରଜି ଯବାନ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା । ଜଙ୍ଗଲର ଆଢୁଆଳରେ ନକ୍ସଲ ଖସି ଚାଲିଯିବାରେ ସକ୍ଷମ ହୋଇଥିଲେ । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ହାର୍ଡକୋର ନକ୍ସଲର ମୃତଦେହକୁ ଉଦ୍ଧାର କରାଯାଇଥିଲା ।
ମୃତ ନକ୍ସଲ ହେଲା ମୁଚାକି ମାସା । ମୁଚାକି ମାସା ନାମରେ ସରକାର ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ବୋଲି ଏସପି ଅଭିଷେକ ପଲ୍ଲବ କହିଛନ୍ତି । ଯବାନ ଏବେ ମଧ୍ୟ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ କରୁଥିବା ପୋଲିସ କହିଛି । ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ